ଭୁବନେଶ୍ବର/ଚନ୍ଦ୍ରଶେଖରପୁର : ସଫ୍ଟୱେର୍ ଇଂଜିନିୟର ଶ୍ବେତା ଉତ୍କଳ କୁମାରୀଙ୍କ ଆତ୍ମହତ୍ୟା ଘଟଣା ଦିନକୁ ଦିନ ରହସ୍ୟମୟ ହୋଇପଡ଼ୁଛି। ତାଙ୍କ ପୁରୁଷବନ୍ଧୁ ସୌମ୍ୟଜିତ୍ ମହାପାତ୍ର ଆଜି ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିବା ପରେ ମାମଲା ଅଧିକ ଚର୍ଚ୍ଚିତ ହୋଇପଡ଼ିଛି। ପୁଲିସକୁ ତଦନ୍ତରେ ସବୁ ପ୍ରକାର ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇ ଥାନାରୁ ଯିବା ପରେ ସୌମ୍ୟଜିତ୍ ଗିରଫଦାରୀ ଏଡ଼ାଇବାକୁ ଏହି ପଦକ୍ଷେପ ନେଇଥିବାରୁ ତାଙ୍କ ଉପରେ ସନ୍ଦେହ ବୃଦ୍ଧି ପାଇଛି। ସେହିଭଳି ଶ୍ବେତାଙ୍କ ମୋବାଇଲ୍ରୁ ମିଳିଥିବା ଏକ ମେସେଞ୍ଜର ଚାଟିଂରୁ ତାଙ୍କୁ ସୌମ୍ୟଜିତ୍ ବ୍ଲାକ୍ମେଲ କରୁଥିଲେ ବୋଲି ଚର୍ଚ୍ଚା ହେଉଛି। ଏମିତିକି ଶ୍ବେତାଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତର କିଛି ଭିଡିଓ ସୌମ୍ୟଜିତ୍ଙ୍କ ପାଖରେ ଥିଲା ଓ ଏହାକୁ ନେଇ ଶ୍ବେତା ଚିନ୍ତିତ ଥିଲେ ବୋଲି ମଧ୍ୟ ପୁଲିସ ତଦନ୍ତରୁ ଜାଣିବାକୁ ପାଇଥିବା କୁହାଯାଉଛି। ଏସବୁ ଭିତରେ ଆଜି ଶ୍ବେତାଙ୍କ ବାପା ଭୁବନେଶ୍ବର ଡିସିପିଙ୍କ ଦ୍ବାରସ୍ଥ ହୋଇ ଉପଯୁକ୍ତ ତଦନ୍ତ ପାଇଁ ନିବେଦନ କରିଛନ୍ତି।
ସୂଚନାଯୋଗ୍ୟ ଯେ ଶ୍ବେତାଙ୍କ ଆତ୍ମହତ୍ୟାକୁ ଏହା ଭିତରେ ୮ଦିନ ବିତିଯାଇଛି। ଏହି ମାମଲା ପଛରେ ରହିଥିବା କାରଣକୁ ନେଇ ପ୍ରତିଦିନ ନୂଆ ନୂଆ କଥା ସାମ୍ନାକୁ ଆସୁଛି। ତେବେ ମୁଖ୍ୟ ପ୍ରସଙ୍ଗ ହେଉଛି ସୌମ୍ୟ ଓ ଶ୍ବେତାଙ୍କ ମଧ୍ୟରେ ଥିବା ପ୍ରେମ ସମ୍ପର୍କରେ ସୃଷ୍ଟି ହୋଇଥିବା ଫାଟ। ଭୁବନେଶ୍ବରରେ ଲିଭ୍-ଇନ୍ରେ ରହିବା ପରେ ବିବାହକୁ ନେଇ ସେମାନଙ୍କ ଭିତରେ ବିବାଦ ସୃଷ୍ଟି ହୋଇଥିଲା। ଶ୍ବେତାଙ୍କ ବାପାଙ୍କ ଅଭିଯୋଗ ଅନୁସାରେ ସୌମ୍ୟଙ୍କ ପରିବାର ପକ୍ଷରୁ ୩୦ ଲକ୍ଷ ଟଙ୍କା ଦାବି କରାଯାଇଥିଲା। ତେଣୁ ସେମାନଙ୍କ ବିବାହ ବିବାଦୀୟ ସ୍ଥିତିରେ ଅଟକି ରହିଥିଲା। ଲକ୍ଡାଉନ୍ ସମୟରେ ସୌମ୍ୟ ଭୁବନେଶ୍ବରରୁ ଚାକିରି ଛାଡ଼ି ସମ୍ବଲପୁର ପଳାଇଥିଲେ ଓ ସେବେଠୁ ସେମାନଙ୍କ ଭିତରେ ବ୍ରେକ୍ଅପ୍ ହେବା ଭଳି ସ୍ଥିତି ଆସିଯାଇଥିଲା। କିନ୍ତୁ ସୌମ୍ୟ ମନ୍ଦ ଉଦ୍ଦେଶ୍ୟ ରଖି ଶ୍ବେତାଙ୍କୁ ବ୍ଲାକ୍ମେଲ କରୁଥିଲେ। ସେ ପୁଣି ଭୁବନେଶ୍ବର ଆସି ଏମ୍ବିଏ ପଢ଼ୁଥିଲେ ଓ ଟଙ୍କା ପାଇଁ ଶ୍ବେତାଙ୍କୁ ବ୍ଲାକ୍ମେଲ କରୁଥିଲେ। ଏକ ଭାଇରାଲ୍ ଅଡିଓରୁ ମିଳିଥିବା ତଥ୍ୟାନୁସାରେ ସୌମ୍ୟ ଗତ ୨ ବର୍ଷ ହେଲା ଶ୍ବେତାଙ୍କଠାରୁ ପଇସା ନେଇ ଅୟସ କରୁଥିଲେ। ଶ୍ବେତା ଏସବୁ ନେଇ ସୌମ୍ୟଙ୍କ ମା’ଙ୍କୁ ବି ଜଣାଇଥିବା ତାଙ୍କ ମୋବାଇଲ୍ରୁ ମିଳିଥିବା ଚାଟିଂରୁ ଜଣାପଡ଼ିଛି। ଏହା ଭିତରେ ପ୍ରୀତିଶ ନାୟକ ନାମକ ଜଣେ ଯୁବକ ଚାଞ୍ଚଲ୍ୟକର କଥା ଉଠାଇଛନ୍ତି। ସେ କହିଛନ୍ତି ଯେ ବିବାହ ନକରି ସୌମ୍ୟ ଶ୍ବେତାଙ୍କ ସହ ସମ୍ପର୍କ ରଖିବାକୁ କହୁଥିଲେ। କିନ୍ତୁ ଶ୍ବେତା ବିବାହ କରିବାକୁ ଅଡ଼ି ବସିଥିଲେ। ଏହା ଭିତରେ ସୌମ୍ୟ ଅନ୍ୟ ଯୁବତୀଙ୍କ ସହ ସମ୍ପର୍କରେ ଥିବା ନେଇ ଶ୍ବେତା ଜାଣିବା ପରେ ଅଧିକ ଭାଙ୍ଗି ପଡ଼ିଥିଲେ ବୋଲି ପ୍ରୀତିଶ କହିଛନ୍ତି। ବଡ଼ କଥା ହେଉଛି ସୌମ୍ୟ ପାଖରେ ଥିବା କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓକୁ ନେଇ ଶ୍ବେତା ବେଶି ଭୟଭୀତ ଥିଲେ ବୋଲି ପ୍ରୀତିଶ କହିଛନ୍ତି। ତେଣୁ ଏତେ ସବୁ କଥା ପଦାକୁ ଆସିବା ପରେ ଧୀରେଧୀରେ ସ୍ପଷ୍ଟ ହେଉଛି ଯେ ଶ୍ବେତା ପ୍ରତାରଣାର ଶିକାର ହୋଇ ଘୋର ମାନସିକ ଅବସାଦ ଭିତରେ ଥିଲେ ଓ ମୁକୁଳିବା ବାଟ ନପାଇ ଶେଷରେ ଆତ୍ମହତ୍ୟା କରିଛନ୍ତି।
ସୂଚନାଯୋଗ୍ୟ ଯେ ଶ୍ବେତା ଆତ୍ମହତ୍ୟା କରିବା ପୂର୍ବରୁ ସୌମ୍ୟଙ୍କୁ ବାରମ୍ବାର କଲ୍ କରିଥିଲେ। କିନ୍ତୁ ସୌମ୍ୟ ତାଙ୍କ ଫୋନ୍ କଲ୍ ରିସିଭ୍ କରିନଥିଲେ। ପରଦିନ ପୁଲିସ ତାଙ୍କୁ ଥାନାରେ ପଚରାଉଚରା କରିବା ବେଳେ ସେ ନିଜର ମାନସିକ ସ୍ଥିତି ଭଲ ନଥିବା କହିଥିଲେ। ଏତିକିବେଳେ ତାଙ୍କ ବାପା ଫୋନ୍ କରି ପୁଲିସକୁ ତଦନ୍ତରେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇ ସୌମ୍ୟକୁ କିଛି ଦିନ ପାଇଁ ଛାଡ଼ିବାକୁ କହିଥିଲେ। ପୁଲିସ ତାଙ୍କ କଥାରେ ସୌମ୍ୟଙ୍କୁ ଛାଡ଼ିଥିଲା। ଏବେ ପୁଣି ଥରେ ତାଙ୍କୁ ପୁଲିସ ଜେରା କରିବା ପୂର୍ବରୁ ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟ ଯାଇଛନ୍ତି।