ସ୍ବର ସାମ୍ରାଜ୍ଞୀ ସନ୍ଧ୍ୟାରେ ଚିତ୍ତ ଜେନାଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର: ପତ୍‌ଝଡ୍‌ ସାୱନ ବସନ୍ତ ବାହାର…, ଜିନ୍ଦେଗି କି ନା ତୁଟେ ଲଡ଼ି…, ଝିଲ୍‌ ମିଲ୍‌ ସିତାରୋଁ କା… ଭଳି ଲୋକପ୍ରିୟ ତଥା ଚିରସବୁଜ ଲତା ସଙ୍ଗୀତ ଶ୍ରୋତାଙ୍କୁ ମଗ୍ନ କରିଥିଲା। ଅବସର ଥିଲା ‘ସଂଭାବନା’ ପକ୍ଷରୁ ଆୟୋଜିତ ୧୩ତମ ସ୍ବର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ଗୀତ ଆସର ‘ସ୍ବର ସାମ୍ରାଜ୍ଞୀ ସଂଧ୍ୟା’। ଲୋକପ୍ରିୟ ଲତା ସଙ୍ଗୀତ ପରିବେଷଣ ସହ ନିକଟରେ ପରଲୋକଗତ ବିଶିଷ୍ଟ କଣ୍ଠଶିଳ୍ପୀ ଚିତ୍ତରଞ୍ଜନ ଜେନାଙ୍କ ଶ୍ରଦ୍ଧାଞ୍ଜଳି ଉଦ୍ଦେଶ୍ୟରେ ଆଜିର କାର୍ଯ୍ୟକ୍ରମର ଏକ ଅଧ୍ୟାୟ ତାଙ୍କୁ ସମର୍ପିତ ହୋଇଥିଲା। ମୋ ପ୍ରିୟାଠାରୁ କିଏ ଅଧିକ ସୁନ୍ଦର…, ନ ଯା ସଜନୀ… ଆଦି ଗୀତ ଗାଇ ସ୍ବର୍ଗତ ଜେନାଙ୍କୁ ସଙ୍ଗୀତରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ କଣ୍ଠଶିଳ୍ପୀମାନେ। କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀ ସିଦ୍ଧାନ୍ତ ଶତପଥୀ, ଈପ୍‌ସିତା ମହାନ୍ତି, ସତ୍ୟ ସାର୍ଥକ, ଅଞ୍ଜଳି ଦୀପା ଓ ସତ୍ୟବ୍ରତ ମହାପାତ୍ର ପ୍ରମୁଖ ସଙ୍ଗୀତ ପରିବେଷଣ ‌କରିଥିଲେ। ସଂଭାବନାର ଅଧ୍ୟକ୍ଷ ଶରତ ଚନ୍ଦ୍ର ଭଦ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଧାୟକ ଦେବୀ ପ୍ରସାଦ ମିଶ୍ର, ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଣବ କିଶୋର ପଟ୍ଟନାୟକ, ବିଧାୟକ ପ୍ରିୟଦର୍ଶୀ ମିଶ୍ର ଏବଂ ସାହିତ୍ୟିକ ଦାଶ ବେନହୁର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ସଂଭାବନାର ଟ୍ରଷ୍ଟି ସ୍ମୃତି ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସଂପାଦକ ଦେବ ପ୍ରସାଦ ପରିଜା ପ୍ରାରମ୍ଭିକ ସୂଚନା ଦେଇଥିଲେ। ରାଜଶ୍ରୀ ଶତପଥୀ, ପ୍ରଫୁଲ୍ଲ ଦେ, ଗୁରୁ ପ୍ରସାଦ ଦାସ ଓ ଅଭିରାମ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର