ମିଠାଦୋକାନୀ ହତ୍ୟା ମାମଲା: ୨ ଦିନ ପରେ ବି ପୁଲିସ ହାତ ଖାଲି, ଶୁଣିଲାନି ପ୍ରଶାସନ

ବ୍ୟବସାୟୀ ସଂଘ ଦେଲା ଆର୍ଥିକ ସହାୟତା

ଭୁବନେଶ୍ବର: ଦିନ ଦି’ପହରେ ରାଜଧାନୀର ରାଜ ରାସ୍ତାରେ ମିଠା ଦୋକାନୀ ପ୍ରଭାକର ସାହୁ ଓରଫ୍ ଜମ୍ବୁଙ୍କୁ ଦୁର୍ବୃତ୍ତମାନେ ଗୋଡ଼େଇ ଗୋଡ଼େଇ ହାଣିଲେ। ସମସ୍ତେ ଦେଖୁଥିବା ଅବସ୍ଥାରେ ତାଙ୍କ ବେକକୁ କାଟି ବିଭତ୍ସଭାବେ ହତ୍ୟା କଲେ। ଘଟଣାକୁ ୪୮ ଘଣ୍ଟା ପୂରିଗଲାଣି। ଅଥଚ ପୁଲିସ ଅପରାଧୀମାନଙ୍କ ଟେର୍‌ ପାଉନି। ତଦନ୍ତଭାର ସ୍ପେସାଲ୍‌ ସ୍କ୍ବାଡ୍‌କୁ ଦିଆଯାଇଥିଲେ ବି ଅପରାଧୀଙ୍କୁ ଠାବ କରିବା ସମ୍ଭବ ହୋଇନାହିଁ। ଅଭିଯୁକ୍ତଙ୍କ ବାବଦରେ ସମସ୍ତ ସୂଚନା ଥାଇ ମଧ୍ୟ ପୁଲିସ ସେମାନଙ୍କୁ ଗିରଫ କରିପାରୁନଥିବାରୁ ସେହି ଅଞ୍ଚଳବାସୀ ତଥା ରାଜଧାନୀବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଅନ୍ୟପକ୍ଷରେ ଜମ୍ବୁଙ୍କ ପରିବାରବର୍ଗ ଭୟଭୀତ ଅବସ୍ଥାରେ ଅଛନ୍ତି। ଗତକାଲି ଜମ୍ବୁଙ୍କ ପତ୍ନୀ ମିନତି ମୃତଦେହକୁ ନେଇ ଜଗତପୁରରେ ସତ୍କାର କରାଇଛନ୍ତି। ଘଟଣାଦିନ ପରିବାରବର୍ଗଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ସମେତ କେତେକ ବ୍ୟବସାୟୀ ରାସ୍ତା ଅବରୋଧ କରିଥିଲେ। ରେଡ୍‌କ୍ରସ୍‌ରୁ ସହାୟତା ଯୋଗାଇବା ପାଇଁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରାଯିବ ବୋଲି ଜୋନ୍‌-୨ ଏସିପି ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ୪୮ ଘଣ୍ଟା ବିତିବା ପରେ ମଧ୍ୟ ପ୍ରଶାସନ ପକ୍ଷରୁ ସେମାନଙ୍କ ପାଖରେ ଟଙ୍କାଟିଏ ପହଞ୍ଚି ନାହିଁ ବୋଲି ମିନତି କହିଛନ୍ତି। ତେବେ ସ୍ଥାନୀୟ ବ୍ୟବସାୟୀ ସଂଘ ମିନତିଙ୍କୁ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି। ଏଣେ ହତ୍ୟାକାରୀମାନେ ଧମକ ଦେଇଥିବାରୁ ସେମାନେ ଭୁବନେଶ୍ବର ଫେରିବା ନେଇ ଚିନ୍ତାରେ ପଡ଼ିଛନ୍ତି। ପରିବାରବର୍ଗଙ୍କୁ ଭୁବନେଶ୍ବରରେ ରଖାଇ ନ ଦେବା ପାଇଁ ଚେତାବନୀ ଦିଆଯାଇଥିବାରୁ ସେମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ତେଣୁ ଭୁବନେଶ୍ବରରେ ଦୁଇ ଝିଅଙ୍କୁ ପାଠ ପଢ଼ାଇବା ନେଇ ମଧ୍ୟ ମିନତି ଚିନ୍ତାରେ ପଡ଼ିଛନ୍ତି।

ସୂଚନାଯୋଗ୍ୟ, ପୂର୍ବରୁ ଜମ୍ବୁ ‘ରଥି’ ନାମକ ମିଠା ଦୋକାନରେ କାମ କରୁଥିଲେ। ସେଠାରୁ କାମ ଛାଡ଼ିବା ପରେ ବଳରାମ ସୁଇଟ୍ସକୁ ଯାଇଥିଲେ। ତେବେ ବଳରାମ ସୁଇଟ୍ସରୁ କାମ ଛାଡ଼ିବା ପରେ ହିଁ ସେ ମାଲିକ ଶତ୍ରୁ ପାଲଟି ଯାଇଥିଲେ। ଦୁଇ ଦୁଇ ଥର ଆକ୍ରମଣ କରିବା ସହ ଭୁବନେଶ୍ବର ଛାଡ଼ି ଚାଲି ଯିବା ପାଇଁ ଧମକ ଦେଇଥିଲେ। ଭୁବନେଶ୍ବର ନ ଛାଡ଼ିଲେ ଦୁନିଆ ଛାଡ଼ିବାକୁ ପଡ଼ିବ ବୋଲି ମଧ୍ୟ ବଳରାମ ସୁଇଟ୍ସ ମାଲିକ କହିଥିଲେ ବୋଲି ମିନତି କହିଛନ୍ତି। ତେଣୁ ଜମ୍ବୁ ହତ୍ୟାକାଣ୍ଡରେ ବଳରାମ ସୁଇଟ୍ସ ମାଲିକଙ୍କ ହାତ ଥିବା ନେଇ ସନ୍ଦେହ କରାଯାଉଛି। ଅଥଚ ପୁଲିସ ସେମାନଙ୍କୁ ଠାବ କରିପାରିନାହିଁ। ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ଜମ୍ବୁ ଦୀର୍ଘ ଦିନ ଧରି ଏହି ଅଞ୍ଚଳରେ ରହିଥିବାରୁ ଓ ତା’ର ଭଲ ଗୁଣ ଯୋଗୁଁ ଅନେକଙ୍କର ନିକଟତର ‌ହୋଇପାରିଥିଲେ। ଭଲ ମିଠା ମିସ୍ତ୍ରି ହୋଇଥିବାରୁ ତାଙ୍କ ବେପାର ଭଲ ଚାଲିଥିଲା। ‌ଫୋନ୍‌ କଲ୍‌ରେ ସେ ମିଠା ନେଇ ଘରେ ପହଞ୍ଚି ଯାଉଥିଲେ। ଏଣୁ ତାଙ୍କ ଲୋକପ୍ରିୟତା ଓ ବେପାର ବଢ଼ିବା ଦେଖି ପୁରୁଣା ଦୋକାନୀର ରାଗ ବଢ଼ିଥିଲା ଓ ସେହି ରାଗରେ ଜମ୍ବୁଙ୍କୁ ସେ ହତ୍ୟା କରିଛନ୍ତି ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଏ ନେଇ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀଙ୍କ କହିବା କଥା ଜଣେ ନିରୀହ ବ୍ୟବସାୟୀଙ୍କୁ ହତ୍ୟା କରିବା ଭଳି ଜଘନ୍ୟ ଅପରାଧରେ ସମ୍ପୃକ୍ତ ଆସାମୀଙ୍କୁ ଖୁବ୍‌ ଶୀଘ୍ର ଗିରଫ କରାଯିବ। ପୁଲିସ ଏହାକୁ ଗୁରୁତ୍ବର ସହ ନେଇଛି ଓ ସ୍ବତନ୍ତ୍ର ଟିମ୍‌ ହତ୍ୟାକାରୀମାନଙ୍କୁ ପିଛା କରୁଛି।

ସମ୍ବନ୍ଧିତ ଖବର