ଶ୍ବେତା ଆତ୍ମହତ୍ୟା ମାମଲା: ମୋବାଇଲ୍‌ ଓ ଲାପ୍‌ଟପ୍‌ରୁ ମିଳିବ ବ୍ଲାକ୍‌ମେଲ୍‌ ପ୍ରମାଣ

ଚନ୍ଦ୍ରଶେଖରପୁର : ସଫ୍ଟୱେର ଇଂଜିନିୟର ଶ୍ବେତା ଉତ୍କଳ କୁମାରୀଙ୍କ ଆତ୍ମହତ୍ୟା ଘଟଣା ପଛର ରହସ୍ୟ ଉପରୁ ପର୍ଦ୍ଦା ହଟାଇବା ପାଇଁ ପୁଲିସକୁ ନାକେଦମ ହେବାକୁ ପଡ଼ୁଛି। ଶ୍ବେତାଙ୍କ ବୟଫ୍ରେଣ୍ଡ ଇଂଜିନିୟର ସୌମ୍ୟଜିତ୍‌ ତାଙ୍କୁ କିଭଳି ବ୍ଲାକ୍‌ମେଲ୍‌ କରି ମାନସିକ ନିର୍ଯାତନା ଦେଉଥିଲେ, ସେସବୁର ବଳିଷ୍ଠ ପ୍ରମାଣ ଯୋଗାଡ଼ କରିବାରେ କମିଶନରେଟ୍ ପୁଲିସ୍ ଲାଗିପଡ଼ିଥିଲେ ବି ଏପର୍ଯ୍ୟନ୍ତ ସେସବୁ ମିଳିନାହିଁ। ପୁଲିସ ଶ୍ବେତାଙ୍କ ମୋବାଇଲ୍‌ ଫୋନ୍‌ ଓ ଲାପଟପ୍‌ରୁ କିଛି ତଥ୍ୟ ଯୋଗାଡ଼ କରିବା ସହ ତାଙ୍କ ସହକର୍ମୀ ତଥା ବାନ୍ଧବୀମାନଙ୍କୁ ପଚରାଉଚରା ଚଳାଇଛି। ଆଜି ଏସିପି ରମେଶ ଚନ୍ଦ୍ର ବିଶୋୟୀ ଓ ଚନ୍ଦ୍ରଶେଖରପୁର ଥାନା ଆଇଆଇସି ପ୍ରକାଶ ଚନ୍ଦ୍ର ମାଝୀ ‌ଶ୍ବେତାଙ୍କ ୪ଜଣ ସାଙ୍ଗଙ୍କୁ ପଚରାଉଚରା କରିଛନ୍ତି। କିନ୍ତୁ ସୌମ୍ୟଜିତ୍‌ଙ୍କୁ ଜେରା କରିପାରିନାହିଁ।

ଡିସିପି ପ୍ରତୀକ ସିଂଙ୍କ ସୂଚନାନୁସାରେ ସୌମ୍ୟଜିତ୍‌ଙ୍କୁ ଖୁବ୍‌ ଶୀଘ୍ର ଜେରା କରାଯିବ। ତାଙ୍କ ବାପା ଓ ତାଙ୍କ ଓକିଲ ଏବେ ବି ପୁଲିସ ସହ ଯୋଗାଯୋଗରେ ଅଛନ୍ତି। ଗିରଫଦାରୀ ଭୟରେ ସୌମ୍ୟଜିତ୍‌ ହାଇକୋର୍ଟରେ ଆଗୁଆ ଜାମିନ୍‌ ପାଇଁ ଆବେଦନ କରିଥିଲେ ବି ତାଙ୍କୁ ଜେରା କରାଯିବ। ତାଙ୍କ ବିରୋଧରେ ପ୍ରମାଣ ମିଳିଲେ, ତାଙ୍କୁ ନିଶ୍ଚୟ ଗିରଫ କରାଯିବ। ତେବେ ଯଥେଷ୍ଟ ପ୍ରମାଣ ଯୋଗାଡ଼ କରିବାକୁ ପଡ଼ିବ ଓ ଏଥିପାଇଁ ତଦନ୍ତ ଅଧିକାରୀ ଲାଗିଛନ୍ତି ବୋଲି ସେ କହିଛନ୍ତି। ଏଭଳି ମାମଲାର ତଦନ୍ତ ପାଇଁ ଅଧିକ ମାତ୍ରାରେ ବୈଷୟିକ ଜ୍ଞାନକୌଶଳ ଉପରେ ନିର୍ଭର କରିବାକୁ ପଡ଼ୁଥିବାରୁ, ତଦନ୍ତ ଅଧିକାରୀମାନଙ୍କୁ ବେଶ୍ ସତର୍କତାର ସହ ଆଗକୁ ଯିବାକୁ ପଡ଼ୁଛି। ତେବେ ଯଥାଶୀଘ୍ର ମାମଲାର ତଦନ୍ତ ଶେଷ ପାଇଁ ପୁଲିସ ତତ୍ପରତାର ସହ କାମ କରୁଛି ବୋଲି ସେ ସୂଚନା ଦେଇଛନ୍ତି।

ଜିତ୍‌, ପ୍ଲିଜ୍‌ କୋ-ଅପରେଟ୍‌ ମି
ଶ୍ବେତାଙ୍କ ମୋବାଇଲ୍‌ ଫୋନ୍‌ ସେଟ୍‌ ଓ ଲାପ୍‌ଟପ୍‌ରୁ ମିଳିଥିବା କିଛି ଚାଟିଂକୁ ନେଇ ଜୋର୍‌ଦାର ଚର୍ଚ୍ଚା ଚାଲିଛି। ‘ଜିତ୍‌ ପ୍ଲିଜ୍‌ କୋ-ଅପରେଟ୍‌ ମି’ ବୋଲି ଶ୍ବେତାଙ୍କ ଏକ ଚାଟିଂ ପୁଲିସକୁ ମିଳିଥିବା ଜଣାପଡ଼ିଛି। ଶ୍ବେତାଙ୍କ ‘ଜିତ୍‌’ ସମ୍ବୋଧନ ସେମାନଙ୍କ ଭିତରେ ଥିବା ନିବିଡ଼ତାକୁ ଦର୍ଶାଉଥିବା ବେଳେ କୋ-ଅପରେଟ୍‌ କରିବାକୁ ସେ ନିବେଦନ କରୁଥିବା ପ୍ରସଙ୍ଗ ସନ୍ଦେହ ବଢ଼ା‌ଉଛି। କ’ଣ ପାଇଁ ଶ୍ବେତା ତାଙ୍କୁ ଏଭଳି ମେସେଜ୍‌ କରୁଥିଲେ? କି ପରିସ୍ଥିତିକୁ ନେଇ ଶ୍ବେତା ଏଭଳି କହିଛନ୍ତି? ଏସବୁର ଉତ୍ତର ଅବଶ୍ୟ ପୁଲିସ ପାଇସାରିଛି। କାରଣ ଏହି ମେସେଜ୍‌ର ପୂର୍ବବର୍ତ୍ତୀ ଓ ପରବର୍ତ୍ତୀ ପଙ୍‌କ୍ତି ସବୁ ପୁଲିସ ହାତରେ ଲାଗିସାରିଛି। ତେବେ ଏଥିରୁ ସ୍ପଷ୍ଟ ଅନୁମେୟ ଯେ ଶ୍ବେତା କୌଣସି ଅସୁବିଧାରେ ପଡ଼ିଥିବା ବେଳେ ସୌମ୍ୟଙ୍କ ସହଯୋଗ ଲୋଡ଼ୁଛନ୍ତି। ସେହି ସମସ୍ୟାଟି କ’ଣ ଓ ତାହା ସୌମ୍ୟଙ୍କ ତରଫରୁ ହୋଇଛି କି ନାହିଁ, ତାହା ଉପରେ ତଦନ୍ତ ଅଧିକାରୀ ଖୋଳତାଡ୍‌ କରୁଥିବା ଜଣାପଡ଼ୁଛି।

ମାମା, ପ୍ଲିଜ୍ ତାଙ୍କୁ ବୁଝାଅ
ସେମିତି ଆଉ ଏକ ପଙ୍‌କ୍ତି ହେଉଛି ‘ ମାମା, ପ୍ଲିଜ୍‌ ତାଙ୍କୁ ବୁଝାଅ’। ଏହା ହେଉଛି ଶ୍ବେତା ଓ ସୌମ୍ୟଜିତ୍‌ଙ୍କ ମା’ଙ୍କ ମଧ୍ୟରେ ହୋଇଥିବା ଚାଟିଂର ଏକ ଅଂଶ। ‌ଶ୍ବେତାଙ୍କ ଏହି କଥାରୁ ସ୍ପଷ୍ଟ ଯେ ତାଙ୍କର କୌଣସି ଏକ ପ୍ରସ୍ତାବକୁ ସୌମ୍ୟଜିତ୍‌ ଗ୍ରହଣ କରୁନଥିଲେ। ଏମିତିକି ଶ୍ବେତା କୌଣସି ପ୍ରସଙ୍ଗରେ ସୌମ୍ୟଙ୍କୁ ବୁଝା‌ଇବାକୁ ଯାଇ ବିଫଳ ହେବା ପରେ ତାଙ୍କ ମା’ଙ୍କ ସହଯୋଗ ଖୋଜିଥିଲେ। ସୌମ୍ୟଙ୍କ ଦ୍ବାରା ବାରମ୍ବାର ବ୍ଲାକ୍‌ମେଲ୍‌ର ଶିକାର ହୋଇ ଶ୍ବେତା ଏଭଳି ଅନୁରୋଧ କରିଛନ୍ତି କି? କାରଣ ଶ୍ବେତାଙ୍କ ବାପା ପ୍ରଥମରୁ ଅଭିଯୋଗ କରିଛନ୍ତି ଯେ ସୌମ୍ୟ ତାଙ୍କ ଝିଅକୁ ବ୍ଲାକ୍‌ମେଲ୍‌ କରୁଥିଲା। ଅବଶ୍ୟ ଏହି ବାର୍ତ୍ତାଳାପ ବାବଦରେ ପୁଲିସ ସବୁ ତଥ୍ୟ ପାଇସାରିଛି ବୋଲି କୁହାଯାଉଛି। ତେବେ ଏସବୁକୁ ନେଇ ପୁଲିସ କେବେ ସୌମ୍ୟଙ୍କୁ ଜେରା କରୁଛି ଓ ଜେରାରୁ କି ସଫଳତା ମିଳୁଛି, ତାହା ଦେଖିବାକୁ ବାକି ରହିଛି। ସେହିଭଳି ଆଗୁଆ ଜାମିନ୍‌ ପାଇଁ ସୌମ୍ୟ କରିଥିବା ଆବେଦନ ଉପରେ ହାଇକୋର୍ଟଙ୍କ ରାୟ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧିତ ଖବର