ମହମହ ବାସୁଛି ଦେବୀ ପୀଠ ବ୍ୟଞ୍ଜନ, ମା’ ଦକ୍ଷିଣ ଚଣ୍ଡୀଙ୍କ ପାଖେ କାକରା ଭୋଗ

ଭୁବନେଶ୍ୱରୀଙ୍କ ପାଖରେ ପୁରୀ ରାଜଗୁରୁଙ୍କ ପୂଜା

ଶ୍ରୀଲିଙ୍ଗରାଜ ମନ୍ଦିର ପରିସରରେ ଥିବା ମା’ ଭୁବନେଶ୍ୱରୀ ଦେବୀଙ୍କ ପୀଠରେ ପୁରୀର ଗଜପତି ମହାରାଜାଙ୍କ ରାଜଗୁରୁ ୧୬ଦିନ ପର୍ଯ୍ୟନ୍ତ ରହି ପୂଜାକାର୍ଯ୍ୟ ସମାପନ କରୁଛନ୍ତି। ରାଜଗୁରୁ ପ୍ରଭାତ କୁମାର ରାଜଗୁରୁ ଲିଙ୍ଗରାଜ ମନ୍ଦିର ପୁରୋହିତଙ୍କ ଜରିଆରେ ସଂକଳ୍ପ କରିବା ପରେ ପୂଜା ଆରମ୍ଭ କରିଥିଲେ। ସୂଚନାଯୋଗ୍ୟ ସବୁ ଦିନ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କର ନୀତି ପ୍ରଥମେ ହେବା ପରେ ମା’ ଭୁବନେଶ୍ୱରୀଙ୍କ ନୀତି ହେବାର ପରମ୍ପରା ଚଳି ଆସିଛି। ତେବେ ଏହି ୧୬ଦିନ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦୈନିକ ମହାସ୍ନାନ ପରେ ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା, ବଲ୍ଲଭ, ସକାଳ ଧୂପ, ଭୋଗ ମଣ୍ଡପ ପରମ୍ପରା ଅନୁଯାୟୀ ଗୋଟିଏ ସମୟରେ କରାଯାଉଛି। ପ୍ରତିଦିନ ମା’ ଙ୍କ ପାଖରେ ଚଣ୍ଡୀପାଠ କରାଯାଉଛି।

ମା’ ଦକ୍ଷିଣ ଚଣ୍ଡୀଙ୍କ ପାଖେ କାକରା ଭୋଗ
ଏକାମ୍ର କ୍ଷେତ୍ରର ଆରାଧ୍ୟ ଦେବୀ ମା’ ଦକ୍ଷିଣ ଚଣ୍ଡୀଙ୍କ ଏହି ୧୬ ଦିନାତ୍ମକ ପୂଜା ମା’ଙ୍କ ବଡ଼ ପର୍ବ ଭାବେ ପରିଗଣିତ। ପ୍ରତ୍ୟହ ଏଠାରେ କାକରା ଓ ଖିରି ଭୋଗ କରାଯାଉଛି। ପୂଜକ ସରୋଜ ମହାପାତ୍ରଙ୍କ କହିବା ଅନୁଯାୟୀ ଷଷ୍ଠୀରେ ସରସ୍ବତୀ ବେଶ, ସପ୍ତମୀରେ ମହାକାଳୀ ବେଶ, ମହାଅଷ୍ଟମୀରେ ଲକ୍ଷ୍ମୀ ବେଶ, ଦଶମୀରେ ଦୁର୍ଗତିନାଶିନୀ ବେଶ କରାଯାଏ। ମହଷ୍ଟମୀ ସନ୍ଧ୍ୟାରେ ଘଣ୍ଟବ‌ାଦ୍ୟରେ ମହାଆଳତି କରାଯାଏ। ମା’ଙ୍କ ବେଶ ଦର୍ଶନ ପାଇଁ ବେଶ୍‌ ଉତ୍ସୁକତା ଦେଖିବାକୁ ମିଳେ।

ମା’ ମୋହିନୀଙ୍କୁ ବିରି ପିଠା ବଳି
ବିନ୍ଦୁସାଗର ଦକ୍ଷିଣ କୂଳରେ ମା’ମୋହିନୀ ପୂଜା ପାଉଛନ୍ତି। ମୂଳାଷ୍ଟମୀରୁ ମା’ଙ୍କ ନିକଟରେ ଷୋଡ଼ଶ ଉପଚାର ପୂଜା ଆରମ୍ଭ ହୋଇଛି। ପ୍ରତିଦିନ ଦେବୀଙ୍କୁ ୩ ଧୂପ କରାଯାଉଛି। ସକାଳ ଧୂପରେ ଫଳ ଭୋଗ ଦିଆଯାଉଥିବା ବେଳେ ଦ୍ୱିପ୍ରହରେ ଆବରଣ ପୂଜା କରାଯାଇ ମା’ଙ୍କୁ ପଣା ଭୋଗ ଲାଗି କରାଯାଉଛି। ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କୁ ଭୋଗ କରାଯାଇଥିବା ଅନ୍ନ, ଡାଲି ସହ ଖିରି, ଖେଚୁଡ଼ି ଆଦି ସନ୍ଧ୍ୟାରେ ମା’ଙ୍କୁ ସମର୍ପଣ କରାଯାଉଛି ବୋଲି ସେବାୟତ କମଳାକାନ୍ତ ବଡ଼ୁ କହିଛନ୍ତି। ୧୭ଦିନ ଚଣ୍ଡୀ ପାଠ କରାଯିବ। ଅଷ୍ଟମୀରେ ମା’ଙ୍କୁ ବିରି ପିଠା ବଳି ପଡ଼ିବ ବୋଲି ପୂଜକ କହିଛନ୍ତି।

ଦ୍ୱାରବାସିନୀ ପୀଠରେ ମହାଷ୍ଟମୀରେ ମାଛ ଭୋଗ
ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଚତୁଃପାର୍ଶ୍ବରେ ପ୍ରତିଷ୍ଠିତ ଅଷ୍ଟଚଣ୍ଡୀଙ୍କ ମଧ୍ୟରୁ ଅନ୍ୟତମ ଦେବୀ ହେଉଛନ୍ତି ମା’ ଦ୍ୱାରବାସିନୀ। ବିନ୍ଦୁସାଗର ସମ୍ମୁଖରେ ପୂଜା ପାଉଥିବା ମା’ଙ୍କ ସ୍ୱତନ୍ତ୍ର ପୂଜା ଚାଲିଛି। ପ୍ରତ୍ୟହ ଦି’ପହ‌ର ଧୂପରେ ଅନ୍ନ ଭୋଗ କରାଯାଉଥିବା ବେଳେ ସନ୍ଧ୍ୟା ଧୂପରେ ଛେନା ଭୋଗ ଲାଗି କରାଯାଉଛି। ମହାଷ୍ଟମୀ ତିଥିରେ ସ୍ୱତନ୍ତ୍ର ପୂଜା ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ସେଦିନ ଦି’ପହର ଧୂପରେ ଦହି ପଖାଳ, ଡାଲମା, ଖଟା, ଖିରି ଭୋଗ ଲାଗି କରାଯିବ। ମହାଷ୍ଟମୀରେ ମା’ଙ୍କ ପାଖରେ ମାଛ ଭୋଗ କରାଯାଉଥିବାରୁ ଏହି ଭୋଗ ପାଇବା ପାଇଁ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ଉତ୍କଣ୍ଠା ରହିଛି। ଏହି ପରମ୍ପରା ଆଦ୍ୟରୁ ଚାଲି ଆସିଛି ବୋଲି ପୂଜକ ଚିତ୍ରସେନ ସାମନ୍ତରାୟ କହିଛନ୍ତି।

ଗଡ଼ଚଣ୍ଡୀଙ୍କ ପୀଠରେ ଚୁଡ଼ାଘଷା ଭୋଗ
ଶିଶୁପାଳଗଡ଼ରେ ପୂଜା ପାଉଥିବା ମାହେଶ୍ୱରୀ ଗଡ଼ଚଣ୍ଡୀଙ୍କର ୧୬ ଦିନାତ୍ମକ ପୂଜା କରାଯାଉଛି। ସକାଳେ ମାଜଣା ଓ ଶୁଖିଲା ଭୋଗ ସହ ଚଣ୍ଡୀପାଠ କରାଯାଉଛି। ଦ୍ୱିପ୍ରହର ଧୂପରେ ଅନ୍ନ, ଡାଲମା, ଖିରି ଭୋଗ ଲାଗି କରାଯାଉଛି। ସନ୍ଧ୍ୟାରେ ମା’ଙ୍କ ପାଖରେ ସ୍ନାନ ଓ ବେଶ କରାଯାଇ ଫଳ, ଖଇ ଓ ଚୁଡ଼ାଘଷା ଭୋଗ ଲାଗି କରାଯାଉଛି ବୋଲି ପୂଜକ ଚକ୍ରଧର ମିଶ୍ର ସୂଚନା ଦେଇଛନ୍ତି। ଏହି ପ୍ରାଚୀନ ମନ୍ଦିରରେ ସନ୍ଧ୍ୟା ବେଳେ ଦର୍ଶନ ପାଇଁ ବହୁ ଭକ୍ତଙ୍କ ଭିଡ଼ ଜମୁଛି। ସ୍ଥାନୀୟ ମୁରବି ସଂଗ୍ରାମ କେଶରୀ ପାଇକରାୟଙ୍କ କହିବା ଅନୁଯାୟୀ ଏଠାରେ ବଳି ପ୍ରଥାକୁ ବନ୍ଦ କରାଯାଇଛି। ମହାଷ୍ଟମୀରେ ପୋଡ଼ା ମାଛ ବଳିକୁ ମଧ୍ୟ ବନ୍ଦ କରାଯାଇ ଏବେ ପାଣି କଖାରୁ ବଳି ଦିଆଯାଉଛି। ଯଜ୍ଞ ସହ ସ୍ୱତନ୍ତ୍ର ପୂଜା କରାଯାଉଛି।

କପାଳି ଠାକୁରାଣୀ ପାଖେ ମଣ୍ଡା ପିଠା ଭୋଗ
ବୌଦ୍ଧ ଯୁଗରୁ ବିରାଜିତ ଦେବୀ ମା’ କପାଳି ଠାକୁରାଣୀଙ୍କ ପୀଠ ତନ୍ତ୍ର ପୀଠ ଭାବେ ପରିଗଣିତ। ଷୋଡ଼ଶ ଉପଚାର ପୂଜା ସହ ପ୍ରତିଦିନ ସକାଳେ ଏଠାରେ ଚଣ୍ଡୀ ପାଠ କରାଯାଉଛି। ପ୍ରତିଦିନ ସକାଳ ବାଳଭୋଗରେ ଫଳ ଭୋଗ ଲାଗି କରାଯାଉଥିବା ବେଳେ ଦ୍ବିପ୍ରହର ଧୂପରେ ଖେଚୁଡ଼ି, ଡାଲମା, ଖଟା, ଖିରି, ଦହି ପଖାଳ ଓ ମଣ୍ଡା ପିଠା ଭୋଗ ହେଉଛି। ସନ୍ଧ୍ୟା ଧୂପରେ ମାଜଣା ପରେ ଦହି ପଖାଳ ଭୋଗ ଲାଗି କରାଯାଇ ପହଡ଼ ପଡ଼ୁଛି। ମହାଷ୍ଟମୀ ତିଥିରେ ସ୍ୱତନ୍ତ୍ର ପୂଜା ହେବବ। ଏହି ଦିନ ମା’ଙ୍କ ପାଖରେ ସନ୍ଧି ପୂଜା ସହ ମାଛ ଭୋଗ କରାଯିବା ବିଧି ରହିଛି। ଏଠାରେ ପଶୁ ବଳି ହୁଏ ନାହିଁ। ମହାକାଳୀ, ମହାଲକ୍ଷ୍ମୀ ଓ ମହା ସରସ୍ୱତୀ ଦେବୀଙ୍କ ମିଶ୍ରଣ ଥିବାରୁ ମା’ଙ୍କୁ ଚାମୁଣ୍ଡା ଦେବୀ ବୋଲି ମଧ୍ୟ କୁହାଯାଏ ବୋଲି ସେବାୟତ ଦ୍ବାରିକା ଗରାବଡ଼ୁ କହିଛନ୍ତି।

ସମ୍ବନ୍ଧିତ ଖବର