ଆହାର କେନ୍ଦ୍ର ବନ୍ଦ ଦିନ ମାଗଣା‌ରେ ଆହାର ଯୋଗାଉଛି ସ୍ବପ୍ନ ଫାଉଣ୍ଡେସନ୍

କଟକ: ସରକାରଙ୍କ ପକ୍ଷରୁ ସହରାଞ୍ଚଳରେ ‘ଆହାର କେନ୍ଦ୍ର’ର ବ୍ୟବସ୍ଥା କରାଯାଇଛି। କିନ୍ତୁ ରବିବାର ଦିନ ଖୋଲେ ନାହିଁ ଆହାର କେନ୍ଦ୍ର। ତଣେୁ ସେହି ଦିନ ଗରିବ ଲୋକ ବିଶେଷକରି ମେଡିକାଲ୍‌କୁ ରୋଗୀ ନେଇ ଆସୁଥିବା ଲୋକମାନଙ୍କ ପାଇଁ ମାଗଣା ଖାଦ୍ୟ ଯୋଗାଇବାର ବ୍ୟବସ୍ଥା କରିଛନ୍ତି କେତେଜଣ ସ୍ବେଚ୍ଛାସେବୀ ଛାତ୍ର। ସ୍ବପ୍ନ ଫାଉଣ୍ଡେସନ୍‌ ନାମକ ସଂସ୍ଥା ଗଢ଼ି ଏହା ଜରିଆରେ ସେମାନେ ପ୍ରତି ରବିବାର ୧ ହଜାର ଗରିବ ଲୋକ ଓ ରୋଗୀ-ସମ୍ପର୍କୀୟଙ୍କୁ ମାଗଣା ଖାଦ୍ୟ ଯୋଗାଇ ସେମାନଙ୍କ ପାଇଁ ସାହାରା ପାଲଟିଛନ୍ତି।

ସୂଚନାଯୋଗ୍ୟ, କଟକ ସହରକୁ ଦୈନିକ ଶହ ଶହ ଲୋକ ଚିକିତ୍ସା ପାଇଁ ଆସୁଥିବା ବେଳେ ମାଲିମୋକଦ୍ଦମା କାମ‌ରେ ଅନେକ ଲୋକ ଅଦାଲତ ଓ ପୁଲିସ ମୁଖ୍ୟାଳୟକୁ ଆସିଥାଆନ୍ତି। ସେମାନଙ୍କ ଭିତରୁ ବହୁସଂଖ୍ୟକ ଗରିବ ଲୋକ ସରକାରଙ୍କ ପକ୍ଷରୁ ଖୋଲିଥିବା ଆହାର କେନ୍ଦ୍ରରେ ୫ଟଙ୍କା ଦେଇ ମଧ୍ୟାହ୍ନ ଓ ରାତ୍ର ଭୋଜନ କରିଥାଆନ୍ତି। ହେଲେ ରବିବାର ଓ ଛୁଟିଦିନ ଆହାର କେନ୍ଦ୍ର ବନ୍ଦ ରହୁଥିବାରୁ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ଏହି ଖାଦ୍ୟରୁ ବଞ୍ଚିତ ହୋଇଥାଆନ୍ତି। ବାହାର ହୋଟେଲରେ ଗୋଟିଏ ମିଲ୍‌ ପାଖାପାଖି ୫୦ଟଙ୍କା ପଡୁଥିବାରୁ ଏହା ସେମାନଙ୍କ ପାଇଁ ବୋଝ ପାଲଟିଥାଏ। ଏହାକୁ ଦୃଷ୍ଟିରେ ରଖି ସେମାନଙ୍କୁ ସାହାଯ୍ୟ କରିବା ପାଇଁ କେତେଜଣ ଛାତ୍ର, ସେମାନଙ୍କ ସହଯୋଗୀ ଏକତ୍ର ହୋଇ ମାଗଣାରେ ଖାଦ୍ୟ ଯୋଗାଇ ଆସୁଅଛନ୍ତି। କର୍କଟ କେନ୍ଦ୍ରର ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ପ୍ରତି ରବିବାର ସେମାନେ ଖାଦ୍ୟ ଯୋଗାଇ ଆସୁଛନ୍ତି। ୫ଜଣ ରୋଷେୟାଙ୍କ ଦ୍ବାରା ପ୍ରତି ରବିବାର ୧ହଜାର ଲୋକଙ୍କ ପାଇଁ ଭାତ, ଡାଲି ଓ ଖଟା ପ୍ରସ୍ତୁତ କରୁଛନ୍ତି। ରବିବାର ମଧ୍ୟାହ୍ନ ୧୨ଟା ସମୟରେ ସେମାନେ କର୍କଟ କେନ୍ଦ୍ର ନିକଟରେ ଖାଦ୍ୟ ପହଞ୍ଚାଇ ୪୦ଜଣ ସ୍ବେଚ୍ଛାସେବୀଙ୍କ ଦ୍ବାରା ତାହା ରୋଗୀ ଓ ସମ୍ପର୍କୀୟଙ୍କୁ ବଣ୍ଟନ କରୁଛନ୍ତି। ସଂସ୍ଥାର ସଦସ୍ୟମାନଙ୍କ କହନ୍ତି, ମୟୁରଭଞ୍ଜ ଜିଲ୍ଲାର ଜଣେ ବୃଦ୍ଧ ନିଜ ପତ୍ନୀଙ୍କ ଚିକିତ୍ସା ପାଇଁ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରକୁ ଆସିଥିଲେ। ପାଖରେ ଅଧିକ ଟଙ୍କା ନ ଥିବାରୁ ବୃଦ୍ଧଜଣକ ହୋଟେଲରେ ନଖାଇ ବିସ୍କୁଟ ଖାଇ ନଳରୁ ପାଣି ପିଉଥିବା ବେଳେ ଜଣେ ବ୍ୟକ୍ତି ଦେଖିବାକୁ ପାଇଥିଲେ। ଏହାଦ୍ବାରା ପ୍ରଭାବିତ ହୋଇ ଉକ୍ତ ବ୍ୟକ୍ତିଙ୍କ ପରାମର୍ଶରେ ୮ମାସ ତଳେ ସ୍ବପ୍ନ ଫାଉଣ୍ଡେସନ୍‌ ଜରିଆରେ ଖାଦ୍ୟ ବଣ୍ଟନ କରାଯାଇଥିଲା। ବର୍ତ୍ତମାନ ଏହି ଅନୁଷ୍ଠାନର ପାଖାପାଖି ୨୫୦ ସଦସ୍ୟ ନିଜ ପକେଟରୁ ଖର୍ଚ ଦେଇ ଅନୁଷ୍ଠାନ ଚଳାଉଛନ୍ତି। ପ୍ରତି ରବିବାର ହାରାହାରି ୧୫ହଜାର ଟଙ୍କାର ଖାଦ୍ୟ ସେମାନେ ବାଣ୍ଟୁଛନ୍ତି, ଯାହା ଗରିବ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ପାଇଁ ବିରାଟ ସହଯୋଗ ସାବ୍ୟସ୍ତ ହୋଇଛି।

ସମ୍ବନ୍ଧିତ ଖବର