ପ୍ରଦର୍ଶନୀ ପଡ଼ିଆ ରାସ୍ତାରେ ସ୍ବରେଜ୍‌ ଜଳ ବନ୍ୟା

ଭୁବନେଶ୍ବର : ୧୦ ଦିନ ହେଲାଣି ପ୍ରଦର୍ଶନୀ ପଡ଼ିଆ ରାସ୍ତାରେ ସ୍ବରେଜ ପାଣିର ବନ୍ୟା ଛୁଟୁଛି। ଦୁର୍ଗନ୍ଧ ସାଙ୍ଗକୁ ପୋକ ସାଲୁବାଲୁ ହେଉଥିବ‌ା ଏହି ରାସ୍ତାରେ ଯାତାୟତ କରିବା ମୁସ୍କିଲ୍‌ ହୋଇପଡ଼ିଛି। ରାଜଧାନୀର ଏଭଳି ଏକ ମୁଖ୍ୟ ରାସ୍ତା ଏଭଳି ଦୟନୀୟ ଅବସ୍ଥାରେ ଥିଲେ ବି କାହାର ନଜର ପଡ଼ୁନାହିଁ। ସୂଚନାନୁସାରେ ମଧୁସୂଦନ ମାର୍ଗସ୍ଥିତ ପ୍ରଦର୍ଶନୀ ପଡ଼ିଆ ଗେଟ୍ ପାର୍ଶ୍ବରେ ଏକ ସ୍ବରେଜ ନଳାରୁ ଏହି ମଇଳା ପାଣି ଉଛୁଳି ବାହାରୁଛି। ନଳା ଜାମ୍‌ ହୋଇଥିବାରୁ ମଇଳା ପାଣି ବାହାରି ରାସ୍ତା ଉପରେ ବହୁଛି। ଫଳରେ ଏଠାରେ ରାସ୍ତା କଡ଼ରେ ବସୁଥିବା ଉଠା ଦୋକାନୀମାନେ ବଡ଼ ହୀନସ୍ତା ହେଉଛନ୍ତି। ସେମାନେ ବାଧ୍ୟ ହୋଇ ସ୍ଥାନ ପରିବର୍ତ୍ତନ କରୁଛନ୍ତି। ତେବେ କିଛି ବ୍ୟବସାୟୀ ସ୍ଥାନାଭାବ କାରଣରୁ ସେମିତି ଦୁର୍ଗନ୍ଧମୟ ପରିବେଶରେ ବାଧ୍ୟ ହୋଇ ବ୍ୟବସାୟ କରୁଛନ୍ତି। ସେମାନେ ବାରମ୍ବାର ଅଭିଯୋଗ କରିବା ସତ୍ତ୍ବେ କେହି ଶୁଣୁନାହାନ୍ତି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର