‘ଶ୍ୱେତ ସଙ୍କେତ ସାରସ୍ୱତ ମଞ୍ଚ’ର ସମାବର୍ତନ ଉତ୍ସବ

ଭୁବନେଶ୍ୱର: ସନ୍ତୁଷ୍ଟ ଓ ନିରୁପଦ୍ରବ ଜୀବନ ବିତାଉଥିବା ବ୍ୟକ୍ତି ସଫଳ ଲେଖକ ହେବା ସମ୍ଭବ ନୁହେଁ ବୋଲି ବିଶିଷ୍ଟ ସାହିତ୍ୟିକ ପ୍ରଫେସର ଆଦିକନ୍ଦ ସାହୁ କହିଛନ୍ତି। ଆଜି ଜୟଦେବ ଭବନଠାରେ ଆୟୋଜିତ ‘ଶ୍ୱେତ ସଙ୍କେତ’ର ୩୦ତମ ବାର୍ଷିକ ଉତ୍ସବରେ ଯୋଗଦେଇ ଶ୍ରୀ ସାହୁ କହିଲେ ଯେ, ଦସ୍ତୋଭସ୍କି ଓ ଚେକଭଙ୍କ ପରି ଲେଖକମାନେ ସମସ୍ୟାକୁ ଅଙ୍ଗେ ନିଭାଇଥିଲେ। ପ୍ରସଙ୍ଗକ୍ରମେ ସେ କହିଥିଲେ ଯେ ପ୍ରେମ ଜୀବନର ଏକ ବଳିଷ୍ଠ ଅନୁଭବ ଏବଂ ଏହାର ବର୍ଣ୍ଣନା ଅନୁଚିତ ନୁହେଁ।

ଏହି ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ‘କଥା’ର ସମ୍ପାଦକ ଗୌରହରି ଦାସ କହିଥିଲେ, ଆମ ସାମାଜିକ ଜୀବନରୁ ସମ୍ବେଦନା, ସମାନୁଭୂତି ଏବଂ ସୌହାର୍ଦ୍ଦ୍ୟ ଉଣା ହୋଇଯିବା ଦୁର୍ଭାଗ୍ୟଜନକ। ସମ୍ବାଦପତ୍ରଗୁଡ଼ିକ ବିଶ୍ୱାସନୀୟତା ବଜାୟ ରଖିବା ଉପରେ ଶ୍ରୀ ଦାସ ଗୁରୁତ୍ୱ ଦେଇଥିଲେ। ‘ଶ୍ୱେତ ସଙ୍କେତ’ର ଏହି ଉତ୍ସବର ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରଫେସର ରାଜକିଶୋର ମିଶ୍ର କହିଥିଲେ, ଓଡ଼ିଶାର ଶ୍ରୀଜଗନ୍ନାଥ ସଂସ୍କୃତି ବିଶ୍ୱରେ ବିଖ୍ୟାତ। ଓଡ଼ିଆ ସାହିତ୍ୟର ଉତ୍କଷ୍ଟ ରଚନା ଅନୁଦିତ ହୋଇ ତାହାର ପ୍ରସାର ହେବା ଦରକାର ବୋଲି ପ୍ରଫେସର ମିଶ୍ର କହିଥିଲେ। ଅନ୍ୟତମ ସମ୍ମାନିତ ଅତିଥିଭାବେ ସଂସ୍କୃତି ନିର୍ଦ୍ଦେଶକ ବିଜୟ କୁମାର ନାୟକ ଯୋଗ ଦେଇଥିଲେ। ଏହି ଅବସରରେ ‘ଶ୍ୱେତ ସଙ୍କେତ’ର ବିଷୁବ ସଂଖ୍ୟା ଲୋକାର୍ପିତ ହୋଇଥିଲା। ପ୍ରଫେସର ରାଜକିଶୋର ମିଶ୍ର ‘ଶ୍ୱେତ ସଙ୍କେତ’ ସମ୍ମାନ ପାଇଥିବା ବେଳେ ବିଜୟଲକ୍ଷ୍ମୀ ମହାନ୍ତିଙ୍କୁ ‘ଭାଷା ବିଜ୍ଞାନ ସମ୍ମାନ’ ପ୍ରଦାନ କରାଯାଇଥିଲା। ବିବେକାନନ୍ଦ ପାଣିଗ୍ରାହୀଙ୍କୁ ‘ପ୍ରବନ୍ଧ ସମ୍ମାନ’, ସୂର୍ଯ୍ୟମଣି ତ୍ରିପାଠୀଙ୍କୁ ‘ବହୁମୁଖୀ ପ୍ରତିଭା ସମ୍ମାନ’, ଗିରିଜା ମଞ୍ଜରୀ ପାଢ଼ୀଙ୍କୁ ‘ଅନୁବାଦ ସମ୍ମାନ’, ଭାନୁମତୀ ସାହୁଙ୍କୁ ‘ଗଳ୍ପ ସମ୍ମାନ’, ଅଙ୍ଗୁରବାଳା ପରିଡ଼ାଙ୍କୁ ‘କବିତା ସମ୍ମାନ’, ବିଜୟ କୁମାର ନାୟକଙ୍କୁ ‘ସମ୍ପାଦକ ସମ୍ମାନ’, ଗୀତାରାଣୀ କରଙ୍କୁ ‘ଶୈଳବାଳା ଗୀତିକବିତା ସମ୍ମାନ’, ଶରତ କୁମାରୀ ମିଶ୍ରଙ୍କୁ ‘ଶିଶୁ ସାହିତ୍ୟ ସମ୍ମାନ’, ସଲୀଳା ମହାନ୍ତିଙ୍କୁ ‘ସେବା ସମ୍ମାନ’ ଓ ରମେଶ ଚନ୍ଦ୍ର ସ୍ୱାଇଁଙ୍କୁ ‘ପାଠକ ସମ୍ମାନ’ ପ୍ରଦାନ କରାଯାଇଥିଲା। ଅମୂଲ୍ୟ କୁମାର ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ଦେବେନ୍ଦ୍ର ନାଥ ଦାଶ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଅନୁଷ୍ଠାନର ସଭାପତି ଆଶା ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି ସଭା ପରିଚାଳିତ ହୋଇଥିଲା।

ସମ୍ବନ୍ଧିତ ଖବର