ସ୍ୱିଗି ବୟ ଅପହରଣ ନାଟକ ଘଟଣା: ଆଜି ଭୁବନେଶ୍ବରରେ ପହଞ୍ଚିବେ ଚିକୁନ୍ ଓ ପ୍ରେମିକା

ଚିକୁନ୍‌ ବିରୋଧରେ ଏକାଧିକ ଦଫାରେ ମାମଲା ରୁଜୁ ହେବ

ଭୁବନେଶ୍ବର : ସ୍ବିଗି ବୟ ପତିତପାବନ ପୃଷ୍ଟି ଓରଫ୍‌ ଚିକୁନ ନିଜେ ରଚିଥିବା ଅପହରଣର ନାଟକର ପର୍ଦ୍ଦାଫାସ୍ କରିବା ପରେ ଧଉଳି ପୁଲିସ ମଧ୍ୟପ୍ରଦେଶ କଟ୍‌ନି ରେଳଷ୍ଟେସନ୍‌ରେ ଅଟକ ଥିବା ଚିକୁନ୍ ଓ ତା’ର ପ୍ରେମିକାକୁ ସାଙ୍ଗରେ ଧରି ଭୁବନେଶ୍ବର ଅଭିମୁଖେ ବାହାରିଥିବା ଜଣାପଡ଼ିଛି। ଗୁରୁବାର ଟ୍ରେନ୍ ଭୁବନେଶ୍ବର ପହଞ୍ଚିବା ପରେ ପୁଲିସ ଚିକୁନ୍‌କୁ କୋର୍ଟରେ ହାଜର କରିବ। ଅନ୍ୟପକ୍ଷରେ ଏହି ମିଥ୍ୟା ଅପହରଣ ନାଟକ ରଚିଥିବା ଚିକୁନ୍‌କୁ ବାନ୍ଧିବା ପାଇଁ ପୁଲିସ ନିଜ ଆଡ଼ୁ ଏକାଧିକ ମାମଲା ରୁଜୁ କରିବ ବୋଲି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ଚିକୁନ୍ ତା’ର ପ୍ରେମିକା କହୁଥିବା ଜଣେ ଯୁବତୀକୁ ଅପହରଣ କରିଥିବା ତା’ର ପରିବାରବର୍ଗ ଗୋପ ଥାନାରେ ଅଭିଯୋଗ କରିଥିବାରୁ ତା’ ବିରୋଧରେ ଆଇପିସିର ଦଫା ୩୬୬ରେ ମାମଲା ରୁଜୁ ହୋଇପାରେ। ସେହିପରି ପତ୍ନୀ ସହ ବିଶ୍ବାସଘାତକତା କରିବା ଅଭିଯୋଗରେ ଦଫା ୪୦୬, ନିଜର ଅପହରଣ ହୋଇଥିବା କହି ପତ୍ନୀ ଦ୍ବାରା ମିଥ୍ୟା ଅଭିଯୋଗ କରାଇବା ଆଧାରରେ ଦଫା ୨୦୦, ମିଥ୍ୟା କ୍ରାଇମ୍ ସ୍ପଟ୍‌ ତିଆରି କରିବା ଓ ପ୍ରମାଣ ନଷ୍ଟ କରିବା ନେଇ ଦଫା ୨୦୩, ୨୦୧ ଓ ୨୧୧ ଭଳି ଏକାଧିକ ସଂଗିନ ଦଫା ପୁଲିସ ଚିକୁନ୍ ବିରୋଧରେ ଲାଗିପାରେ ବୋଲି ଜଣାପଡ଼ିଛି।

ଗୁଜରାଟ ଯାଇ ଗ୍ୟାରେଜ୍‌ କରିଥାନ୍ତା ଚିକୁନ୍
ଚିକୁନ୍ ଗୋପ ଅଞ୍ଚଳର ଏହି ପ୍ରେମିକାଙ୍କୁ ନେଇ ଫେରାର ହେବା ପୂର୍ବରୁ କେମିତି ରୋଜଗାର କରି ଚଳିବ ତାହାର ଯୋଜନା ପ୍ରସ୍ତୁତ କରି ସାରିଥିଲା। ଗୋଟିଏ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସେମାନେ ଚିକୁନ୍ ଗୁଜୁରାଟରେ ଥିବା ତା’ର ଜଣେ ସଂପର୍କୀୟ ଭାଇଙ୍କ ପାଖକୁ ଯାଇଥାନ୍ତା। ଏ ନେଇ ଫୋନରେ ତାଙ୍କ ସହ କଥାବାର୍ତ୍ତା କରି ସବୁ ପ୍ରକାର ବ୍ୟବସ୍ଥା ମଧ୍ୟ କରିଥିଲା ଚିକୁନ୍। ସେଠାରେ ସେ ଗାଡ଼ି କମ୍ପାନି କିମ୍ବା କୌଣସି ଗାଡ଼ି ସୋ’ରୁମ୍‌ରେ କାମ ବୁଝି ଦେଇଥାନ୍ତେ। ତେବେ ପସନ୍ଦ ମୁତାବକ କାମ ଯୋଗାଡ଼ କରିପାରି ନ ଥିଲେ ଚିକୁନ୍ ପାଖରେ ଥିବା ୩୦ ହଜାର ଟଙ୍କାରେ ଗାଡ଼ି ମରାମତି ସାମଗ୍ରୀ କିଣି ସେଠାରେ ଏକ ଗ୍ୟାରେଜ୍‌ କରି ରୋଜଗାର କରିବାକୁ ଯୋଜନା କରିଥିଲା। ହେଲେ ତା’ ପୂର୍ବରୁ ମଧ୍ୟପ୍ରଦେଶରେ କାଟନୀ ରେଳ ଷ୍ଟେସନରେ ଆର୍‌ପିଏଫ୍‌ ସେମାନଙ୍କୁ ଧରି ପକାଇଲା; ଆଉ ତା’ର ଯୋଜନା ବିଫଳ ହୋଇଗଲା।

ଗୋପ ଥାନାରେ ବାନ୍ଧବୀକୁ ପୁଲିସର ପଚରାଉଚରା
ଚିକୁନ୍‌ ଗୋପ ଅଞ୍ଚଳର ପ୍ରେମିକାକୁ ନେଇ ଫେରାର ହେବା ପଛରେ ତା’ର ଅନ୍ୟ ଜଣେ ବାନ୍ଧବୀଙ୍କ ପ୍ରତ୍ୟକ୍ଷ ସଂପୃକ୍ତି ରହିଥିବା ପୁଲିସ ଜାଣିବାକୁ ପାଇଛି। ତେଣୁ ଗୋପ ଥାନା ପୁଲିସ ଫେରାର ଯୁବତୀଙ୍କ ବାପାଙ୍କ ଅଭିଯୋଗ ଆଧାରରେ ଏକ ଅପହରଣ ମାମଲା ରୁଜୁ କରିବା ସହ ଆଜି ସଂପୃକ୍ତ ବାନ୍ଧବୀକୁ ଡାକି ପଚରାଉଚରା କରିଛି। ଚିକୁନ୍‌ର ପରିବାର ଲୋକଙ୍କ ସୂଚନା ଅନୁଯାୟୀ ଫେରାର ହୋଇଥିବା ଏହି ଯୁବତୀ ଜଣକ ତାଙ୍କର ଜଣେ ବାନ୍ଧବୀଙ୍କ ମୋବାଇଲ ଫୋନରେ ଚିକୁନ୍‌ ସହ ଅଧିକାଂଶ ସମୟରେ କଥାବାର୍ତ୍ତା ହେଉଥିଲେ। ଯୁବତୀ ଜଣଙ୍କ ଚିକୁନ୍‌ର ଜଣେ ସଂପର୍କୀୟ ଭଉଣୀ ହୋଇଥିବାରୁ ସେ ସେମାନଙ୍କ ମଧ୍ୟରେ ମଧ୍ୟସ୍ଥି ସାଜିଥିଲେ। ଚିକୁନ୍‌ ବିବାହ କରି ସାରିଥିବାରୁ ପରିବାର ଲୋକେ ତା’ର ଏଭଳି ଅନ୍ୟ ଝିଅ ସହି ସଂପର୍କକୁ ବିରୋଧ କରୁଥିଲେ। ମାତ୍ର ଏହି କଥାକୁ ସେଭଳି ଗୁରୁତ୍ବର ସହ ନେଇନଥିଲେ ଚିକୁନ୍। କଲ୍‌ ଡିଟେଲ୍ସ ରିପୋର୍ଟ (ସିଡିଆର) ଆଧାରରେ ଗୋପ ଥାନା ପୁଲିସ ଆଜି ମଧ୍ୟସ୍ଥି ସାଜିଥିବା ସଂପୃକ୍ତ ଯୁବତୀଙ୍କୁ ଥାନାକୁ ଡକାଇ ପଚରାଉଚରା କରିବା ସହ ତା’ର ମୋବାଇଲ ଫୋନ ଜବତ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର