ରାଜଧାନୀରେ ଚାଞ୍ଚଲ୍ୟ : ମିଠା ଦୋକାନୀଙ୍କୁ ହାଣିଦେଲେ

ରାସ୍ତା ଉପରେ ହତ୍ୟାକାଣ୍ଡ, ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

ଭୁବନେଶ୍ୱର : ବିଗିଡ଼ି ଗଲାଣି ରାଜଧାନୀର ଆଇନଶୃଙ୍ଖଳା ବ୍ୟବସ୍ଥା। ରାତି ତ ରାତି, ସ୍ପଷ୍ଟ ଦିବାଲୋକରେ ବି ଅପରାଧୀମାନେ ସହର ଭିତରେ ଘୂରି ବୁଲି ଅପରାଧ ଘଟାଉଛନ୍ତି। ଆଜି ଅପରାହ୍‌ଣ ପ୍ରାୟ ୪ଟା ବେଳେ ରାଜଧାନୀ ରାଜରାସ୍ତାରେ ଜଣେ ମିଠା ଦୋକାନୀଙ୍କୁ ହତ୍ୟା କରାଯିବା ଏହାର ସଦ୍ୟତମ ପ୍ରମାଣ। ଜନଗହଳିପୂର୍ଣ୍ଣ ସାମନ୍ତରାପୁର ଛକ ନିକଟରେ ଏହି ଆପରାଧିକ ଘଟଣା ଘଟିଛି। ଦୁଇଜଣ ଦୁର୍ବୃତ୍ତ ରାସ୍ତା ଉପରେ ଗୋଡ଼େଇ ଗୋଡ଼େଇ ବ୍ୟବସାୟୀଙ୍କୁ ଫାର୍ସାରେ ହାଣି ହତ୍ୟା କରିଛନ୍ତି। ମୃତକ ହେଲେ, ପ୍ରଭାକର ସାହୁ ଓରଫ ଜମ୍ବୁ। ଘର ଜଗତ୍‌ସିଂହପୁର ଜିଲ୍ଲାରେ। ଏଠାରେ ସାମନ୍ତରାପୁର‌ରେ ଭଡ଼ା ଘରେ ରହି ଏକ ମିଠା ଦୋକାନରେ କାମ କରୁଥିଲେ। ଏହି ଚାଞ୍ଚଲ୍ୟକର ଘଟଣା ରାଜଧାନୀବାସୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଛି।

ଅପରପକ୍ଷେ ଏହି ଘଟଣାକୁ ନେଇ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ପ୍ରଭାକରଙ୍କ ପରିବାର ଓ ସ୍ଥାନୀୟ ଲୋକେ ପୁରୀ-ଭୁବନେଶ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ଉତ୍ତ୍ୟକ୍ତ ଲୋକେ ରାସ୍ତା ଉପରେ ଶବ ରଖିବା ସହ ଟାୟାର ଜାଳିବାରୁ ଏହି ବାଟ ଦେଇ ଦୀର୍ଘ ୧ ଘଣ୍ଟା କାଳ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ତେବେ ପରିସ୍ଥିତି କ୍ରମଶଃ ଜଟିଳ ହେଉଥିବା ଖବର ପାଇ ଶ୍ରୀଲିଙ୍ଗରାଜ ଥାନା ପୁଲିସ୍‌ ଓ ଜୋନ୍‌-୨ଏସିପି ବିଷ୍ଣୁପ୍ରସାଦ ପାତ୍ର ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ସହ ପ୍ରତିଶ୍ରୁତି ଦେବା ପରେ ଅବରୋଧ ହଟିଥିଲା। ପରେ ପୁଲିସ୍‌ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇବା ସହ ଏନେଇ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରେ ଲାଗିଥିବା ସିସିଟିଭିରୁ ପୁଲିସ୍‌ ଦୁର୍ବତ୍ତମାନଙ୍କୁ ଚିହ୍ନଟ କରିଛି ଓ ଖୁବ୍‌ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି କହିଛି।

ପୁଲିସ୍‌ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପତ୍ନୀ ମିନତି ଏବଂ ୧୨ ଓ ୮ବର୍ଷର ଦୁଇ ଝିଅଙ୍କୁ ନେଇ ପ୍ରଭାକରଙ୍କ ଛୋଟିଆ ସଂସାର। ଭଲ ମିଠା ତିଆରି କରି ଜାଣିଥିବାରୁ ଦୀର୍ଘ ବର୍ଷ ହେଲା ସେ ରାଜଧାନୀ ଚାଲି ଆସିଥିଲେ। ସାମନ୍ତରାପୁର ନିକଟ‌ରେ ଏକ ମିଠା ଦୋକାନରେ କାମ କରି ଯାହା ରୋଜଗାର କରୁଥିଲେ, ସେଇଥିରେ ତାଙ୍କ ପରିବାର ଚଳି ଯାଉଥିଲା। କିନ୍ତୁ ଲକ୍‌ଡାଉନ୍‌ରେ ଦୋକାନ ବନ୍ଦ ହୋଇଯିବାରୁ ପ୍ରଭାକରଙ୍କ ଚିନ୍ତା ବଢ଼ିଗଲା। ପରିବାର ପ୍ରତିପୋଷଣ କରିବା ତାଙ୍କ ପକ୍ଷେ ଏକପ୍ରକାର ଅସମ୍ଭବ ହୋଇପଡ଼ିଥିଲା। ତେବେ ପରିସ୍ଥିତି ଟିକେ ସୁଧୁରିବାରୁ ପ୍ରଭାକର ଘରେ ମିଠା ତିଆରି କରି ସାମନ୍ତରାପୁର ଦେବୀମଣ୍ଡପ ସାମ୍ନାରେ ଟେବୁଲ ପକାଇ ବିକ୍ରି କରିବା ଆରମ୍ଭ କଲେ। ଏଥିରୁ ତାଙ୍କର ବେଶ୍‌ ଭଲ ଦି’ ପଇସା ରୋଜଗାର ହେଲା। କିନ୍ତୁ ସେ ପୂର୍ବରୁ କାମ କରୁଥିବା ମିଠା ଦୋକାନ ମାଲିକଙ୍କ ଏହା ହଜମ ହେଲାନି। ତାଙ୍କ ଦୋକାନ ତିଆରି ମିଠା ଆଉ କେଉଁଠି ମିଳିଲେ, ବେପାର ଘାଟା ହୋଇଯିବ ବୋଲି ତାଙ୍କୁ ଚିନ୍ତା ଘାରିଲା। କିଛି ଦିନ ପରେ ସତକୁ ସତ ସେଇୟା ହେଲା। ତାଙ୍କ ବେପାର ମାନ୍ଦା ହୋଇଗଲା। ପ୍ରଭାକରଙ୍କୁ ଚିହ୍ନିଥିବା ଗ୍ରାହକ ଉକ୍ତ ମିଠା ଦୋକାନ ଯିବା ପରିବର୍ତ୍ତେ ଦେବୀମଣ୍ଡପ ସାମ୍ନା ତାଙ୍କ ଷ୍ଟଲ୍‌ରୁ ମିଠା ନେଲେ। ଏଥିରେ ବ୍ୟତିବ୍ୟସ୍ତ ହୋଇ ମାଲିକ ପ୍ରଥମେ ପ୍ରଭାକରଙ୍କୁ ଧମକଚମକ ଦେଇ ସେଠାରୁ ତଡ଼ିବାକୁ ଉଦ୍ୟମ କଲେ। ଏଠାରେ ବେପାର ନ କରି ଅନ୍ୟତ୍ର ପଳାଇବାକୁ ଧମକ ଦେଲେ। କିନ୍ତୁ ଏହାକୁ ଖାତିର୍‌ ନ କରିବାରୁ କିଛି ଦିନ ତଳେ ଦୁର୍ବୃତ୍ତମାନେ ତାଙ୍କ ଷ୍ଟଲ୍‌ରୁ ସବୁ ମିଠା ଫିଙ୍ଗି ଦେବା ସହ ତାଙ୍କୁ ହତ୍ୟା ଧମକ ଦେଇ ଚାଲି ଯାଇଥିଲେ। ତେବେ ପ୍ରଭାକର ଏନେଇ ଥାନାରେ ଅଭିଯୋଗ କରିବାରୁ ମାଲିକଙ୍କ ରାଗ ବଢ଼ି ଯାଇଥିଲା। ପ୍ରଥମେ ଥାନାରେ ମାମଲାର ଆପୋଷ ସମାଧାନ କରିବା ପରେ ପ୍ରଭାକରଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ ବୋଲି ପତ୍ନୀ ମିନତି ଅଭିଯୋଗ କରିଛନ୍ତି।

ସୂଚନା ଅନୁଯାୟୀ, ଆଜି ଦିନ ପ୍ରାୟ ସାଢ଼େ ୩ଟା ବେଳେ ଷ୍ଟଲ୍‌ ଖୋଲିବା ପରେ ପ୍ରଭାକର ରାସ୍ତା ଆରପଟକୁ ଔଷଧ କିଣିବାକୁ ଯାଇଥିଲେ। ଦୋକାନରୁ ଫେରିବା ବେଳେ ଏକ ୟାମାହା ବାଇକ୍‌ରେ ଦୁଇଜଣ ଦୁର୍ବୃତ୍ତ ତାଙ୍କ ସାମ୍ନାରେ ଗାଡ଼ି ରଖି ଦେଇଥିଲେ। ପଛ‌ରେ ବସିଥିବା ଯୁବକ ଗାଡ଼ିରୁ ଓହ୍ଲାଇ ପଡ଼ି ୨ଫୁଟ ଲମ୍ବାର ଏକ ଫାର୍ସା ଧରି ତାଙ୍କୁ ଗୋଡ଼ାଇଥିଲା। ଜୀବନ ବିକଳରେ ଦୌଡ଼ିଥିଲେ ହେଁ ଦୁର୍ବୃତ୍ତର ଗୋଟିଏ ଚୋଟ ପ୍ରଭାକରଙ୍କ ବେକରେ ବାଜିଥିଲା। କିଛି ବାଟ ଯିବା ପରେ ସେ ରାସ୍ତା ଉପରେ ପଡ଼ି ଯାଇଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପ୍ରଭାକର ରାସ୍ତା ଉପରେ ପଡ଼ି ଚିତ୍କାର କରିଥିଲେ ହେଁ ଦୁର୍ବୃତ୍ତଙ୍କ ଭୟରେ କେହି ତାଙ୍କ ପାଖ ମାଡ଼ି ନଥିଲେ। ଘଟଣା ଘଟିବାର ୧୫ମିନିଟ୍‌ ଭିତରେ ଖବର ପାଇ ମିନତି ଘଟଣାସ୍ଥଳକୁ ଧାଇଁ ଆସିଥିଲେ ହେଁ ସେତେବେଳକୁ ତାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ଏହି ହତ୍ୟାକାଣ୍ଡର ସମସ୍ତ ଦୃଶ୍ୟ ପାଖରେ ଲାଗିଥିବା ସିସିଟିଭିରେ କଏଦ୍‌ ହୋଇଛି।

ମିନତିଙ୍କ ଅଭିଯୋଗ ଅନୁଯାୟୀ, ଦୋକାନ ମାଲିକଙ୍କ ପୁଅ ‘ଦିଲୁ’ ତାଙ୍କ ସ୍ବାମୀଙ୍କୁ ହତ୍ୟା କରିଛି। ତେଣୁ ତାକୁ ଖୁବ୍‌ଶୀଘ୍ର ଗିରଫ କରିବାକୁ ସେ ଦାବି କରିଛନ୍ତି। ଅପରପକ୍ଷେ ସ୍ପଷ୍ଟ ଦିବାଲୋକରେ ରାଜଧାନୀ ରାଜରାସ୍ତାରେ ଏଭଳି ଘଟଣା କମିସନରେଟ୍‌ ପୁଲିସ୍‌ର ପାରିବାପଣିଆକୁ ପଦାରେ ପକାଇଛି। ପୁଲିସ୍‌କୁ ଅପରାଧୀମାନେ କେତେ ଭୟ କରୁଛନ୍ତି, ଏହି ଘଟଣାରୁ ଜଳଜଳ ଦିଶୁଛି।

ସମ୍ବନ୍ଧିତ ଖବର