ମିଠା ବ୍ୟବସାୟୀ ହତ୍ୟା ମାମଲା : ବେପାର କମିବାରୁ ସୁପାରି ଦେଇ ହତ୍ୟା, ଆତ୍ମସମର୍ପଣ କଲା ଅଭିଯୁକ୍ତ

ଭୁବନେଶ୍ୱର : ରାଜଧାନୀରେ ଚର୍ଚ୍ଚିତ ମିଠା ବ୍ୟବସାୟୀ ଜମ୍ବୁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଆଜି ଏସ୍‌ଡିଜେଏମ୍‌ କୋର୍ଟରେ ଆତ୍ମସମର୍ପଣ କରିଛି। ବଳରାମ ସୁଇଟ୍ସ ମାଲିକ ପୁଅ ରାଜକୁମାର ବେହେରା କୋର୍ଟରେ ଆତ୍ମସମର୍ପଣ କରିବା ପରେ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ତେଣୁ ଶ୍ରୀଲିଙ୍ଗରାଜ ଥାନା ପୁଲିସ ଅଧିକ ତଦନ୍ତ ପାଇଁ ତାକୁ ୫ ଦିନିଆ ରିମାଣ୍ଡରେ ଆଣିବା ପାଇଁ ଆବେଦନ କରିଛି। ତେବେ ରାଜକୁମାର ସହ ଥିବା ଅନ୍ୟ ଜଣେ ଅଭିଯୁକ୍ତକୁ ଠାବ କରାଯାଇନାହିଁ। ରାଜକୁମାର ଉକ୍ତ ଯୁବକକୁ ସୁପାରି ଦେଇ ଜମ୍ବୁକୁ ହତ୍ୟା କରିଥିବା ଜଣାପଡ଼ିଛି।

ଆଜି ଏସ୍‌ଡିଜେଏମ୍‌ କୋର୍ଟରେ ରାଜକୁମାର ଆତ୍ମସମର୍ପଣ କରିବା ପରେ ଜମ୍ବୁ ହତ୍ୟାକାଣ୍ଡ ପଛରେ ଥିବା ରହସ୍ୟ ପଦାକୁ ଆସିଛି। ଜମ୍ବୁ ମିଠା ବେପାର ଆରମ୍ଭ କରିବା ପରେ ବଳରାମ ସୁଇଟ୍‌ସର ବେପାର ବେଶ୍ କମିଯାଇଥିଲା। ଜମ୍ବୁ ତାଙ୍କ ବେପାର ପାଇଁ କଣ୍ଟା ହୋଇଥିଲା। ବାରମ୍ବାର ମନା କରିବା ସତ୍ତ୍ବେ ଜମ୍ବୁ ମିଠା ବେପାର ବନ୍ଦ କରିନଥିଲା କି ପୁଣି ବଳରାମ ସୁଇଟ୍ସକୁ ଫେରିନଥିଲା। ତେଣୁ ତାକୁ ସବୁଦିନ ପାଇଁ ରାସ୍ତାରୁ ହଟାଇବାକୁ ରାଜକିଶୋର ଯୋଜନା କରିଥିଲା। ସୁପାରି କିଲର ନିୟୋଜିତ କରି ପୂରା ମୂଳରୁ ମାରିଦେବାକୁ ଯୋଜନା କରିଥିଲା ଓ ଦୁର୍ଦ୍ଦାନ୍ତ ସୁପାରି କିଲର୍‌ ଦ୍ବାରା ବିଚ୍ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ତାଙ୍କୁ ହତ୍ୟା କରାଯାଇଥିଲା। ଘଟଣାଦିନ ରାଜକିଶୋର ଉକ୍ତ ସୁପାରି କିଲର୍‌କୁ ବାଇକ୍‌ରେ ବସାଇ ଘଟଣାସ୍ଥଳକୁ ନେଇଥିଲା।

ସ୍ପେସାଲ୍‌ ସ୍କ୍ବାଡ୍‌ ରାଜକିଶୋରର ନିକଟବର୍ତ୍ତୀ ହୋଇ ସାରିଥିଲା। ତେବେ ତା’ ପୂର୍ବରୁ ସେ କୋର୍ଟରେ ଆତ୍ମସମର୍ପଣ କରିଛି। ଏହାକୁ ନେଇ ନାନା କଥା ଆଲୋଚନା ହେଉଛି। ପୁଲିସ ଏକ୍‌କାଉଣ୍ଟର କରିବା ଭୟରେ ସେ ଏହି ପଦକ୍ଷେପ ନେଇଥିବା କୁହାଯାଉଛି। ତେବେ ସବୁ ସତ ପ୍ରଘଟ ହେବା ପୂର୍ବରୁ ରାଜକିଶୋର ଆତ୍ମସମର୍ପଣ କରି ସୁପାରି କିଲର୍‌କୁ ବଞ୍ଚାଇବାକୁ ଯୋଜନା କରିଛି ବୋଲି ପୁଲିସ ଅନୁମାନ କରୁଛି। ମାତ୍ର ଖୁବ୍‌ ଶୀଘ୍ର ସୁପାରି କିଲର୍‌କୁ ଗିରଫ କରାଯିବ ବୋଲି ପୁଲିସ ସୂଚନା ଦେଇଛି।

ସମ୍ବନ୍ଧିତ ଖବର