ରାଜଭବନରେ ପହଞ୍ଚିଲା ଉତ୍ତର ଓଡ଼ିଶା ପର୍ଯ୍ୟଟନ ବିକାଶ ପରିଷଦର ସ୍ବାଭିମାନ ପଦଯାତ୍ରା

ରାସଗୋବିନ୍ଦପୁର ଏୟାରଷ୍ଟ୍ରିପ୍‌ ତୁରନ୍ତ କାର୍ଯ୍ୟକ୍ଷମ ଦାବି

ଭୁବନେଶ୍ବର: ଅମର୍ଦା ରୋଡ୍‌ ରାସଗୋବିନ୍ଦପୁର ଏୟାରଷ୍ଟ୍ରିପ୍‌ କାର୍ଯ୍ୟକ୍ଷମ କରିବା ଦାବିରେ ଉତ୍ତର ଓଡ଼ିଶା ପର୍ଯ୍ୟଟନ ବିକାଶ ପରିଷଦ ପକ୍ଷରୁ ରାସଗୋବିନ୍ଦପୁରରୁ ବାହାରିଥିବା ସ୍ବାଭିମାନ ପଦଯାତ୍ରା ଆଜି ରାଜଭବନ ନିକଟରେ ପହଞ୍ଚିଛି। ପରିଷଦର କାର୍ଯ୍ୟକାରୀ ସଭାପତି ଅରିଜିତ୍‌ ଘୋଷାଲଙ୍କ ନେତୃତ୍ବରେ ଅକ୍ଟୋବର ୨୬ ତାରିଖରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ୬ଟି ଜିଲ୍ଲା ଅତିକ୍ରମ କରି ଆଜି ଭୁବନେଶ୍ବରରେ ପହଞ୍ଚିଥିଲା। ଏହି ଅବସରରେ ପରିଷଦର ଏକ ପ୍ରତିନିଧିଦଳ ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବ ହିମାଂଶୁ ପଟ୍ଟନାୟକଙ୍କୁ ପ୍ରଦାନ କରିଛନ୍ତି। ଏ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ସମର୍ଥନ ପାଇଁ ପରିଷଦ ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଭେଟି ଆଲୋଚନା ମଧ୍ୟ କରିଛି। ଅନୁଷ୍ଠାନ ଯୁକ୍ତି ବାଢ଼ିଛି ଯେ ଏହି ଐତିହାସିକ ଏୟାରଷ୍ଟ୍ରିପ୍‌ କାର୍ଯ୍ୟକ୍ଷମ ହେଲେ, ସ୍ଥାନୀୟ ଅଞ୍ଚଳବାସୀଙ୍କ ସହ ସମଗ୍ର ଉତ୍ତର ଓଡ଼ିଶାର ବିକାଶ ହେବ।

ସୂଚନାଯୋଗ୍ୟ, ୧୯୪୦ ମସିହା‌ରେ, ବିଶ୍ବଯୁଦ୍ଧ ସମୟରେ ପାଖାପାଖି ୬୦୦ ଏକର ଜାଗାରେ ଅମର୍ଦା ଏୟାରଷ୍ଟ୍ରିପ୍‌ ନିର୍ମାଣ କରାଯାଇଥିଲା। ବାଲେଶ୍ବର ଓ ମୟୂରଭଞ୍ଜ ସୀମାରେ ଥିବା ଏହି ଏୟାରଷ୍ଟ୍ରିପ୍‌ଠାରୁ ମାତ୍ର ୧୦କିମି ଦୂରରେ ରହିଛି ଅର୍ମଦା ରୋଡ୍‌ ରେଳଷ୍ଟେସନ୍‌ ଓ ଏହା ୬୦ ନମ୍ବର ରାଜପଥକୁ ମଧ୍ୟ ସଂଯୋଗ କରୁଛି। ତେଣୁ ଗମନାଗମନ ଦୃଷ୍ଟିକୋଣରୁ ଏହା ଉତ୍ତର ଓଡ଼ିଶାର ଏକ କେନ୍ଦ୍ରସ୍ଥଳ ବୋଲି ଅନୁଷ୍ଠାନ ପକ୍ଷରୁ ଦାବି କରାଯାଇଛି। ଏହି ପଦଯାତ୍ରାକୁ ଉତ୍ତର ଓଡ଼ିଶା ସାମାଜିକ ଓ ସାଂସ୍କୃତିକ ସଂଗଠନ(ନୋସାକା) ପକ୍ଷରୁ ସମର୍ଥନ ଜଣାଯାଇଛି।

ଆଜିର ଏହି କାର୍ଯ୍ୟକ୍ରମରେ ନୋସାକାର ଅଧ୍ୟକ୍ଷ ଗୌତମବୁଦ୍ଧ ଦାସ, ଉପାଧ୍ୟକ୍ଷ ରାମଜୀବନ ଗୋଚ୍ଛାୟତ, ଭଏସ୍‌ ଅଫ୍‌ ବାଲେଶ୍ୱରର ସ୍ମୃତିତୀର୍ଥ ମହାନ୍ତି, ବନମାଳୀ ବେହେରା, ଗୌତମ ସେଠୀ, ବଳରାମ ଦାସ, ସରୋଜ କୁମାର ସାହୁ, ତପନ କୁମାର ସିଂ, ତାପସ ସାମଲ, ସୁଶାନ୍ତ ସାହୁ, ଅଜୟ ଦାସ, ସୁଶୀଲ ଜେନା, ଶୁଭଦୀପ ଚକ୍ରବର୍ତ୍ତୀ, ଦୀପକ ମିଶ୍ର, ରୂପେଶ କୁମାର ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର