ସ୍ବିଗି ଡେଲିଭରି ବୟ ଅପହରଣ ଘଟଣା: ପତ୍ତା ପାଉନି ପୁଲିସ

ଭୁବନେଶ୍ବର/ଧଉଳି: କୁଆଡ଼େ ଗଲେ ସ୍ବିଗି ଡେଲିଭରି-ବୟ ପତିତପାବନ ପୃଷ୍ଟି? ଅପହର୍ତ୍ତାମାନେ ତାଙ୍କୁ ପଣବନ୍ଦୀ କରି ରଖିଛନ୍ତି ନା କୌଣସି ଅଘଟଣ ଘଟିଛି? ପତିତପାବନଙ୍କ ଅପହରଣ ଘଟଣାକୁ ୪୮ ଘଣ୍ଟା ବିତି ଯାଇଥିବା ବେଳେ ଘଟଣା ସମ୍ପର୍କରେ ସାମାନ୍ୟତମ ଟେର୍ ପାଇ ପାରି ନାହିଁ ଧଉଳି ଥାନା ପୁଲିସ। ସମୟ ଯେତେ ଗଡ଼ୁଛି ଏହି ଅପହରଣ ସେତିକି ରହସ୍ୟମୟ ହୋଇପଡ଼ିଛି। ପରିବାର ଲୋକ ମଧ୍ୟ ନାନା ଆଶଙ୍କା ଭିତରେ ରହିଛନ୍ତି।

ପତିତପାବନଙ୍କ ଶେଷ ଅଡିଓ ମେସେଜ୍, ସିସିଟିଭି କ୍ୟାମେରା ଫୁଟେଜ ଏବଂ କଲ୍ ଡିଟେଲ୍ସ ରେକର୍ଡକୁ ପୁଲିସ ଯାଞ୍ଚ କରିଥିବା ବେଳେ ସେମିତି କିଛି ସୁରାକ୍ ପାଇପାରି ନାହିଁ। ଏପରିକି ଟାଓ୍ଵାର ଡମ୍ପିଂର ସହାୟତା ମଧ୍ୟ ନେଇଛି ପୁଲିସ। ସିଡିଆର ରିପୋର୍ଟ ତଥ୍ୟ ଅନୁସାରେ ପତିତପାବନଙ୍କ ମୋବାଇଲ ଫୋନ୍‌କୁ ଯେଉଁମାନଙ୍କ କଲ୍‌ ଆସିଥିଲା ପୁଲିସ ସେମାନଙ୍କୁ ଯୋଗାଯୋଗ କରି ପଚରାଉଚରା କରିଥିବା ଜଣାପଡ଼ିଛି। ପୁଲିସ ଏହି ଘଟଣାରେ ତାଙ୍କ ଗ୍ରାମର ବାପି ନାମକ ଜଣେ ଯୁବକକୁ ଥାନାକୁ ଡକାଇ ପଚରାଉଚରା କରିଛି। ବାପିଙ୍କୁ ଚିହ୍ନିଛନ୍ତି କି ନାହିଁ ଆଜି ପୁଲିସ ପତିତପାବନଙ୍କ ଭାଇ ପୁରୁଷୋତ୍ତମଙ୍କୁ ପଚାରିଛି।

ପୁରୁଷୋତ୍ତମଙ୍କ କହିବାନୁଯାୟୀ ଧଉଳି ପୁଲିସ ଅପହରଣ ସମୟ ୯ଟା ୪୫ ମିନିଟରୁ ୧୦ଟା ୧୫ ମିନିଟ ସମୟ ମଧ୍ୟରେ ସଂଗ୍ରହ କରିଥିବା ସିସି କ୍ୟାମେରା ଫୁଟେଜ ଦେଖାଇ ସେହି ସମୟ ଭିତରେ କଏଦ ହୋଇଥିବା ଦୁଇଜଣ ବାଇକ ଆରୋହୀଙ୍କୁ ଦେଖାଇଥିଲା ଏବଂ ଭାଇ ପତିତପାବନକୁ ଚିହ୍ନିବା ପାଇଁ କହିଥିଲା। ହେଲେ ସିସି କ୍ୟାମେରା ଫୁଟେଜରେ ଥିବା ଯୁବକ ଦ୍ବୟ ପୋଷାକ ଓ ହେଲମେଟ ଆଦି ଦେଖିବା ପରେ ଏହି ଚିତ୍ର ତାଙ୍କ ଭାଇଙ୍କର ନୁହେଁ ବୋଲି ସେ କହିଛନ୍ତି। ସେହିପରି ଥାନାରେ ପୁଲିସ ପତିତପାବନଙ୍କ ବ୍ୟାଙ୍କ ଆକାଉଣ୍ଟ ନମ୍ବର ସମ୍ପର୍କରେ ମଧ୍ୟ ପଚରାଉଚରା କରିଥିବା ଜଣାପଡ଼ିଛି। ଏତେ ତନାଘନା ସତ୍ତ୍ବେ ୪୮ ଘଣ୍ଟା ପରେ ବି ପତିତପାବନଙ୍କ ସମ୍ପର୍କରେ ସୁରାକ୍ ପାଇବା ତ ଦୂରର କଥା; ତାଙ୍କ ବାଇକ୍ ସମ୍ପର୍କରେ ବି ପୁଲିସ ସାମାନ୍ୟତମ ସୂଚନା ପାଇପାରି ନାହିଁ।

ସୂଚନାଯୋଗ୍ୟ, ଗତ ୧୧ ତାରିଖ ରାତିରେ ସ୍ବିଗି ଡେଲିଭରି ବୟ ପତିତପାବନଙ୍କୁ ଅପହରଣ କରି ନିଆଯାଇଥିବା ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ତାଙ୍କ ପରିବାର ଲୋକଙ୍କ ସୂଚନା ଆଧାରରେ ଧଉଳି ଥାନା ଅଧୀନ ଦୟାବ୍ରିଜ ଲିଙ୍ଗିପୁର ସ୍ଥିତ ଏକ ନିକାଞ୍ଚନ ଜାଗାରୁ ତାଙ୍କ ଚିରାଗଞ୍ଜି, ଏକ ଛୁରି, ବ୍ୟାଗ, ଚପଲ, ପାଣି ବୋତଲ ଆଦି ଜବତ କରିଥିଲା।

ସମ୍ବନ୍ଧିତ ଖବର