ରାସ୍ତାରେ ଢ଼େଉ ଖେଳୁଛି ସ୍ବେରେଜ ପାଣି

ଦୁର୍ଗନ୍ଧରେ ଅସ୍ତବ୍ୟସ୍ତ ଚନ୍ଦ୍ରଶେଖରପୁରବାସୀ, ଅଭିଯୋଗ କଲେ ଶୁଣୁନାହାନ୍ତି ଅଧିକାରୀ

ଚନ୍ଦ୍ରଶେଖରପୁର: ସକାଳୁ ଉଠିଲେ ରାସ୍ତାରେ ପାଣି। ସନ୍ଧ୍ୟା ହେଲେ ବି ପାଣି। ଯେତେବେଳେ ବି ରାସ୍ତାରେ ଯିବା ଆସିବା କଲେ ଆବର୍ଜନା ପାଣି‌ରେ ପଶି ଯିବା ହେବା ଏକପ୍ରକାର ଥୟ। ଏହା କୌଣସି ବସ୍ତି କିମ୍ବା ରାଜଧାନୀ ଉପକଣ୍ଠର ଦୃଶ୍ୟ ନୁହେଁ। ବଡ଼ବଡ଼ିଆଙ୍କ ଅଞ୍ଚଳ ଭାବେ ଜଣାଶୁଣା ଚନ୍ଦ୍ରଶେଖରପୁର ଅଞ୍ଚଳରେ ଏଭଳି ସ୍ଥିତି ଲାଗି ରହିଛି। ଫେଜ୍‌-୧ରେ ରହୁଥିବା ଲୋକେ ୩ ମାସ ହେଲା ସ୍ବରେଜ୍‌ ପାଣିଘେରରେ ରହୁଛନ୍ତି। ୩ ମହଲା ବିଶିଷ୍ଟ ଗୃହଗୁଡ଼ିକର ନିମ୍ନ ଅଞ୍ଚଳରେ ବାସ କରୁଥିବା ଲୋକଙ୍କୁ ଏଭଳି ହିନସ୍ଥା ଭୋଗିବାକୁ ପଡ଼ୁଛି। ଅଭିଯୋଗ କଲେ କେହି ଶୁଣୁନାହାନ୍ତି। ସ୍ବେରେଜ୍‌ ବୋର୍ଡ ଅଧିକାରୀମାନେ ସବୁ ଜାଣି ସମସ୍ୟାର ସମାଧାନ କରୁନାହାନ୍ତି। ଆଜିକାଲି କହି ଦିନ ଗଡ଼ାଇ ଦେଉଛନ୍ତି। କର୍ମଚାରୀମାନେ ପହଞ୍ଚି ସଫେଇ କରିବେ ବୋଲି କହି ଲୋକଙ୍କୁ ଭୁଆଁ ବୁଲାଇ ଚାଲିଛନ୍ତି।

ବଡ଼ କଥା ହେଲା, ଏଠାକାର ଲୋକେ ପ୍ରତି ମାସରେ ସ୍ବେରେଜ୍‌ କର ପଇଠ କରୁଛନ୍ତି। ମାସକୁ ୫୦ଟଙ୍କା ହିସାବରେ ୨ହଜାର ୪୦ ପରିବାର ୧ ଲକ୍ଷ ୧୦ହଜାର ଟଙ୍କା ଦେଉଛନ୍ତି। କିନ୍ତୁ ମୌଳିକ ସେବା ମିଳି ପାରୁନାହିଁ ବୋଲି ସ୍ଥାନୀୟ ବାସିନ୍ଦା ତଥା ସମାଜସେବୀ ବଟକୃଷ୍ଣ ମହାନ୍ତି ଅଭିଯୋଗ କରିଛନ୍ତି। ସେ ଆହୁରି କହିଛନ୍ତି ଯେ ସ୍ବେରେଜ୍‌ ପାଣି ରାସ୍ତା ଉପରେ ଓ ଘର ଆଗପଛ ମେନ୍‌ ହୋଲ୍‌ ଓଭର୍‌-ଫ୍ଲୋ ହୋଇ ଚାରିଆଡ଼େ ବନ୍ୟା ପରିସ୍ଥିତି ସୃଷ୍ଟି କରୁଛି। ଦୁର୍ଗନ୍ଧ ଏପରି ହେଉଛି ଯେ ଘରେ ଓ ରାସ୍ତାରେ ଯାଉଥିବା ଲୋକେ ନାକରେ ହାତ ଦେଇ ଯାଉଛନ୍ତି। କେତେକ ସ୍ଥାନରେ ସ୍ବେରେଜର ମେନ୍‌ ଓ ବ୍ରାଞ୍ଚ ଲାଇନ୍‌ ଉଛୁଳି ଘରର ପାଇଖାନାରେ ଆବର୍ଜନା ପାଣି ପଶୁଛି। ଘର ବାହାର ବି ଏମିତି ଗନ୍ଧାଉଛି ଯେ ଝରକା ଓ କବାଟ ବନ୍ଦ କରି ରହିବାକୁ ପଡ଼ୁଛି। ସ୍ଥାନୀୟ ଅଞ୍ଚଳ ଲୋକେ ଅଭିଯୋଗ କରିଛନ୍ତି ଯେ ବର୍ଷା ଦିନ ଆରମ୍ଭ ହେବାଠାରୁ ମଶା, ମାଛି, ପୋକଙ୍କ ପ୍ରାଦୁର୍ଭାବରେ ରହି ହେଉନି। ରାସ୍ତାଘାଟ ଦୁର୍ଗନ୍ଧମୟ ହୋଇପଡ଼ୁଛି। ଅଭିଯୋଗ କରିବାର ଦୁଇ ତିନି ଦିନ ପରେ ଉତ୍ତର ଆସୁଛି କାମ ସରିଯାଇଛି। ତେବେ ମରାମତି ହେବା ନେଇ ପୂର୍ବପରି ଘର ମାଲିକର ଦସ୍ତଖତ ନିଆ‌ଯାଉ ନାହିଁ। କେତେବେଳେ କିଏ କେମିତି ମରାମତି କରୁଛନ୍ତି ଆମକୁ ଜଣାପଡ଼ୁନି। ପରିଚାଳନା ଦାୟିତ୍ବରେ ଥିବା ଅଧିକାରୀମାନଙ୍କୁ କହିବାରୁ ଉତ୍ତର ମିଳୁଛି, ଏହା ଆମ କାମ ନୁହେଁ। ଉପରିସ୍ଥ ଅଧିକାରୀଙ୍କ ନିକଟରେ ଅଭିଯୋଗ କର। ଫୋନ୍‌ କରି ଅଭିଯୋଗ କଲେ କାମ ସରିଯାଇଛି କହି ଅଧିକାରୀମାନେ କଲ୍‌ କାଟି ଦେଉଛନ୍ତି। ଏବେ ପରିସ୍ଥିତି ଏମିତି ହେଲାଣି ଯେ କେତେକ ସ୍ଥାନରେ‌ ସ୍ବେରେଜ୍‌ ପାଣି ପିଇବା ପାଣି ସହ ମିଶୁଛି। ଫଳରେ ଜଣ୍ଡିସ୍‌, ପେଟ ରୋଗ ବ୍ୟାପିବାକୁ ଏଡ଼ାଇ ଦିଆଯାଇ ନପାରେ ବୋଲି ଲୋକେ କହିଛନ୍ତି। କେବଳ ଏହି ଗୋଟିଏ ସ୍ଥାନ ନୁହେଁ, ଅଞ୍ଚଳର ପ୍ରତିଟି ସ୍ଥାନରେ ସ୍ବେରେଜ୍‌ ଓଭର‌ଫ୍ଲୋ କରି ରାସ୍ତାରେ ଅବର୍ଜନା ପାଣି ଢ଼େଉ ଖେଳୁଛି। ‌‌ସ୍ବେରେଜ୍‌ ଲାଇନ୍‌ ଠିକ୍‌ ନ ଥିବାରୁ ବିଡିଏ କଲୋନି, ଡିଷ୍ଟ୍ରିକ୍ଟ ସେଣ୍ଟରରୁ ବାହାରୁଥିବା ଆବର୍ଜନା ପାଣି ରାସ୍ତା ଦେଇ ଡମଣା ଛକ ଆଡ଼କୁ ମାଡ଼ି ଚାଲୁଛି। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଚନ୍ଦ୍ରଶେଖରପୁରବାସୀ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର