ମିଠା ଲଢ଼େଇର ମଧୁର ଅନ୍ତ, ପ୍ରମାଣ ଦେଲେ ଗବେଷକ ଅସିତ ମହାନ୍ତି

ଭୁବନେଶ୍ବର: ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ରସଗୋଲାକୁ ନେଇ ୪ବର୍ଷ ତଳେ ଲଢ଼େଇ ଆରମ୍ଭ ହୋଇଥିଲା। ରସଗୋଲା କାହାର? ଓଡ଼ିଶାର ନା ବଙ୍ଗଳାର? ଏ ବିତର୍କ ଗଣମାଧ୍ୟମଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ମଧ୍ୟରେ ଆଲୋଚନାର ବିଷୟ ପାଲଟିଥିଲା। ପରେ ଉଭୟ ରାଜ୍ୟ ସରକାର ଏହି ଲଢ଼େଇକୁ ଲମ୍ଫ ଦେଇଥିଲେ। ପଶ୍ଚିମବଙ୍ଗ ସରକାର ରସଗୋଲାର ଉତ୍ପତ୍ତି ବଙ୍ଗଳାରେ ହୋଇଥିବା ଦର୍ଶାଇ ଏହାକୁ ଜିଆଇ ଟ୍ୟାଗ୍ ଦେବା ଲାଗି ତୁରନ୍ତ କାଗଜପତ୍ର ପ୍ରସ୍ତୁତ କରିବା ଆରମ୍ଭ କରିଥିଲେ। ଅପରପକ୍ଷରେ ରସଗୋଲାକୁ ଜିଆଇ ମାନ୍ୟତା ଦେବାରେ ରାଜ୍ୟ ସରକାର ପଛରେ ପଡ଼ିବାକୁ ନେଇ ଓଡ଼ିଶାର ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଥିଲା। ବିଶେଷକରି ଶ୍ରୀଜଗନ୍ନାଥଙ୍କ ସଂପର୍କରେ ଗବେଷଣା କରୁଥିବା ଗବେଷକଙ୍କଠାରୁ ଆରମ୍ଭ କରି ବୁଦ୍ଧିଜୀବୀ ମହଲରେ ଏହାକୁ ନେଇ ଜୋରଦାର ସମାଲୋଚନା କରାଯାଇଥିଲା। ଶ୍ରୀଜଗନ୍ନାଥ ଗବେଷକ ଅସିତ ମହାନ୍ତି ରସଗୋଲା ସଂପର୍କିତ ସମସ୍ତ ତଥ୍ୟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବା ପରେ ମଧ୍ୟ ସରକାରଙ୍କ ନିଦ ଭାଙ୍ଗି ନଥିଲା। ପରେ ରାଜ୍ୟ ସରକାର ରସଗୋଲା ସଂପର୍କିତ ତଥ୍ୟ ସଂଗ୍ରହ ପାଇଁ ଏକ କମିଟି ଗଠନ କରିଥିଲେ। ଶେଷରେ ଗତବର୍ଷ ଫେବ୍ରୁଆରି ମାସରେ ଜିଆଇ ଟ୍ୟାଗ୍ ପାଇଁ ଆବେଦନ ହୋଇଥିଲା। ଏହି ସମସ୍ତ ଘଟଣା ପଛର କାହାଣୀକୁ ନେଇ ‘ସମ୍ବାଦ’ର ସ୍ବତନ୍ତ୍ର ଉପସ୍ଥାପନା….

ତଥ୍ୟ ସଂଗ୍ରହ ପାଇଁ ସରକାରଙ୍କ କମିଟି ଗଠନ
ବିବାଦ ତୀବ୍ର ହେବା ପରେ ରସଗୋଲା ସଂପର୍କିତ ଅଧିକ ତଥ୍ୟ ସଂଗ୍ରହ ପାଇଁ ରାଜ୍ୟ ସରକାର ୨୦୧୬ ମସିହା ଏପ୍ରିଲ ମାସରେ ଏକ ବୈଷୟିକ କମିଟି ଗଠନ କରିଥିଲେ। ଏଥିରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଓ ଏମ୍‌ଏସ୍‌ଏମ୍‌ଇ ବିଭାଗର ପ୍ରତିନିଧି ଏବଂ ଗବେଷକ ଓ ରସଗୋଲା ବ୍ୟବସାୟୀମାନେ ସଦସ୍ୟ ରହିଥିଲେ। ଏହି କମିଟି ପୁରୀ ମନ୍ଦିର ଗସ୍ତ କରିବା ସହିତ ମାଦଳା ପାଞ୍ଜିରୁ ତଥ୍ୟ ସଂଗ୍ରହ କରିଥିଲେ। ଏପରିକି ଗବେଷକମାନେ ଏ ସଂପର୍କିତ ତଥ୍ୟ ପ୍ରଦାନ କରିବା ପାଇଁ ସରକାର ଆହ୍ବାନ କରିଥିଲେ। ମାତ୍ର ଏହି କମିଟିର କୌଣସି ବୈଠକ ନ ଡକାଇ ଗଣମାଧ୍ୟମ ସମ୍ମୁଖରେ ହାତ ଟେକି ଦେଇଥିଲେ। କହିଥିଲେ, ରସ‌ଗୋଲା ନେଇ କୌଣସି ତଥ୍ୟ ସରକାରଙ୍କ ପାଖରେ ନାହିଁ। ଯାହାକି ରସଗୋଲାପ୍ରେମୀଙ୍କୁ ଦୁଃଖିତ କରିଥିଲା।

ଚର୍ଚାକୁ ଆଣିଥିଲା ‘ସମ୍ବାଦ’
ଡ. ଅନିତା ସାବତ ସାମାଜିକ ଗଣମାଧ୍ୟମରେ ଏ ବାବଦରେ ପ୍ରଥମେ ଅଭିଯାନ ଆରମ୍ଭ କରିଥିଲେ। ପରେ ‘ସମ୍ବାଦ’ ରସଗୋଲା ଦିବସକୁ ଚର୍ଚାକୁ ଆଣିଥିଲା। ୨୦୧୫ ମସିହାରେ ପ୍ରଥମେ ‘ସମ୍ବାଦ’ ପକ୍ଷରୁ ଏଥିପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା। ଏଥିରେ ରେଡିଓ ଚକଲେଟ୍‌ ମଧ୍ୟ ସାମିଲ ହୋଇଥିଲା। ପାହାଳରେ ରସଗୋଲା ବ୍ୟବସାୟୀଙ୍କ ସହାୟତାରେ ଏହି ଦିବସ ପାଳିତ ହୋଇଥିଲା। ଏଥିରେ ରାଜଧାନୀର ବଛା ବଛା ମିଠାଦୋକାନୀ ନିଜର ରସଗୋଲା ପସରା ଖୋଲିଥି‌ଲେ। ଯାହାକି ରାଜ୍ୟରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଥିଲା। ଏଥିରେ ‘ସମ୍ବାଦ’ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ, ତତ୍କାଳୀନ ମେୟର ଅନନ୍ତ ନାରାୟଣ ଜେନା, ବିଧାୟକ ଶଶିଭୂଷଣ ବେହେରା, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ସାମିଲ ହୋଇଥିଲେ। ସେତେବେଳେ ରସଗୋଲାର ଜନ୍ମସ୍ଥାନ ଯେ ଓଡ଼ିଶାରେ ତାହା ପ୍ରତିପାଦିତ କରିବା ପାଇଁ ଗବେଷକ ଅସିତ ମହାନ୍ତି ‘ସମ୍ବାଦ’ ରବିବାର ସଂଖ୍ୟାରେ ଯୁକ୍ତି ସମ୍ବଳିତ ତଥ୍ୟ ଉପସ୍ଥାପନ କରିଥିଲେ। ପରେ ଏହାକୁ ନେଇ ସାମାଜିକ ଗଣମାଧ୍ୟମରେ ଜୋରଦାର ଅଭିଯାନ ଆରମ୍ଭ ହୋଇ ଯାଇଥିଲା। ଲୋକମାନେ ନିଜ ନିଜ ଢଙ୍ଗରେ ରସଗୋଲାକୁ ଜିଆଇ ମାନ୍ୟତା ଦାବି ନେଇ ସାମାଜିକ ଗଣମାଧ୍ୟମରେ ଉଦ୍ୟମ ଆରମ୍ଭ କରିଥିଲେ। ୨୦୧୫ରୁ ୨୦୧୯ ଗତ ୫ ବର୍ଷ ଧରି ନୀଳାଦ୍ରି ବିଜେ ଦିନ ରସଗୋଲା ଦିବସ ପାଳିତ ହୋଇ ଆସୁଛି।

ଗତବର୍ଷ ମାର୍ଚ ୧ ତାରିଖ ପବିତ୍ର ଦୋଳପୂର୍ଣ୍ଣିମା ଅବସରରେ ପୁରୀ ମୁଖ୍ୟ ଡାକଘରଠାରେ ଏକ ସ୍ବତନ୍ତ୍ର ଡାକ ଲଫାପା ଉନ୍ମୋଚିତ ହୋଇଥିଲା। ଏଥିରେ ଶ୍ରୀମନ୍ଦିରର ଛବି ସହିତ ରସଗୋଲା ଭୋଗର ଛବି ରହିଛି। ତିନି ରଥରେ ଥିବା ଠାକୁରମାନଙ୍କୁ ସର୍ପାମ‌ଣୋହି ବିଧିରେ ରସଗୋଲା ଅର୍ପଣ କରାଯାଉଥିବାର ମଧ୍ୟ ଛବି ରହିଛି। ରସଗୋଲା ହାଣ୍ଡି ସହିତ ଦେବୀ ଲକ୍ଷ୍ମୀଙ୍କ ମୁହଁ ଥାଇ ଏକ ସିଲ ମୋହର ମଧ୍ୟ ଦିଆଯାଇଛି। ଉଭୟ ହିନ୍ଦୀ ଓ ଇଂରାଜୀ ଭାଷାରେ ‘ଶ୍ରୀଜଗନ୍ନାଥଜୀ କେ ବ୍ୟଞ୍ଜନ ମେଁ ରସଗୋଲା’ ‘rasagola in srijagannathji’s cuisine’ ଉଲ୍ଲେଖ ରହିଛି। ପୁରୀର ‘ଶ୍ରୀକ୍ଷେତ୍ର ସାଙ୍ଗୀ’ ନାମକ ଅନୁଷ୍ଠାନ ପକ୍ଷରୁ ବିଶିଷ୍ଟ ପ୍ରକାଶକ ମହେନ୍ଦ୍ର ମିଶ୍ର ଏହାର ଉଦ୍ୟୋକ୍ତା ଥିଲେ। ଏହି ସ୍ବତନ୍ତ୍ର ଲଫାପା ଜାରି କରିବା ପାଇଁ ବିଧିବଦ୍ଧ ଭାବେ ପ୍ରସ୍ତାବ ଦିଆଯାଇଥିଲା। ଭୁବନେଶ୍ବରର ମୁଖ୍ୟ ମହାଡାକପାଳ ସନ୍ତୋଷ କୁମାର କାମିଲା ପ୍ରସ୍ତାବକୁ ଅନୁମୋଦନ କରିବା ସହିତ ଏହାର ଉନ୍ମୋଚନ କରିଥିଲେ। ବିଧି ଅନୁସାରେ ତା’ପୂର୍ବରୁ ଶ୍ରୀମନ୍ଦିରର ସିଂହଦ୍ବାରଠାରେ ଥିବା ଉପଡାକଘରରୁ ସେହି ଲଫାପାକୁ ବିଧିମତେ ପୁରୀ ମୁଖ୍ୟ ଡାକଘରକୁ ଅଣାଯାଇଥିଲା।

ସୋସିଆଲ ମିଡିଆରେ ଅନିତାଙ୍କ ଅଭିଯାନ ସଫଳ ହେଲା
ରସଗୋଲା ଦିବସକୁ ନେଇ ପ୍ରଥମେ ସାମାଜିକ ଗଣମାଧ୍ୟମରେ ପ୍ରଚାର ଆରମ୍ଭ କରିଥିଲେ ଅନିତା ସାବତ। ସେ ପ୍ରଥମେ ଶ୍ରୀଜଗନ୍ନାଥଙ୍କ ନୀଳାଦ୍ରିବିଜେ ଦିନ ରସଗୋଲା ଦିବସ ପାଳନ ଲାଗି ଜନମତ ସୃଷ୍ଟି କରିଥିଲେ। ସେ ଲେଖିଥିଲେ, ଯେମିତି ଜଣେ କୋଲକାତା ଗଲେ ପ୍ରଥମେ ରସଗୋଲା କିଣେ, ଓଡ଼ିଶାରେ କାହିଁକି ତାହା ନ ହେବ ? ରଥଯାତ୍ରା ପାଇଁ ଓଡ଼ିଶାକୁ ଲକ୍ଷାଧିକ ପର୍ଯ୍ୟଟକ ଆସୁଥିବା ବେଳେ ରସଗୋଲାର ପ୍ରଚାର ପାଇଁ ଏହା ଉପଯୁକ୍ତ ସମୟ। ସମସ୍ତେ ଏହି ଅଭିଯାନରେ ହାତ ବଢ଼ାନ୍ତୁ ବୋଲି ଅନିତା ସେ ସମୟରେ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଥିଲେ। ୨୦୧୫ ମସିହାରେ ‘ସମ୍ବାଦ’ ପକ୍ଷରୁ ବିଧିବଦ୍ଧ ଭାବେ ରସଗୋଲା ଦିବସ ପାଳନ ପରେ ଏହି ଅଭିଯାନ ଅଧିକ ଲୋକପ୍ରିୟ ହୋଇଥିଲା

ପ୍ରମାଣ ଦେଲେ ଗବେଷକ ଅସିତ ମହାନ୍ତି
ଓଡ଼ିଶା ରସଗୋଲାକୁ ଜିଆଇ ମାନ୍ୟତା ଦେବା ନିମନ୍ତେ ପ୍ରମାଣ ଖୋଜା ଆରମ୍ଭ ହୋଇଥିଲା। ଗବେଷକ ଅସିତ ମହାନ୍ତି ୨୦୧୬ ମସିହା ମେ’ମାସରେ ‘ଦାଣ୍ଡି ରାମାୟଣ’ରୁ ରସଗୋଲା ସଂପର୍କିତ ତଥ୍ୟ ହାସଲ କରିଥିଲେ, ଯାହାକି ପ୍ରଥମେ ‘ସମ୍ବାଦ’ରେ ପ୍ରକାଶ ପାଇଥିଲା। ପରେ ‌ସେହିବର୍ଷ ଜୁଲାଇ ୧୩ତାରିଖରେ ରାଜ୍ୟ ସରକାରଙ୍କୁ ଏହି ତଥ୍ୟ ସମ୍ବଳିତ ପ୍ରମାଣ ପ୍ରଦାନ କରିଥିଲେ। ଶ୍ରୀ ମହାନ୍ତି ଏଥିରେ ଦର୍ଶାଇଥିଲେ ଯେ ଓଡ଼ିଶାରେ ରସଗୋଲାର ଇତିହାସ ଅତିକମ୍‌ରେ ୫ଶହ ବର୍ଷ ପୁରୁଣା। ତାହା ତୁଳନାରେ ବଙ୍ଗଳାର ରସଗୋଲା ଦାବି ୧୮୬୮ ମସିହାର ଏବଂ ତାହା ମାତ୍ର ୧୫୦ ବର୍ଷ ପୁରୁଣା। ସାରଳା ଦାସଙ୍କ ମହାଭାରତ, ବଳରାମ ଦାସଙ୍କ ଦାଣ୍ଡି ରାମାୟଣ, ଅଭିମନ୍ୟୁ ସାମନ୍ତସିଂହାରଙ୍କ ବିଦଗ୍ଧ ଚିନ୍ତାମଣି, ବ୍ରଜନାଥ ବଡ଼ଜେନାଙ୍କ ଅମ୍ବିକା ବିଳାସ, ଉତ୍କଳ ଦୀପିକାର କାଲିକଟ ମହାମେଳା ସଂପର୍କିତ ‘ମେଳା ଦର୍ଶନ’ କବିତା, ଇନ୍ଦ୍ରଧନୁ ପତ୍ରିକାର ବାଲିଯାତ୍ରା କବିତା ସମେତ ଅନ୍ୟାନ୍ୟ ସାହିତ୍ୟକୃତିର ପ୍ରମାଣ ଦ୍ବାରା ଓଡ଼ିଶାରେ ପୂର୍ବରୁ ରସଗୋଲା ଥିବା ପ୍ରମାଣିତ ହୋଇଛି। ୧୯୨୪ରେ ପ୍ରକାଶିତ ବିଜୟ ଚନ୍ଦ୍ର ମଜୁମଦାରଙ୍କ ଟିପିକାଲ ସିଲେକସନ୍ ଫ୍ରମ୍ ଓଡ଼ିଆ ଲିଟ୍ରେଚରର ପ୍ରମାଣ ମଧ୍ୟ ଶ୍ରୀ ମହାନ୍ତି ପ୍ରଦାନ କରିଥିଲେ।

୧୦ବର୍ଷ ପାଇଁ ବୈଧତା ବଜାୟ ରହିବ
ଗତବର୍ଷ ଫେବ୍ରୁଆରି ୨୨ ତାରିଖରେ ଓଡ଼ିଶା ରସଗୋଲାକୁ ଜିଆଇ ମାନ୍ୟତା ପାଇଁ ଆବେଦନ ହୋଇଥିବା ବେଳେ ଏହି ତାରିଖରୁ ଆସନ୍ତା ୧୦ବର୍ଷ ପର୍ଯ୍ୟନ୍ତ ଅର୍ଥାତ୍ ୨୦୨୮ ମସିହା ପର୍ଯ୍ୟନ୍ତ ଏହି ବୈଧତା ବଜାୟ ରହିବ। ଏ ପର୍ଯ୍ୟନ୍ତ ଜିଆଇ କାର୍ଯ୍ୟାଳୟରୁ ୩ଶହରୁ ଅଧିକ ଭାରତୀୟ ଉତ୍ପାଦକୁ ଜିଆଇ ମାନ୍ୟତା ଦିଆଯାଇଥିବା ବେଳେ ଏଥିରେ ଓଡ଼ିଶାର ୧୭ଟି ଉତ୍ପାଦ ରହିଛି।

ଶ୍ରୀଜଗନ୍ନାଥ ରସଗୋଲା ନା ଓଡ଼ିଶା ରସଗୋଲା ନେଇ ଦ୍ବନ୍ଦ୍ବ
ବାଂଲାର ରସଗୋଲା ପାଇଁ ଜିଆଇ ମାନ୍ୟତା ମିଳିବା ପରେ ରାଜ୍ୟ ସରକାର କେଉଁ ନାଁରେ ଏହାକୁ ଆବେଦନ କରିବେ ସେଥିପାଇଁ ଦ୍ବନ୍ଦ୍ବରେ ପଡ଼ିଥିଲେ। ପ୍ରଥମେ ଏହାକୁ ‘ଶ୍ରୀଜଗନ୍ନାଥ ରସଗୋଲା’ ନାଁରେ ଆବେଦନ କରିବାକୁ ଚିନ୍ତା କରାଯାଇଥିଲା। କିନ୍ତୁ ପରିଶେଷରେ ଏହାକୁ ‘ଓଡ଼ିଶା ରସଗୋଲା’ ନାଁରେ ଆବେଦନ କରିବା ପାଇଁ ସ୍ଥିର ହେଲା। ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ଓ ଉତ୍କଳ ମିଷ୍ଟାନ୍ନ ବ୍ୟବସାୟୀ ସମିତି ଏହାର ଆବେଦକ ଥିଲେ। ଗତବର୍ଷ ଫେବ୍ରୁଆରି ୨୨ତାରିଖରେ ଚେନ୍ନାଇସ୍ଥିତ ଭୌଗୋଳିକ ସଂପତ୍ତି କାର୍ଯ୍ୟାଳୟରେ ଏହି ଆବେଦନ କରାଯାଇଥିଲା।

ସମ୍ବନ୍ଧିତ ଖବର