ପିଠା ବାସ୍ନାରେ ମହକିଲା ଏକାମ୍ର ହାଟ

ହାତର ଯାଦୁ ଦେଖାଇଲେ ଓଡ଼ିଆଣୀ

ଭୁବନେଶ୍ୱର: ଆମେ ଯେତେ ଆଧୁନିକତାକୁ ସ୍ପର୍ଶ କଲେ ମଧ୍ୟ ଆମର ପରମ୍ପରାକୁ ଭୁଲିପାରିବୁ ନାହିଁ। ସେ ପଖାଳ ହେଉକି ସୁଆଦିଆ ପିଠା; ଖାଣ୍ଟି ଓଡ଼ିଆ ଖାଦ୍ୟର ସ୍ୱାଦକୁ କେହି ମୁହଁ ମୋଡ଼ି ପାରିବେ ନାହିଁ। ଏହି ପରିପ୍ରେକ୍ଷୀରେ ସଂଭାବନା ପକ୍ଷରୁ ଆରମ୍ଭ ହୋଇଛି ଏକ ନିଆରା ପ୍ରତିଯୋଗିତା ‘ଓଡ଼ିଆ ମହୋତ୍ସବ ଓ ଶ୍ରେଷ୍ଠ ଓଡ଼ିଆଣୀ’। ଆମର ପ୍ରଥା, ପରମ୍ପରା, ଚଳଣୀ, ଭାଷା ଓ ସଂସ୍କୃତିକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଅନୁଷ୍ଠିତ ଏହି ପ୍ରତିଯୋଗିତାର ପ୍ରଥମ ସଂଧ୍ୟା ଆଜି ଏକାମ୍ର ହାଟଠାରେ ଅନୁଷ୍ଠିତ ହୋଇଯାଇଛି। ଆଜିର ମୁଖ୍ୟ ଆକର୍ଷଣ ଥିଲା ଓଡ଼ିଆଣୀଙ୍କ ମଧ୍ୟରେ ପିଠା ପ୍ରତିଯୋଗିତା। ମଣ୍ଡା ପିଠା, ପୋଡ଼ ପିଠା, ଆରିସା, ଏଣ୍ଡୁରି, ଅମୃତଭଣ୍ଡା ପୋଡ଼ ପିଠା, କ୍ଷୀର ଗଇଁଠା, ଆମ୍ବ ପିଠା, ଗାଜର ପିଠା, ମୁଗକାନ୍ତି ପରି ଅନେକ ପିଠାକୁ ପ୍ରଦର୍ଶନ କରିଥିଲେ ପ୍ରତିଯୋଗୀମାନେ। ପିଠା ବାସ୍ନାରେ ପୂରା ହାଟଟି ମହକି ଉଠିଥିଲା। ଆଜିର କାର୍ଯ୍ୟକ୍ରମରେ ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକ, ବିଶିଷ୍ଟ ଶିଶୁ ସାହିତ୍ୟିକ ଦାଶ ବେନହୁର, ବରିଷ୍ଠ ଅଭିନେତା ଅଜିତ ଦାସ, ଶ୍ରେଷ୍ଠ ଓଡ଼ିଆଣୀ ପ୍ରତିଯୋଗିତାର ମୁଖ୍ୟ ପୃଷ୍ଠପୋଷିକା ଅନ୍ନପୂର୍ଣ୍ଣା ଦାଶ ଓ ୨୦୧୭ର ଶ୍ରେଷ୍ଠ ଓଡ଼ିଆଣୀ ମଧୁସ୍ମିତା ଦାସ ଯୋଗ ଦେଇଥିଲେ। ଓଡ଼ିଆ ହାତ ପିଠାଠାରୁ ଆରମ୍ଭ କରି କୋଣାର୍କ ମନ୍ଦିର ତିଆରି କରିପାରିବ ବୋଲି ଅତିଥିମାନେ କହିଥିଲେ। ସଂଭାବନା ଟ୍ରଷ୍ଟି ସ୍ମୃତି ମହାନ୍ତିଙ୍କ ପରିଚାଳନାରେ ଆର୍ଯ୍ୟା ପାଣିଗ୍ରାହୀ, ପ୍ରକାଶ ଚନ୍ଦ୍ର ତ୍ରିପାଠୀ ଓ ସୁଶାନ୍ତ ରଞ୍ଜନ ଚଇନି ଏବଂ ଶିଶୁ କିଶୋରଙ୍କ ମଧ୍ୟରେ ଅନୁଷ୍ଠିତ କୌତୁକ ପୋଷାକ ଓ ଆବୃତ୍ତି ପ୍ରତିଯୋଗିତାରେ ଦେବାଶିଷ ମହାପାତ୍ର ଓ ଚିନ୍ତାମଣି ବିଶ୍ୱାଳ ପ୍ରମୁଖ ବିଚାରକ ଭାବେ ଯୋଗ ଦେଇଥିଲେ। ସଂଭାବନାର ଅଧ୍ୟକ୍ଷ ଶରତ ଚନ୍ଦ୍ର ଭଦ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସଂଭାବନାର ସଂପାଦକ ଦେବ ପ୍ରସାଦ ପରିଜା ପ୍ରାରମ୍ଭିକ ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଛନ୍ଦା ମିଶ୍ର, ରାଜଶ୍ରୀ ଶତପଥୀ, ପ୍ରଫୁଲ୍ଲ ଦେ, ଶଶିପ୍ରଭା ଦାସ ଓ ସତ୍ୟବ୍ରତ ମହାପାତ୍ର, ଅଭିରାମ ସାହୁ ପ୍ରମୁଖ ପରିଚାଳନା କରିଥିଲେ। ଆସନ୍ତାକାଲି ଓଡ଼ିଆଣୀଙ୍କ ମଧ୍ୟରେ ଝୋଟି ଓ ପାନଭଙ୍ଗା ପ୍ରତିଯୋଗିତା ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର