ଶ୍ୱେତପଦ୍ମାର ଜନ୍ମୋତ୍ସବ

ଭୁବନେଶ୍ୱର: ଆନନ୍ଦ ଚନ୍ଦ୍ର ନିଜ ପ୍ରେମିକା ଅନନ୍ୟା ପାଇଁ ଏକ ନିଆରା ରାଇଜ ତିଆରି କରିବାକୁ ସ୍ୱପ୍ନ ଦେଖିଥିଲେ। ନିଜ ତପସ୍ୟା ବଳରେ ମଧ୍ୟ ସେ ଏହାକୁ ସାକାର କରିଥିଲେ। ଏହି ରାଇଜରେ ଆନନ୍ଦଙ୍କ ଚିରସହଚର ଥିଲେ ଗୟାଧର, ମାୟାଧର ଓ କାନ୍ଦୁରା। ସେ ନିଜ ରାଇଜ ପାଇଁ ଏକ ସ୍ୱତନ୍ତ୍ର ନୀତିନିୟମ ପ୍ରଣୟନ କରିଥିଲେ। ସେଠାରେ ପ୍ରଶ୍ନ ପଚାରିବାର ଅଧିକାର ଅନନ୍ୟା ଛଡ଼ା କାହାର ନଥିଲା। ଆଜି ରବୀନ୍ଦ୍ର ମଣ୍ଡପରେ ପରିବେଷିତ ଏମିତି ଏକ ନାଟକ ଦର୍ଶକଙ୍କୁ ମଞ୍ଚ ନିକଟରେ ବାନ୍ଧି ରଖିଥିଲା। ଶ୍ୱେତପଦ୍ମା ସାଂସ୍କୃତିକ ପରିବାରର ଜନ୍ମୋତ୍ସବ ଅବସରରେ ଅନୁଷ୍ଠାନର ପ୍ରତିଷ୍ଠାତା ପ୍ରଦୀପ ବିଶ୍ୱାଳଙ୍କ ଦ୍ୱାରା ରଚିତ ଓ ନିର୍ଦ୍ଦେଶିତ ନାଟକ ‘ଅଚିହ୍ନା ରାଇଜର ମଣିଷ’ ଆଜି ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହୋଇଥିଲା। ସମୟ ଗଡ଼ିବା ସହିତ ରାଇଜ ଭିତରେ ପଶି ଆସିଛନ୍ତି କିଛି ଦୁଷ୍ଟ ଲୋକ। କିନ୍ତୁ ରାଇଜର ଏହି ନିୟମରେ ସେମାନେ ପେଶି ହୋଇଯାଇଛନ୍ତି। ଅନନ୍ୟା ଏହା ଦେଖି ପରିବର୍ତ୍ତନ କରିଛନ୍ତି ନିୟମକୁ ଆଉ ମାତୃତ୍ୱ ବନ୍ଧନରେ ଆବଦ୍ଧ କରିଛନ୍ତି ରାକା, ସମ୍ବିତ ଓ ନିଶିକାନ୍ତକୁ। ଏଠାରେ ପ୍ରେମର ହାର ହୋଇ ମାତୃତ୍ୱର ଜୟ ହେଇଛି। ଉତ୍ସବରେ ନାଟ୍ୟକାର ମନ୍ମଥ କୁମାର ଶତପଥୀ ଓ ନାଟ୍ୟ ନିର୍ଦ୍ଦେଶକ ଧୀରେନ୍ଦ୍ର ନାଥ ମଲ୍ଲିକ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ସାରସ୍ୱତ ସଂକଳନ ‘ଶ୍ୱେତପଦ୍ମା’ ଉନ୍ମୋଚିତ ହୋଇଥିଲା। ଏଥିରେ ଓଡ଼ିଶୀ ନୃତ୍ୟଶିଳ୍ପୀ ନୂପୁର ପ୍ରିୟଦର୍ଶିନୀ, ଅଭିନେତ୍ରୀ ନମିତା ଭଟ୍ଟାଚାର୍ଯ୍ୟ, ନାଟ୍ୟ ନିର୍ଦ୍ଦେଶକ ସନ୍ତୋଷ ମହାନ୍ତି, ନିଗମ ମିଶ୍ର, ସମାଜସେବୀ ଗୋବର୍ଦ୍ଧନ ଧଳ ଓ ରବୀନ୍ଦ୍ରନାଥ ପ୍ରଧାନଙ୍କୁ ସମ୍ମାନିତ କରାଯାଇଥିଲା। ନିରଞ୍ଜନ ଦାସଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରତାପ ରାଉତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଉପଦେଷ୍ଟା କୁଳମଣି ମହାନ୍ତି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର