ଭୁବନେଶ୍ବର: ରାଜଧାନୀରେ ବିକ୍ରି ହେଉଥିବା ମିଠାକୁ ନେଇ ଅନେକ ଅଭିଯୋଗ ହେଉଛି। କେଉଁଠି ସୁଗାର ଫ୍ରି ନାଁରେ ସାଧାରଣ ମିଠା ବିକ୍ରି ହେଉଛି ତ ଆଉ କେଉଁଠି ବାସି। ଏଭଳି ଅଭିଯୋଗକୁ ଏଡ଼ାଇବା ଲାଗି ରାଜ୍ୟ ଖାଦ୍ୟ ସୁରକ୍ଷା କମିସନର କାର୍ଯ୍ୟାଳୟ ପକ୍ଷରୁ ମିଠା ପ୍ରସ୍ତୁତିର ତାରିଖ ଓ ଅବଧି ସଂପର୍କରେ ଦୋକାନରେ ଉଲ୍ଲେଖ କରିବାକୁ କୁହାଯାଇଥିଲା। ମାତ୍ର ଦୋକାନୀମାନେ ଏହାକୁ ମାନୁ ନାହାନ୍ତି। ତେଣୁ ଏହାର ଉଲ୍ଲଂଘନ ବିରୋଧରେ ଜୋରଦାର ଚଢ଼ାଉ କରିବା ଲାଗି ଖାଦ୍ୟ ସୁରକ୍ଷା ଅଧିକାରୀ ଯୋଜନା କରିଛନ୍ତି। ଆବଶ୍ୟକସ୍ଥଳେ ଦୋକାନକୁ ୨୪-୪୮ଘଣ୍ଟା ପର୍ଯ୍ୟନ୍ତ ସିଲ୍‌ କରାଯିବ ବୋଲି ନିଷ୍ପତ୍ତି ହୋଇଛି।

Advertisment

ଭୁବନେଶ୍ବରରେ ଛୋଟ ଦୋକାନଠାରୁ ଆରମ୍ଭ କରି କିଛି ନାମୀ ବ୍ରାଣ୍ଡରେ ମିଠା ବିକ୍ରି ହେଉଛି। ଦୋକାନ ଅନୁସାରେ ଏସବୁ ମିଠାର ଦର ଭିନ୍ନ ଭିନ୍ନ ରହିଛି। ହେଲେ ଦୋକାନରେ ମିଠା କେତେ ଦିନ ପର୍ଯ୍ୟନ୍ତ ଖାଇହେବ ତାହା ସଂପର୍କରେ କୌଣସି ଦୋକାନୀ ଉଲ୍ଲେଖ କରୁନାହାନ୍ତି। କିଛି ମାସ ପୂର୍ବରୁ ରାଜ୍ୟ ଖାଦ୍ୟ ସୁରକ୍ଷା ପକ୍ଷରୁ ଦୋକାନୀମାନଙ୍କୁ ଏ ସଂପର୍କରେ ସଚେତନ କରାଯାଇଥିଲା। ଏଥିରେ ମିଠା ପ୍ରସ୍ତୁତିର ତାରିଖ ଓ କେତେ ଦିନ ପର୍ଯ୍ୟନ୍ତ ଏହା ଖାଦ୍ୟୋପଯୋଗୀ ତାହା ସଂପର୍କରେ ଏକ ଚାର୍ଟ ଦୋକାନୀ ନିଜ ଦୋକାନରେ ଓହଳାଇବାକୁ କୁହାଯାଇଥିଲା। ହେଲେ ଦୋକାନୀମାନେ ଏହାକୁ ଅନୁପାଳନ କରୁନାହାନ୍ତି। ଫଳରେ ଗ୍ରାହକ ଅନେକ ସମୟରେ ମିଠାକୁ ନେଇ ସମସ୍ୟାରେ ପଡ଼ୁଛି। ଅଭିଯୋଗ ମଧ୍ୟ ବଢ଼ି ବଢ଼ି ଚାଲିଛି।

ଏହାସହ ମଧୁମେହରେ ଆକ୍ରାନ୍ତ ଲୋକଙ୍କ ପାଇଁ ଦୋକାନୀମାନେ ସୁଗାର ଫ୍ରି ମିଠା ବିକ୍ରି କରୁଥିବା ଦାବି କରୁଛନ୍ତି। ମାତ୍ର ଏହି ସୁଗାର ଫ୍ରି ମିଠାରେ ପ୍ରକୃତରେ ସୁଗାର ଫ୍ରି ନୁହେଁ ତାହା ରାଜ୍ୟ ଜନସ୍ବାସ୍ଥ୍ୟ ପରୀକ୍ଷାଗାରରେ ନମୁନା ପରୀକ୍ଷାରୁ ସ୍ପଷ୍ଟ ହୋଇଥିଲା। ଏହାକୁ ନେଇ ମଧୁମେହର ଶିକାର ଲୋକଙ୍କ ଭିନରେ ଛନକା ପଶିଥିଲା। ସଂପୂର୍ଣ୍ଣଭାବେ ସୁଗାର ଫ୍ରି ମିଠା ଉଲ୍ଲେଖ କରିବା ବଦଳରେ କମ୍ କ୍ୟାଲୋରି ଯୁକ୍ତ ମିଠା ବୋଲି ଉଲ୍ଲେଖ କରିବା ଲାଗି ମିଠା ବ୍ୟବସାୟୀଙ୍କୁ କୁହାଯାଇଥିଲା। ଏଥିପାଇଁ ଏକ ନିର୍ଦେଶାବଳୀ ମଧ୍ୟ ଜାରି ହୋଇଥିଲା। ଏହାକୁ ପାଳନ କରିବା ଲାଗି ବ୍ୟବସାୟୀମାନେ ୩ମାସର ସମୟ ନେଇଥିଲେ। ଏହାଭିତରେ ମହଲତ ଅବଧି ଶେଷ ହୋଇଗଲାଣି। କିନ୍ତୁ ଅଧିକାଂଶ ଦୋକାନୀ ସୁଗାର ଫ୍ରି ମିଠା ସଂପର୍କରେ ଯେଉଁ ନିର୍ଦେଶନାମା ଜାରି ହୋଇଥିଲା ସେହି ଅନୁଯାୟୀ ମିଠା ପ୍ରସ୍ତୁତ କରୁ ନ ଥିବା ଖାଦ୍ୟ ସୁରକ୍ଷା ଅଧିକାରୀମାନେ ଜାଣିବାକୁ ଯାଇଛନ୍ତି। ତେବେ ଚଢ଼ାଉ ସମୟରେ କାଳେ ବିବାଦ ଉପୁଜିପାରେ ତାହାକୁ ଏଡ଼ାଇବା ଲାଗି ରାଜ୍ୟ ବାହାରେ ଥିବା ଏନ୍‌ଏବିଏଲ୍‌ ପରୀକ୍ଷାଗାରକୁ ଏସବୁ ନମୁନା ପଠାଇବାକୁ ନିଷ୍ପତ୍ତି ହୋଇଛି। ଯାହାଫଳରେ ପରବର୍ତୀ ସମୟରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସମୟରେ କୌଣସି ପ୍ରକାର ବିବାଦ ଉପୁଜିବ ନାହିଁ।

ରାଜ୍ୟ ଖାଦ୍ୟ ସୁରକ୍ଷା କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, ମିଠାର ପ୍ରସ୍ତୁତି ଓ ଅବଧି ତାରିଖ ଉଲ୍ଲେଖ କରିବା ଲାଗି ଦୋକାନୀମାନଙ୍କୁ ବହୁବାର ସଚେତନ କରାଗଲାଣି। ହେଲେ ଏହାକୁ କେହି ମାନୁ ନାହାନ୍ତି। ତେଣୁ ଆସନ୍ତା ସପ୍ତାହରୁ ଭୁବନେଶ୍ବର ଓ ପରବର୍ତୀ ସମୟରେ କଟକରେ ଜୋରଦାର ଚଢ଼ାଉ କରାଯିବ। ଉଲ୍ଲଂଘନକାରୀଙ୍କୁ କେବଳ ନୋଟିସ୍ ନ ଦେଇ ଦୋକାନକୁ ସର୍ବାଧିକ ୪୮ଘଣ୍ଟା ପର୍ଯ୍ୟନ୍ତ ସିଲ୍‌ କରିଦିଆଯିବ। ଏହାସହ ସୁଗାର ଫ୍ରି ମିଠା ପାଇଁ ଏକ ସ୍ବତନ୍ତ୍ର ଡ୍ରାଇଭ୍ କରାଯିବ। ବିନା କୌଣସି ସୂଚନାରେ ନମୁନା ସଂଗ୍ରହ କରାଯାଇ ଏନ୍‌ଏବିଏଲ୍‌ ପରୀକ୍ଷାଗାରକୁ ପଠାଯିବ। ଏଥିପାଇଁ ରାଜ୍ୟ ବାହାରେ ଥିବା ୨-୩ଟି ପରୀକ୍ଷାଗାର ସହିତ ଆଲୋଚନା ସରିଛି। ଭୁବନେଶ୍ବର ପରେ ରାଜ୍ୟବ୍ୟାପୀ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବ ବୋଲି ଅଧିକାରୀ ଜଣକ ସ୍ପଷ୍ଟ କରିଛନ୍ତି।