ସତ୍ୟନଗରରେ ସ୍ୱର୍ଗଦ୍ୱାର ସ୍ଥିତି, କରୋନା ବଦଳାଇ ଦେଇଛି ମଶାଣିର ଚିତ୍ର

ଏବେ ଶବଦାହ ପାଇଁ ଲାଗୁଛି ଲମ୍ବା ଧାଡ଼ି, ଦିନକୁ ପୋଡ଼ା ହେଉଛି ୩୦ରୁ ଅଧିକ ଶବ

ଭୁବନେଶ୍ବର : କୁହାଯାଏ, ପୁରୀ ସ୍ବର୍ଗଦ୍ବାରରେ ନିଆଁ କେବେ ଲିଭେନି। ଦିନରାତି ୨୪ ଘଣ୍ଟା ଶବଦାହ ହେଉଥାଏ। ବର୍ଷା ହେଉ କି ଖରା, ସ୍ବର୍ଗଦ୍ବାରରେ ନିଶ୍ଚିତ ଜୁଇ ଜଳୁଥିବ। ଗତ କିଛି ଦିନ ହେଲା ସ୍ବର୍ଗଦ୍ବାରରେ ଆଉ ସେ ସ୍ଥିତି ନାହିଁ। ଦିନକୁ ଅତି ବେଶିରେ ୧୦/୧୨ଟି ଶବ ସତ୍କାର ହେଉଛି। କିନ୍ତୁ ସ୍ବର୍ଗଦ୍ବାର ପରିସ୍ଥିତି ସୃଷ୍ଟି ହୋଇଛି ରାଜଧାନୀର ସତ୍ୟଗନର ଶ୍ମଶାନରେ। ଏଠାରେ ଏବେ ନିଆଁ ଲିଭୁନି। ଚାରିଆଡ଼େ ଖାଲି ପାଉଁଶ ଓ ଅଙ୍ଗାର।

ସ୍ବର୍ଗଦ୍ବାରରେ ଦିନକୁ ହାରାହାରି ୫୦ରୁ ୫୫ଟି ଶବଦାହ ହୁଏ। ତେଣୁ ଲୋକ ଶବ ସତ୍କାର ପାଇଁ ବେଳେବେଳେ ଅପେକ୍ଷା କରନ୍ତି। କିନ୍ତୁ ସତ୍ୟନଗରରେ ଏବେ ଦିନକୁ ପ୍ରାୟ ୩୫ରୁ ୪୦ ଜଣଙ୍କର ଶବ ସତ୍କାର ହେଉଛି। ଏମିତି ସ୍ଥିତି ହେଉଛି ଯେ ଦାହ ପାଇଁ ମଶାଣିରେ ଶବ ଘଣ୍ଟାଧିକ ସମୟ ପଡ଼ୁଛି। ଏକସଙ୍ଗେ ୪ରୁ ୫ଶବ ଧାଡ଼ିରେ ରହୁଛି। ସ୍ବର୍ଗଦ୍ବାରକୁ ବାହାର ଜିଲ୍ଲାର ଶବ ମନା ହୋଇଛି। ହେଲେ ସତ୍ୟନଗର ଶ୍ମଶାନରେ ତ କେବଳ କରୋନା ଆକ୍ରାନ୍ତଙ୍କ ଜୁଇ ଏବେ ଜଳୁଛି। ବିଭିନ୍ନ ରୋଗରୁ ଆରମ୍ଭ କରି ଦୁର୍ଘଟଣା ମୃତ୍ୟୁର ଶବ ପାଇଁ ସ୍ବର୍ଗଦ୍ବାରରେ ଜୁଇ ଲିଭୁ ନଥିଲା, ଏବେ କିନ୍ତୁ ସତ୍ୟନଗରରେ କୋଭିଡ୍‌ ଆକ୍ରାନ୍ତଙ୍କ ଶବ ସତ୍କାରରେ ଜୁଇରୁ ନିଆଁ ଲିଭୁନି। ଏଠାରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ହେଉଛି ଶବଦାହ।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତ କିଛି ଦିନ ହେଲା ସତ୍ୟନଗର ଶ୍ମଶାନରେ ଦୈନିକ ପ୍ରାୟ ୩୦ରୁ ଅଧିକ ଶବ ସତ୍କାର ହେଉଛି। ଖାସ୍‌ କରି ଗତ ସପ୍ତାହେ ହେଲା। ଏହା ପୂର୍ବରୁ ଦୈନିକ ପ୍ରାୟ ୧୦ରୁ ୧୫ଜଣ ଲୋକଙ୍କ ଶବ ସତ୍କାର ହେଉଥିବା ବେଳେ ହଠାତ୍ ଏହି ସଂଖ୍ୟା ଦୁଇଗୁଣ ହୋଇଯାଇଛି। ଏପରିକି ଦିନେ ଦିନେ ଏହା ୪୦ ଟପି ଯାଉଛି। ଫଳରେ ଶବଦାହରେ ବହୁତ ସମସ୍ୟା ହେଉଛି। ସ୍ଥିତି ଏପରି ହେଉଛି ଯେ ସଂଧ୍ୟା ୭ଟା ପରେ ଯଦି କୋଭିଡ୍‌ ହସ୍ପିଟାଲରେ କାହାର ମୃତ୍ୟୁ ହେଉଛି, ତେବେ ଶବ ସତ୍କାର ହେଲା ବେଳକୁ ପରଦିନ ମଧ୍ୟାହ୍ନ କି ଅପରାହ୍‌ଣ ହୋଇଯାଉଛି। କିଛି କିଛି ଶବ ତ ୨୪ ଘଣ୍ଟା ପରେ ଶ୍ମଶାନକୁ ଆସୁଛି। ଯେଉଁମାନେ ଶ୍ମଶାନରେ ଶବଦାହ କରୁଛନ୍ତି, ସେମାନେ ବି ଶବଦାହ କରି କରି ବିରକ୍ତ ହୋଇଗଲେଣି। ଦୈନିକ ଏତେ ଶବ ପୋଡ଼ିବା ସେମାନଙ୍କ ପାଇଁ ଅସମ୍ଭବପର ହୋଇଥିଲେ ବି କର୍ମ ହିଁ ଭଗବାନ ଭାବି କାମ କରି ଚାଲିଛନ୍ତି।

ସତ୍ୟନଗର ଶ୍ମଶାନକୁ ଶବ ସତ୍କାର ପାଇଁ ଯାଇଥିବା ଜଣେ ବ୍ୟକ୍ତିଙ୍କ କହିବାନୁଯାୟୀ, ଶ୍ମଶାନରେ ଶବଦାହ ପାଇଁ ବହୁତ ସମୟ ଅପେକ୍ଷା କରିବାକୁ ପଡ଼ୁଛି। ହସ୍ପିଟାଲରେ ମୃତ୍ୟୁ ଘୋଷଣା ହେବାର ୧୨ରୁ ୧୫ଘଣ୍ଟା ପରେ ଏଠାକୁ ଶବ ଆସୁଛି। ଏଠାରେ ବି ଦୁଇରୁ ତିନି ଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଛି। ଏଠାରେ ଟିକେ ପିଇବା ପାଣି ମିଳୁନି କି ବସିବାକୁ ଜାଗା ନାହିଁ। ଲୋକଙ୍କ ମଧ୍ୟରେ କିପରି ସାମାଜିକ ଦୂରତା ରହିବ, ସେ ବ୍ୟବସ୍ଥା ବି ନାହିଁ। ଏଠାରେ ଯେଉଁ ସ୍ଥିତି ଉପୁଜୁଛି, ସେଥିରେ ଜଣେ ସୁସ୍ଥ ଲୋକ କରୋନା ଆକ୍ରାନ୍ତ ହୋଇଯିବ। ବିଏମ୍‌ସି ପକ୍ଷରୁ ସବୁ ପ୍ରକାରର ସୁବିଧା ସୁଯୋଗ ଥିଲେ ବି ଏହା ଟିକେ ବ୍ୟବସ୍ଥିତ ହେବା ଦରକାର।

ବିଏମ୍‌ସିର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ସତ୍ୟନଗର ଶ୍ମଶାନରେ ଅଧିକ ଚାପ ପଡ଼ୁଥିବାରୁ ଏହି ସମସ୍ୟା ଉପୁଜୁଛି। ଖୁବ୍‌ଶୀଘ୍ର ପଟିଆ ଶ୍ମଶାନ କାର୍ଯ୍ୟକାରୀ ହେବ। ଏହା ହୋଇଗଲେ ହସ୍ପିଟାଲରୁ ଶୀଘ୍ର ଶବ ଆସିବ ଓ ସମୟରେ ସତ୍କାର ହୋଇଯିବ। ଲୋକଙ୍କୁ ଅପେକ୍ଷା କରିବାକୁ ପଡ଼ିବନି। ଗୋଟିଏ ଶ୍ମଶାନରେ ସୀମିତ ଲୋକଙ୍କୁ ନେଇ ବହୁ ଶବ ସତ୍କାର କରାଯାଉଥିବାରୁ ଟିକେ ବିଳମ୍ବ ହେଉଛି।

ନୂଆ ରୂପ ପାଇବ ସତ୍ୟନଗର ଶ୍ମଶାନ
ସତ୍ୟନଗର ଶ୍ମଶାନକୁ ମୃତକଙ୍କ ସମ୍ପର୍କୀୟମାନେ ଆସୁଥିବାରୁ ସେମାନେ ବହୁତ ଅବସାଦରେ ରହୁଛନ୍ତି। ଶ୍ମଶାନର ସ୍ଥିତି ଦେଖି ସେମାନେ ଅଧିକ ଭୟଭୀତ ହୋଇଯାଉଛନ୍ତି। ଶବଦାହ ପାଇଁ ଅଧିକ ସମୟ ଲାଗୁ ଥିବାରୁ ଲୋକଙ୍କୁ ରାସ୍ତାକଡ଼ରେ ଅପେକ୍ଷା କରିବାକୁ ପଡ଼ୁଛି। ତେଣୁ ଆମେ ମଶାଣିକୁ ନୂଆ ରୂପ ଦେବାକୁ ଯାଉଛୁ ବୋଲି କହିଛନ୍ତି ବିଏମ୍‌ସିର ‌ଡେପୁଟି କମିସନର୍‌ ଶ୍ରୀମନ୍ତ ମିଶ୍ର। ଶବ ସତ୍କାର କରିବାକୁ ଆସୁଥିବା ଲୋକଙ୍କ ପାଇଁ ବସିବା ବ୍ୟବସ୍ଥା କରାଯିବ, ପିଇବା ପାଣି ଯୋଗାଇ ଦିଆଯିବ। କାନ୍ଥରେ ବିଭିନ୍ନ ପ୍ରକାରର ସକାରାତ୍ମକ ଚିତ୍ର ଅଙ୍କାଯିବା ସହ ବାର୍ତ୍ତା ଦିଆଯିବ। ବିଭିନ୍ନ ପ୍ରକାରର ଫୁଲ ଗଛ ଓ ଆଳଙ୍କାରିକ ଗଛ ଲାଗିବ। ଯେପରି ଶ୍ମଶାନକୁ ଆସୁଥିବା ଲୋକ ଅଧିକ ଚିନ୍ତାଗ୍ରସ୍ତ ହେବେନି, ସେ ବ୍ୟବସ୍ଥା କରୁଛୁ। କରୋନା ଆକ୍ରାନ୍ତଙ୍କ ଶବକୁ ବିଭିନ୍ନ ରାଜ୍ୟରେ ‌ଦେଖିବାକୁ ଦେଉନାହାନ୍ତି। କିନ୍ତୁ ଆମେ ଲୋକଙ୍କ ଭାବାବେଗକୁ ସମ୍ମାନ ଦେଖାଇ ପିପିଇ କିଟ୍ ପିନ୍ଧି ମୁଖାଗ୍ନି ଦେବା ସହ ଶେଷ ଦର୍ଶନ କରିବା ବ୍ୟବସ୍ଥା କରୁଛୁ। ଯେପରି ଲୋକଙ୍କର ଅବସୋସ ରହିବନି, ସେହିଭଳି ଆମେ ଶବ ସତ୍କାର କରୁଛୁ। ଯେଉଁମାନେ ପୂଜାର୍ଚ୍ଚନା କରିବାକୁ ଚାହୁଛନ୍ତି କିମ୍ବା ଅସ୍ଥି ନେବାକୁ ଚାହୁଛନ୍ତି, ସେଥିପାଇଁ ଆମେ ସବୁ ପ୍ରକାରର ସହଯୋଗ ଯୋଗାଇ ଦେଉଛୁ।

ସମ୍ବନ୍ଧିତ ଖବର