ରେଡିଓ ଚକ୍‌ଲେଟ୍‌ ପକ୍ଷରୁ ‘ସ୍ୱରାଞ୍ଜଳି’: ଗୀତରେ ଗୀତରେ ସ୍ବର ସମ୍ରାଜ୍ଞୀଙ୍କୁ ଶ୍ରଦ୍ଧାଞ୍ଜଳି

ପୁରସ୍କୃତ ହେଲେ ୪ ପ୍ରତିଯୋଗୀ

ଭୁବନେଶ୍ବର : ‘ଏ ମେ‌ରେ ବତନ୍‌ କେ‌ ଲୋଗୋଁ, ଜରା ଆଁଖ ମେ ଭରଲୋ ପାନି…’ ଦେଶାତ୍ମବୋଧ ସଂଗୀତ ଆଜି ଶ୍ରୋତାଙ୍କୁ ଦେଶପ୍ରେମରେ ଯେତିକି ଉଦ୍‌ବୁଧ କରିଥିଲା, ତା’ଠୁ ଅଧିକ କୋକିଳକଣ୍ଠୀ ଲତାଜୀଙ୍କୁ ମନେ ପକାଇବାର ସୁଯୋଗ ଦେଇଥିଲା। ଲତାଜୀଙ୍କ ଅବର୍ତ୍ତମାନରେ, ଏହି ଗୀତ ପ୍ରେକ୍ଷାଳୟରେ ତାଙ୍କ ଉପସ୍ଥିତିକୁ ଅନୁଭବ କରାଇ ଦେଇଥିଲା। ଶ୍ରୋତାଙ୍କ ଆଖିରୁ ଆପେ ଆପେ ଦୁଇଧାର ଲୁହ ଝରିଯାଇଥିଲା। ଗୀତ ଶେଷ ହେବା ପରେ ମଧ୍ୟ ସଭାଗୃହରେ ବେଶ୍‌ କିଛି ସମୟ ପର୍ଯ୍ୟନ୍ତ ଏକ ଅସମ୍ଭବ ନିରବତା ଛାଇ ଯାଇଥିଲା। ଲତାଜୀଙ୍କ ପ୍ରତି ଶ୍ରୋତାଙ୍କ ଏହା ଅଜସ୍ର ଭଲ ପାଇବାର ଏକ ଅଦୃଶ୍ୟ ପ୍ରମାଣ ବୟାନ କରିଥିଲା। ଏମିତି ଅବସର ମିଳିଥିଲା, ‘ରେଡିଓ ଚକଲେଟ୍’ ପକ୍ଷରୁ ଆୟୋଜିତ ସ୍ବରସମ୍ରାଜ୍ଞୀ ଲତା ମଙ୍ଗେସ୍‌କରଙ୍କ ଉଦ୍ଦେଶ୍ୟରେ ସମର୍ପିତ ଶ୍ରଦ୍ଧାଞ୍ଜଳି ସଭା ‘ସ୍ୱରାଞ୍ଜଳି’ରେ। ଓଲିଉଡ୍‌ ଜଗତର ବହୁ ନାମକରା କଣ୍ଠଶିଳ୍ପୀ ଗୀତଗୀତରେ ଲତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ଲତାଜୀ ଗାଇଥିବା ଗୀତ ‘ଅବ୍‌ କେ ସାଜନ ସାବନ୍‌ ମେ…’ ଗାଇ ସୋହିନୀ ମିଶ୍ର ଦର୍ଶକଙ୍କୁ ସତୁରି ଦଶକର ଚଳଚ୍ଚିତ୍ର ‘ଚୁପକେ ଚୁପକେ’ର ସ୍ମୃତି ତାଜା କରି ଦେଇଥିଲେ। ସେହିପରି ‘ତେରେ ବିନା ଜିନ୍ଦେଗୀ ସେ କୋଇ…, ତୁ୍ଝସେ ନାରାଜ ନହିଁ ଜିନ୍ଦଗୀ…, କୁହୁକୁହୁ ବୋଲେ କୋୟଲିୟା…, ଆପକି ନାଜ୍‌ରୋଁ ସେ… ଭଳି ଚିରସବୁଜ ଗୀତ ଦର୍ଶକଙ୍କୁ ମନୋରଂଜନର ଭରପୂର୍‌ ଖୋରାକ୍‌ ଯୋଗାଇଥିଲା। ତାଜ୍‌ ଭିଭାନ୍ତାରେ ଅନୁଷ୍ଠିତ ଏହି ସଂଗୀତଭିତ୍ତିକ କାର୍ଯ୍ୟକ୍ରମରେ ଗୁରୁ ଲକ୍ଷ୍ମୀକାନ୍ତ ପାଳିତଙ୍କ ସହଯୋଗ ଏବଂ ନିର୍ଦ୍ଦେଶନାରେ ସୋହିନୀ ମିଶ୍ର, ଅର୍ପିତା ଚୌଧୁରୀ, ଅନ୍ତରା ଚକ୍ରବର୍ତ୍ତୀ, ନନ୍ଦିନୀ ମହାନ୍ତି, ନେହା ନିହାରୀକା, ବର୍ଣ୍ଣାଳୀ ହୋତା ପ୍ରମୁଖ ଲତାଜୀଙ୍କ ଚିରସବୁଜ ଗୀତ ଗାଇ ସଂଧ୍ୟାକୁ ମନୋରମ କରିଦେଇଥିଲେ।

କାର୍ଯ୍ୟକ୍ରମରେ ଖ୍ୟାତିସମ୍ପନ୍ନ ବଂଶୀ ବାଦକ ପଣ୍ଡିତ ହରିପ୍ରସାଦ ଚୌରାସିଆ ମୁଖ୍ୟ ଅତିଥି, ବେଦାନ୍ତ ଲିମିଟେଡ୍‌ର ସଭାପତି ତପନ କୁମାର ଚାନ୍ଦ ସ୍ଵତନ୍ତ୍ର ଅତିଥି, ରୁଚି ଫୁଡ୍‌ସର ପରିଚାଳନା ନିର୍ଦେଶକ ଶରତ କୁମାର ସାହୁ ଓ ‘ସମ୍ବାଦ’ ଗ୍ରୁପ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ।

ଏହି ଅବସରରେ ଶ୍ରୀ ଚୌରସିଆ ଲତାଜୀଙ୍କ ସ୍ମୃତିଚାରଣ କରି କହିଲେ, ଲତାଙ୍କ ସହ ସେ ଅନେକ କାମ କରିଛନ୍ତି। ତାଙ୍କ ବିଷୟରେ ଯଦି କହି ବସିବେ, ତେବେ ସମୟ ବି କମ୍‌ ପଡ଼ିବ। ଲତାଙ୍କ ବିୟୋଗ ଏକ ଯୁଗର ଅବସାନ। ଆଜି ଲତାଜୀ ସଶରୀରେ ନଥିଲେ ମଧ୍ୟ ସେ ଗାଇଥିବା ଗୀତ ତାଙ୍କୁ ସବୁଦିନ ପାଇଁ ଅମର କରି ରଖିଥିବ ବୋଲି ସେ କହିଥିଲେ। ରୁଚି ଫୁଡ୍‌ସର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସାହୁ କହିଥିଲେ, ବର୍ତ୍ତମାନ ଓଡ଼ିଶାରେ ମଧ୍ୟ ଦ୍ୱିତୀୟ ଲତାଙ୍କ ଆବଶ୍ୟକତା ରହିଛି। ସେପରି ପ୍ରତିଭା ସୃଷ୍ଟି କରିବାରେ ସ‌େ ସବୁପ୍ରକାର ସହଯୋଗ ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ ରେଡିଓ ଚକ୍‌ଲେଟ ଦ୍ଵାରା ପୂର୍ବରୁ ଅନଲାଇନ୍‌ରେ ଆୟୋଜିତ ‘ସ୍ୱରାଞ୍ଜଳି’ ପ୍ରତିଯୋଗିତାର କୃତୀ ପ୍ରତିଯାଗୀଙ୍କୁ ପୁରସ୍କୃତ କରାଯାଇଥିଲା। ସେମାନେ ହେଲେ, ଦର୍ଶନ କର, ଋତୁପର୍ଣ୍ଣା ନାୟକ, ସିମ୍ରନ୍ ଦାସ, ସାଇପ୍ରଜ୍ଞା ରାଉତ। ପୁରସ୍କାର ଗ୍ରହଣ କରିବା ଅବସରରେ କୃତୀ ପ୍ରତିଯୋଗୀମାନେ ବି ଲତାଜୀଙ୍କ ଚିରସବୁଜ ଗୀତ ଗାଇ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ। ଶେଷରେ ବାଦ୍ୟଯନ୍ତ୍ରରେ ସହଯୋଗ କରିଥିବା କଳାକାରଙ୍କୁ ସମ୍ମାନିତ କରାଯାଇଥିଲା। ‘ସମ୍ବାଦ’ ଡିଜିଟାଲ ଓ ରେଡିଓ ଚକଲେଟ୍‌ର ସେଲ୍ସ ଓ ମାର୍କେଟିଂ ହେଡ୍‌ ଲିଙ୍ଗରାଜ ଲେଙ୍କା ଉପସ୍ଥିତ ଥିଲେ। ବିଶିଷ୍ଟ ଉପସ୍ଥାପକ ଗୁଲସନ୍ ନଦିମ୍‌ ମଞ୍ଚ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର