‘ସପ୍ତସ୍ୱରୀ କଳାକ୍ଷେତ୍ର’ର ବାର୍ଷିକ ଉତ୍ସବ

ଭୁବନେଶ୍ୱର: ରବୀନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟରୁ ଭାସି ଆସୁଥିଲା ସମୂହ ବାଦ୍ୟ ଯନ୍ତ୍ରର ସୁମଧୁର ଧୁନ୍‌। ୫୦ରୁ ଊର୍ଧ୍ୱ ବାଦ୍ୟଶିଳ୍ପୀ ନିଜ ବାଦନ କଳା ପରିବେଷଣ କରୁଥିଲେ। ପରିବେଷିତ ହେଉଥିଲା ସମୂହ ବାଦନ ‘ବାଦ୍ୟ ବିଚିତ୍ରା’। ନିର୍ଦ୍ଦେଶନା ଦେଇଥିଲେ ଗୁରୁ ବାଇଧର ରାଉତ। ଅବସର ଥିଲା ସାଂସ୍କୃତିକ ଅନୁଷ୍ଠାନ ‘ସପ୍ତସ୍ୱରୀ କଳାକ୍ଷେତ୍ର’ର ୨୬ତମ ବାର୍ଷିକ ଉତ୍ସବ ତଥା ସମାବର୍ତନ ଉତ୍ସବର। ଅନୁଷ୍ଠାନର ସଭାପତି ରାଧାଶ୍ୟାମ ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଉଦ୍‌ଘାଟକ ଭାବେ ଯୋଗ ଦେଇଥିଲେ। ଭୁବନେଶ୍ୱର ଟାଟା ଷ୍ଟିଲର ମୁଖ୍ୟ ମଣିକାନ୍ତ ନାୟକ, ଓଡ଼ିଶୀ ସଙ୍ଗୀତ ଗୁରୁ ବିଜୟ କୁମାର ଜେନା ଓ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ସହାୟକ ମୁଖ୍ୟ ପ୍ରବନ୍ଧକ ବ୍ରଜକିଶୋର ନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଅନୁଷ୍ଠାନର ସାଧାରଣ ସମ୍ପାଦକ ବାଇଧର ରାଉତ ବାର୍ଷିକ ବିବରଣୀ ପାଠ କରିଥିବାବେଳେ ସୁଶୀଲ କୁମାର ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିଲେ। ପ୍ରତିବର୍ଷ ପରି ଚଳିତ ବର୍ଷ ମର୍ଦ୍ଦଳ ଗୁରୁ ଡ. ବନମାଳି ମହାରଣାଙ୍କୁ ‘କଳାକୌସ୍ତୁଭ’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହା ସହ ବେହେଲା ବାଦକ ରୟମନ ମିଶ୍ରଙ୍କୁ ସମ୍ମାନିତ କରାଯାଇଥିଲା। ‘ବାଦ୍ୟ ବିଚିତ୍ରା’ ପରିବେଷଣ ପରେ ଅଭିଷେକ ମିଶ୍ରଙ୍କ ଦ୍ୱାରା ଆବାହନୀ କଣ୍ଠ ସଙ୍ଗୀତ ମଧ୍ୟ ବେଶ୍‌ ମନ ମୁଗ୍ଧକର ଥିଲା। ପରବର୍ତୀ ପ୍ରସ୍ତୁତିରେ ଗୁରୁ ସ୍ନେହାଶିଷ ପଟ୍ଟନାୟକଙ୍କ ଦ୍ୱାରା ସମୂହ ତବଲା ବାଦନ ସହ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଦ୍ୱାରା ହିନ୍ଦୁସ୍ତାନୀ କଣ୍ଠସଙ୍ଗୀତ, ପରେ ମଙ୍ଗଳାଚରଣ, ସମ୍ବଲପୁରୀ ନୃତ୍ୟ ପରିବେଷିତ ହୋଇଥିଲା। କାର୍ଯ୍ୟକ୍ରମର ଶେଷ ପ୍ରସ୍ତୁତିରେ ଗୁରୁ ଗଜେନ୍ଦ୍ର ପଣ୍ଡାଙ୍କ ନିର୍ଦ୍ଦେଶିତ ‘ଦେବୀ ଦଶବିଧମ୍‌’ ଓଡ଼ିଶୀ ନୃତ୍ୟ ଉପସ୍ଥିତ ଦର୍ଶକଙ୍କୁ ବିମୋହିତ କରିଥିଲା।

ସମ୍ବନ୍ଧିତ ଖବର