ଭୁବନେଶ୍ବର: ପୂରା ରାଜ୍ୟରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ରାଜଧାନୀ ଭୁବନେଶ୍ବର ଏଥିରୁ ବା ବାଦ୍‌ ପଡ଼ନ୍ତା କେମିତି। ଆଜି ରାଜଧାନୀରେ ସର୍ବାଧିକ ୪୨.୨ ଡିଗ୍ରି ରେକର୍ଡ ହୋଇଛି। ପ୍ରଚଣ୍ଡ ତାତି ସାଙ୍ଗକୁ ଝାଞ୍ଜିମାଡ଼ ପୂରା ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ତେବେ ଏହାର ସିଧାସଳଖ ପ୍ରଭାବ ମିଠା ବ୍ୟବସାୟ ଉପରେ ପଡ଼ିଛି। ପାହାଳରେ ମିଠା ବ୍ୟବସାୟ ଗୁରୁତର ଭାବେ ପ୍ରଭାବିତ ହୋଇଛି। ବେପାର ଏକାବେଳକେ ୭୦ ପ୍ରତିଶତ ହ୍ରାସ ଘଟିଛି। ପୂର୍ବରୁ ଜଣେ ବ୍ୟବସାୟୀ ଅନ୍ୟୁନ ୫୦ ହଜାର ଟଙ୍କାର ମିଠା ବିକ୍ରି କରୁଥିବା ବେଳେ ଏବେ ତାହା ୫ରୁ ୧୦ ହଜାରକୁ ଖସି ଆସିଛି। ବେଳେବେଳେ ଏତକ ବି ହେଉନି। ଅପରପକ୍ଷେ, ପ୍ରବଳ ଗରମ ଯୋଗୁଁ ଯେଉଁ ମିଠା ୪ରୁ ୫ଦିନ ପର୍ଯ୍ୟନ୍ତ ରହିପାରୁଥିଲା, ତାହା ଏବେ ୨ ଦିନରୁ ଅଧିକ ରଖି ହେଉନି। ଫଳରେ ବ୍ୟବସାୟୀଙ୍କ କୁଇଣ୍ଟାଲ କୁଇଣ୍ଟାଲ ମିଠା ନଷ୍ଟ ହେଉଛି।

Advertisment

ପାହାଳ ମିଠା ବ୍ୟବସାୟ‌ରେ ୭୦ ପ୍ରତିଶତ ହ୍ରାସ
ଦୈନିକ ୫୦ ହଜାରର ବେପାର ଏବେ ୫ ହଜାରରେ ସୀମିତ
ନଷ୍ଟ ହେଉଛି କୁଇଣ୍ଟାଲ କୁଇଣ୍ଟାଲ ମିଠା
ଲକ୍ଷାଧିକ ଟଙ୍କାର କ୍ଷତି ସହୁଛନ୍ତି ବ୍ୟବସାୟୀ
ଆଗକୁ ଆହୁରି ବଢ଼ିବ ଛେନାଦର

ସୂଚନାନୁଯାୟୀ, ପାହାଳରେ ମିଠା ଦୋକାନ ସକାଳ ୬ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ଖୋଲା ରହିଥାଏ। ପାହାଳ ମିଠାର ଏକ ସ୍ବତନ୍ତ୍ର ଚାହିଦା ଥିବାରୁ କଟକ-ଭୁବନେଶ୍ବର ଦେଇ ଯାଉଥିବା ଲୋକେ ଏଠାରେ ଘଡ଼ିଏ ଅଟକି କେଜି କେଜି ମିଠା ବୋହି ନିଅନ୍ତି। ଏହାବ୍ୟତୀତ ବାହାଘର, ଜନ୍ମଦିନ, ବ୍ରତଘର, ଏକଦଶାହ ଭଳି ଉତ୍ସବରେ କଟକ, ଭୁବନେଶ୍ବରବାସୀ ପାହାଳ ମିଠାକୁ ପ୍ରାଧାନ୍ୟ ଦେଇଥା’ନ୍ତି। ଏଠାରୁ ମିଠା ମଧ୍ୟ ରାଉରକେଲା, ସମ୍ବଲପୁର, ବରଗଡ଼ ଆଦି ଜିଲ୍ଲାକୁ ବସ୍‌ରେ ଯାଇଥାଏ। କିନ୍ତୁ ଗତ କିଛି ଦିନ ହେଲା ହେଉଥିବା ପ୍ରବଳ ଟାଣ ଖରା ବ୍ୟବସାୟୀଙ୍କ ପାଇଁ ବଇରି ସାଜିଛି।

ଦିନ ୧୧ଟା ୧୨ଟା ବେଳକୁ ପୂରା ରାଜପଥ ଖାଁ ଖାଁ ହୋଇଯାଉଛି। ଆଉ ଯେଉଁ କେତେଜଣ ଏହି ମିଠା ଦୋକାନଗୁଡ଼ିକୁ ଅତିକ୍ରମ କରୁଛନ୍ତି, ସେମାନେ ଶୀତତାପ ନିୟନ୍ତ୍ରିତ କାର୍‌ରୁ ବାହାରିବାକୁ ମନ ବଳାଉନାହାନ୍ତି। ସୂର୍ଯ୍ୟଙ୍କ କୋପ ଆଗରେ ସେମାନଙ୍କ ମିଠା ଲାଳସା ବଳି ପଡ଼ି ଯାଉଛି। ସଂଧ୍ୟା ବେଳକୁ ଯାହା ଟିକିଏ ଭିଡ଼ ଜମୁଛି, କିନ୍ତୁ ତାହା ବି ଆଶାନୁରୂପ ନୁହେଁ। ସେହିପରି ଏବେ ବାହାଘର ତିଥି ବି ବିଶେଷ ନାହିଁ। ଅନ୍ୟ ଜିଲ୍ଲାଗୁଡ଼ିକରେ ଥିବା ମିଠା ଦୋକାନୀଙ୍କ ପାଖରୁ ଆଗରୁ ଯେଭଳି ମିଠା ବରାଦ ଆସୁଥିଲା, ତାହା ବି ଢେର୍‌ କମି ଯାଇଛି।

ମିଠା ବ୍ୟବସାୟୀ ଲିଙ୍ଗରାଜ ସାହୁଙ୍କ କହିବା କଥା, ଦୋଳ ପୂର୍ଣ୍ଣିମା ପରେ ସ୍ବାଭାବିକ ଭାବେ ମିଠା ବେପାର ସାମାନ୍ୟ କମିଥାଏ। କିନ୍ତୁ ଏବର୍ଷ ଖରା ପାଇଁ ବେପାର ଠପ୍‌ ହୋଇଯାଇଛି। ଅନ୍ୟପଟେ ଗୋଟିଏ ଦୋକାନ ପିଛା ମାସକୁ ୧୦ହଜାରୁ ଅଧିକ ଭଡ଼ା ଦେବାକୁ ପଡ଼ୁଛି। ଗୋଟିଏ ଦେକାନରେ ମିଠା ମିସ୍ତ୍ରୀ ଓ ସହଯୋଗୀଙ୍କୁ ମିଶାଇ ପ୍ରାୟ ୧୫ ଜଣଙ୍କ ଦରମା ଦେବାକୁ ପଡ଼ୁଛି। ଏବେ ଆଖିଦୃଶିଆ ବ୍ୟବସାୟ ନହେଲେ ମଧ୍ୟ ଦୋକାନ ଚାଲୁ ରଖିବାକୁ ମିଠା ତିଆରି କରାଯାଉଛି। ହେଲେ ବେପାର ନହେବା ଯୋଗୁଁ ଅତି ବେଶିରେ ୪ରୁ ୫ ଦିନ ଭିତରେ ମିଠା ଖରାପ ହୋଇଯାଉଛି। ଯାହାଦ୍ବାରା ଲକ୍ଷାଧିକ ଟଙ୍କାର କ୍ଷତି ସହିବାକୁ ପଡ଼ୁଛି।

ସେହିପରି ମିଠା ବ୍ୟବସାୟୀ ସଂଘର ସଭାପତି ଅକ୍ଷୟ ଲେଙ୍କା କହିଛନ୍ତି, ନିମାପଡ଼ା, ନିଆଳି, ବାଲିଅନ୍ତା ଓ ବାଲିପାଟଣା ଅଞ୍ଚଳରୁ ପ୍ରତିଦିନ କୁଇଣ୍ଟାଲ କୁଇଣ୍ଟାଲ ଛେନା ପାହାଳ ଆସିଥାଏ। ମିଠା ବ୍ୟବସାୟୀଙ୍କର ଛେନା ଆସୋସିଏସନ୍‌ ସହ ହୋଇଥିବା ଚୁକ୍ତି ଅନୁସାରେ, କେବଳ ‘ଓମ୍‌ଫେଡ୍‌’ ଯଦି ଲିଟର ପିଛା କ୍ଷୀର ଦୁଇ ଟଙ୍କା ବଢ଼ାଏ, ତେବେ ଛେନା କିଲୋ ପ୍ରତି ୧୦ ଟଙ୍କା ବଢ଼ିବ। ନିକଟରେ ଓମ୍‌ଫେଡ୍‌ କ୍ଷୀର ଲିଟର ପିଛା ୪ ଟଙ୍କା ବଢ଼ିଛି। ତେଣୁ ଏବେ ଛେନା କିଲୋ ପ୍ରତି ୨୦ ଟଙ୍କା ଅଧିକ ଯିବ। ଏବେ ୧୮୦ ଟଙ୍କା ଛେନା ଆଉ ଦୁଇ ଦିନ ପରେ ୨୦୦ ଟଙ୍କାରେ କିଣିବେ ବ୍ୟବସାୟୀ। ଅପରପକ୍ଷେ, ବର୍ତ୍ତମାନ ମିଠା ଦର ବଢ଼ାଇବା ପାଇଁ ବି ସମୟ ଅନୁକୂଳ ନୁହେଁ। ଏଥିଯୋଗୁଁ ଆହୁରି ଅଧିକ କ୍ଷତି ସହିବାକୁ ପଡ଼ିବ ବୋଲି ଶ୍ରୀ ଲେଙ୍କା କହିଛନ୍ତି।