ଝଗଡ଼ାର ଭିଡିଓ ରେକର୍ଡିଂରୁ ତୁମୁଳକାଣ୍ଡ: ଯୁବତୀଙ୍କୁ ସ୍ବିଗି ବୟଙ୍କ ଶକ୍ତ ଚାପୁଡ଼ା

ଭୁବନେଶ୍ବର: ମଙ୍ଗଳବାର ରାଜଧାନୀ ରାଜରାସ୍ତାରେ ଜଣେ ସ୍ବିଗି ବୟ ଜଣେ ଯୁବତୀଙ୍କୁ ଚାପୁଡ଼ା ପରେ ଚାପୁଡ଼ା ମାରିବା ଘଟଣା ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ଘଟଣାଟି ଘଟିଥିଲା ଆଇଜି ପାର୍କ ନିକଟରେ। ଯୁବତୀ ଜଣକ ସେଠାରେ କିଛି ଯୁବକଙ୍କୁ ଅଶାଳୀନ ଭା‌ଷାରେ ଗାଳିଗୁଲଜ କରିବାରୁ ଯୁବକ ଜଣକ ତାଙ୍କୁ ଏଭଳି ମାଡ଼ ମାରିଥିବା ଜଣାପଡ଼ିଛି। ତେବେ ଜଣେ ଯୁବତୀଙ୍କୁ ବିଚ୍‌ ରାସ୍ତାରେ ଏମିତି ମାଡ଼ ମାରିବା ଘଟଣାକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି। ଏମିତିକି ସେଠାରେ ପୁଲିସ ଥିଲେ ମଧ୍ୟ ଯୁବତୀଙ୍କୁ ଉଦ୍ଧାର କରିନଥିବା ଅଭିଯୋଗ ହୋଇଛି। ସେହିଭଳି ଘଟଣାକୁ ବି ବେଶ୍ ହାଲୁକା ଭାବେ ନେଇଛି କ୍ୟାପିଟାଲ ଥାନା ପୁଲିସ। ଅଭିଯୋଗ ହୋଇନଥିବାରୁ ମାମଲା ରୁଜୁ ହୋଇନାହିଁ ବୋଲି ଥାନା ସୂତ୍ରରୁ କୁହାଯାଇଛି।

ଘଟଣାଟି ଥିଲା ଏମିତି। ମଙ୍ଗଳବାର ଅପରାହ୍ଣରେ ଆଇଜି ପାର୍କ ନିକଟରେ ଜଣେ ଯୁବକ ଓ ଜଣେ ଯୁବତୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ଗଣ୍ଡଗୋଳ ହେଉଥିଲା। ସେମାନଙ୍କ କଥାରୁ ଜଣାପଡ଼ୁଥିଲା ସେମାନେ ପ୍ରେମିକ ପ୍ରେମିକା। ବହୁ ସମୟ ପର୍ଯ୍ୟନ୍ତ ଯୁବତୀ ଜଣକ ଉକ୍ତ ଯୁବକକୁ ବିଭିନ୍ନ ଅଶ୍ଳୀଳ ଭାଷାରେ ଗାଳି କରୁଥିଲେ ଓ ହାତ ଉଠାଇ ମାଡ଼ ମାରୁଥିଲେ। ସେହି ସମୟରେ ରାସ୍ତାରେ ଯାଉଥିବା ଲୋକେ ପ୍ରେମୀଯୁଗଳଙ୍କ ଝଗଡ଼ାକୁ ଦେଖୁଥିଲେ। ଏମିତିକି କିଛି ଯୁବକ ସେମାନଙ୍କ ଝଗଡ଼ାକୁ ମୋବାଇଲ୍‌ ଫୋନ୍‌ରେ ରେକର୍ଡିଂ କରୁଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଯୁବତୀ ଜଣକ ଭିଡିଓ ରେକର୍ଡିଂ କରୁଥିବା କିଛି ଯୁବକଙ୍କୁ ଗାଳି ଦେଇଥିଲେ।

ଏମିତିକି ଜଣେ ଯୁବକଙ୍କ ମୋବାଇଲ୍‌ ଫୋନ୍‌ ଝାମ୍ପି ନେଇ ତଳେ କଚାଡ଼ି ଦେଇଥିଲେ। ଯୁବତୀଙ୍କ ଏଭଳି ଉଗ୍ର ଆଚରଣକୁ ସହ୍ୟ କରିପାରିନଥିଲେ ସେଠାରେ ଥିବା ଜଣେ ସ୍ବିଗି ବୟ। ସେ ଯୁବତୀଙ୍କୁ ପ୍ରତିରୋଧ କରିଥିଲେ। କିନ୍ତୁ ସ୍ବିଗି ବୟ ବି ଭିଡିଓ ରେକର୍ଡିଂ କରୁଥିବାରୁ ଯୁବତୀ ଜଣକ ତାଙ୍କୁ ଖରାପ ଭାଷାରେ ଗାଳି ଦେଇଥିଲେ। ଯୁବତୀଙ୍କ ଗାଳି ଶୁଣି ସ୍ବିଗି ବୟ ରାଗି ଯାଇଥିଲେ ଓ ଯୁବତୀଙ୍କୁ ମାଡ଼ ମାରିବା ଆରମ୍ଭ କରିଦେଇଥିଲେ। ଢୋ’ ଢା’ କରି ଶକ୍ତ ଚଟକଣା ମାରି ଲାଗିଥିଲେ। ସେଠାରେ ବହୁ ଲୋକ ଜମା ହୋଇଥିଲେ ବି କେହି ଯୁବତୀଙ୍କୁ ରକ୍ଷା କରିବାକୁ ଆଗେଇ ଆସିନଥିଲେ। କିନ୍ତୁ ଜଣେ ବୟସ୍କ ବ୍ୟକ୍ତି ସ୍କୁଟିରୁ ଓହ୍ଲାଇ ସ୍ବିଗି ବୟଙ୍କୁ ଅଟକାଇଥିଲେ। କିଛି ସମୟ ପୂର୍ବରୁ ରାସ୍ତାରେ ବୋବାଲ୍‌ କରୁଥିବା ଯୁବତୀ ସ୍ବିଗି ବୟଙ୍କ ଶକ୍ତ ଚଟକଣା ଖାଇବା ପରେ କାନମୁଣ୍ଡା ଆଉଁସି ଚୁପ୍‌ଚାପ ସେଠାରୁ ପଳାଇଥିଲେ। କିଛି ସମୟ ପୂର୍ବରୁ ପ୍ରେମିକ ବୋଲି ଅନୁମାନ କରାଯାଉଥିବା ଯୁବକ ବି କେତେବେଳେ ସେଠାରୁ ଚମ୍ପଟ ମାରିସାରିଥିଲେ।

ଏନେଇ କ୍ୟାପିଟାଲ୍‌ ଥାନା ପୁଲିସକୁ ଯୋଗାଯୋଗ କରିବା ପରେ ମାମଲା ରୁଜୁ ହୋଇନଥିବା ଜଣାପଡ଼ିଛି। ଆଇଆଇସି ଗିରିଜାଶଙ୍କର ଚକ୍ରବର୍ତ୍ତୀ କହିଛନ୍ତି ଯେ ସେଭଳି ‌କୌଣସି ଅଭିଯୋଗ ଆସିନାହିଁ। କେହି ଅଭିଯୋଗ କରିନାହାନ୍ତି। ଖବର ପାଇ ପିସିଆର୍‌ ଭ୍ୟାନ୍‌ ଘଟଣାସ୍ଥଳକୁ ଯାଇଥିଲେ ବି କିଛି ପାଇନଥିଲା ବୋଲି ସେ କହିଛନ୍ତି। ତେବେ ଏହି କାଣ୍ଡର ଭିଡିଓ ସହର ସାରା ଘୁରି ବୁଲୁଥିବା ବେଳେ ପୁଲିସ ମାମଲା ରୁଜୁ କରିନଥିବାରୁ ବିଭିନ୍ନ ମହଲରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର