ଭୁବନେଶ୍ବର: ମିଠା ଦୋକାନୀ ପ୍ରଭାକର ସାହୁ ଓରଫ ଜମ୍ବୁ ହତ୍ୟା ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ରାଜକୁମାର ବେହେରାକୁ ଦୁଇ ଦିନିନିଆ ରିମାଣ୍ଡରେ ଆଣିଛି ଶ୍ରୀଲିଙ୍ଗରାଜ ଥାନା ପୁଲିସ୍। ସେ ବଳରାମ ସୁଇଟ୍ସର ମାଲିକ ବଳରାମ ବେହେରାଙ୍କ ନାତି ତଥା ଜମ୍ବୁଙ୍କୁ ହତ୍ୟା କରିବା ପାଇଁ ଟଙ୍କା ଦେଇ ସୁପାରିକିଲର୍ଙ୍କୁ ନିୟୋଜିତ କରିଥିଲା ବୋଲି କୁହାଯାଉଛି। ଆଜି ଓ ଆସନ୍ତାକାଲି ତାକୁ ଏହି ହତ୍ୟାକାଣ୍ଡ ସଂପର୍କରେ ଅଧିକ ପଚରାଉଚରା କରାଯିବ। ସେଥିରୁ ତଦନ୍ତ ଆଗକୁ ବଢ଼ାଇବାରେ କିଛି ତଥ୍ୟ ମିଳିପାରେ ବୋଲି ପୁଲିସ୍ ଆଶା କରିଛି। ସେହିପରି ଦୁଇ ସୁପାରିକିଲର ଆଶୁତୋଷ ମହାନ୍ତି ଓ ଶ୍ରୀତିକ୍ ବିଶ୍ବାଳ ସମେତ ଅନ୍ୟ ଅଭିଯୁକ୍ତମାନଙ୍କୁ ମଧ୍ୟ ପର୍ଯ୍ୟାୟକ୍ରମେ ରିମାଣ୍ଡରେ ଆଣିବା ପାଇଁ ପୁଲିସ୍ ଯୋଜନା କରୁଥିବା ଜଣାଯାଇଛି।
ନେତାଙ୍କ ଛାତ୍ରଛାୟା
ଗତକାଲି ଗିରଫ ହୋଇଥିବା ତିନି ଅଭିଯୁକ୍ତ ହେଉଛନ୍ତି ଶିଶୁପାଳଗଡ଼ ଇନ୍ଦିରା କଲୋନିରେ ରହୁଥିବା ପିପିଲି ଥାନା ଗୋବର୍ଦ୍ଧନପୁର ସୁଲତାନ ନଗରର ଆଶୁତୋଷ ମହାନ୍ତି, ଜଗତ୍ସିଂହପୁର ଜିଲ୍ଲା ବାଲିକୁଦା ଥାନା ଓଚିଣ୍ଡାର ଶ୍ରୀତିକ୍ ବିଶ୍ବାଳ ଓ ତମାଣ୍ଡୋ ନିକଟ କଳିଙ୍ଗନଗର କେ-୭ରେ ରହୁଥିବା କଟକ ବଡ଼ମ୍ବାର ଅଭିଜିତ୍ ସାହୁ। ଏମାନେ ସମସ୍ତେ ଭୁବନେଶ୍ବରରେ ଗୋଟିଏ କଲେଜ୍ ଛାତ୍ର। କଲେଜ୍ ପଢ଼ିବାଠାରୁ ହିଁ ସେମାନେ ଅପରାଧ ଜଗତରେ ପାଦ ଦେଇଥିଲେ। ପଇସା ନେଇ ଧମକ ଦେବା, ଆକ୍ରମଣ କରିବା, ଆତଙ୍କ ସୃଷ୍ଟି କରିବା ଆଦି ସେମାନଙ୍କ ପେସା।
ସିସିଟିଭି ଫୁଟେଜ୍ ଓ ଅଭିଯୁକ୍ତଙ୍କ ବୟାନରୁ ପୁଲିସ ପ୍ରସ୍ତୁତ କରିଥିବା ଚାର୍ଜସିଟ୍ ମୁତାବକ, ଶ୍ରୀତିକ ଜମ୍ବୁଙ୍କୁ ହାଣି ହତ୍ୟା କରିଛି। ଶ୍ରୀତିକର କିଛି ନେତା ଓ ଅପରାଧୀଙ୍କ ସହ ସଂପର୍କ ଥିବା ଜାଣିବାକୁ ମିଳିଛି। ଅମରେଶ ନାୟକ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଜଗଦୀଶ ଗଜେନ୍ଦ୍ର ସହ ତାର ଫଟୋ ଥିବା ବେଳେ ବିଭିନ୍ନ ନେତାଙ୍କ ସହ ମଧ୍ୟ ଫଟୋ ରହିଛି। କେତେକ ଶୋଭାଯାତ୍ରାରେ ସେ ସାମିଲ ଥିବା ମଧ୍ୟ ପ୍ରମାଣ ରହିଛି। ଅମରେଶ ନାୟକ ହତ୍ୟା ଅଭିଯୁକ୍ତ ଜାମିନ୍ରେ ଫେରିବା ବେଳେ ହୋଇଥିବା ଶୋଭାଯାତ୍ରାରେ ମଧ୍ୟ ଶ୍ରୀତିକ୍ ସାମିଲ ଥିଲା। ତେଣୁ ନେତାଙ୍କ ପ୍ରୋତ୍ସାହନରେ ଏମାନେ ରାଜଧାନୀରେ ବିଭିନ୍ନ ଅପରାଧ ଘଟାଉଥିବା ନେଇ ଆଲୋଚନା ହେଉଛି। ଅଧିକ ଖୋଳତାଡ଼ ହେଲେ ସତ ପଦାକୁ ଆସିବ ବୋଲି କୁହାଯାଉଛି।
ପୁଲିସ୍ ଟାର୍ଗେଟ୍ରେ କେବିଏନ୍ ଗ୍ରୁପ୍
ପୁଲିସ୍ ଟାର୍ଗେଟ୍ରେ ‘କେବିଏନ୍’ (କୋଇ ଭି ନେହିଁ) ଗ୍ରୁପ୍। ରାସ୍ତାରେ କଣ୍ଟା ସାଜିବାକୁ ଚେଷ୍ଟା କଲେ କାହାରିକୁ ବି ଛଡ଼ା ଯିବନି। ଏଭଳି ଏକ ଗ୍ରୁପ୍ କମିସନରେଟ୍ ପୁଲିସ ସ୍କାନର୍କୁ ଆସିଛି। ମୁଖ୍ୟ ସୁପାରି କିଲର ଶ୍ରୀତିକ୍ର ଫେସ୍ବୁକ୍ ପ୍ରୋଫାଇଲ ଯାଞ୍ଚ କରିବା ପରେ ଏହି କେବିଏନ୍ ଗ୍ରୁପ୍ ବାବଦରେ ପୁଲିସ୍ ଜାଣିବାକୁ ପାଇଛି। ଏହି ଗ୍ରୁପ୍ରେ ୩୦ରୁ ଊର୍ଦ୍ଧ୍ବ ସଦସ୍ୟ ଅଛନ୍ତି। ଏଥିରୁ ୧୧ଜଣଙ୍କ ନାମରେ ବିଭିନ୍ନ ସଂଗିନ୍ ମାମଲା ରହିଛି। କାହାକୁ ଭୟଭୀତ କରାଇବା ପାଇଁ ହେଲେ ଏମାନେ ପଇସା ନେଇ କାମ କରିଥା’ନ୍ତି।