ଭୁବନେଶ୍ବର: ଆଜ୍ ବ୍ଲୁ ହୈ ପାନି ପାନି ପାନି... ସଙ୍ଗୀତର ତାଳେ ତାଳେ ପାଣି ଭିତରେ ଝୁମି ଝୁମି ଯୁବପିଢ଼ିଙ୍କୁ ନୃତ୍ୟରେ ମତୁଆଲା ହେଉଥିବା ଦେଖିବାକୁ ମିଳୁନି। ସୁଇମିଂ ସୁଟ୍ରେ କୁନି କୁନି ପିଲାଙ୍କୁ ସନ୍ତରଣ କରୁଥିବା ଦୃଶ୍ୟ ବି ନଜରକୁ ଆସୁନି। ୱାଟର୍ ପାର୍କ, ସୁଇମିଂପୁଲ୍ ଓ ଜଳକ୍ରୀଡ଼ା; ଏସବୁ ଏବେ ଟିଭି ପରଦାର କଥା କିମ୍ବା କେଉଁ ଏକ ଯୁଗର ଅବସର ବିନୋଦନର ମାଧ୍ୟମ ଥିଲା ବୋଲି ମନେ ହେଉଛି। ଗ୍ରୀଷ୍ମଋତୁ ଆସିଲେ ଗରମ ଓ ଗୁଳୁଗୁଳିରୁ ରକ୍ଷା ପାଇବାକୁ ଖୋଜାପଡ଼ୁଥିବା ୱାଟର୍ ପାର୍କ କଥା ଆଉ କାହାର ମନେ ପଡ଼ୁନାହିଁ। ପିଲାଙ୍କୁ ଖରା ଛୁଟିରେ ଆତ୍ମରକ୍ଷା କୌଶଳ ସହ ଦକ୍ଷତା ବୃଦ୍ଧି କରିବା ଦିଗରେ ଦିଆଯାଉଥିବା ସନ୍ତରଣ ତାଲିମ୍ରେ ଏବେ ତାଲା ଝୁଲୁଛି। ଖରା ଦିନେ ସନ୍ତରଣ ଶିକ୍ଷା ଓ ୱାଟର୍ ପାର୍କ ମସ୍ତି ସହରୀ ଜୀବନଶୈଳୀର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ହୋଇଥିବା ବେଳେ କରୋନା ଲକ୍ଡାଉନ୍ ଏ ସବୁରେ ବିରାମ ଲଗାଇଛି। ଖରା, ଗରମରେ ଘରେ ବସି କେବଳ ଗତବର୍ଷ ସ୍ମୃତିକୁ ମନେ ପକାଇବା ବ୍ୟତୀତ ସହରିଆଙ୍କ ପାଖେ ଏବେ ଅନ୍ୟ କିଛି ଉପାୟ ନାହିଁ।
ପିଲାମାନଙ୍କୁ ମାନସିକ ଓ ଶାରୀରିକସ୍ତରରେ ସୁସ୍ଥ ରଖିବା ଉଦ୍ଦେଶ୍ୟରେ ଅଭିଭାବକମାନେ ସେମାନଙ୍କୁ ସୁଇମିଂ ପ୍ରଶିକ୍ଷଣ ପାଇଁ ପଠାଇଥାନ୍ତି। ଏହାକୁ ନଜରରେ ରଖି ବିଭିନ୍ନ ହୋଟେଲରେ ବି ସୁଇମିଂ ପ୍ରଶିକ୍ଷଣ ପାଇଁ ସ୍ବତନ୍ତ୍ର ପ୍ୟାକେଜ୍ ରହୁଥିଲା। ଅଭିଭାବକମାନେ ଏଥିପାଇଁ ହାତ ଖୋଲା ଖର୍ଚ୍ଚ କରୁଥିବା ବେଳେ ହୋଟେଲଗୁଡ଼ିକ ବି ବେଶ୍ ଦୁଇ ପଇସା ଲାଭ କରିପାରୁଥିଲେ। ମାର୍ଚ୍ଚ ୧୫ରୁ ଜୁନ୍ ୧୫, ଏହି ୩ ମାସ ରାଜଧାନୀରେ ସୁଇମିଂ ଶିକ୍ଷା ଏକ ଟ୍ରେଣ୍ଡ ସୃଷ୍ଟି କରୁଥିଲା। କିନ୍ତୁ ଏବେ ସବୁ ଯେମିତି ନିରବ। ସୁଇମିଂ ପୁଲ୍, ପିଲାମାନେ ବି। କଳିଙ୍ଗ ଷ୍ଟାଡିୟମରେ ସନ୍ତରଣ ଶିଖାଯାଏ। ଫି’ କମ୍ ରହିଥିବାରୁ ବର୍ଷତମାମ ଏଠାରେ ସନ୍ତରଣ ଶିକ୍ଷାର୍ଥୀଙ୍କ ଭିଡ଼ ଲାଗି ରୁହେ। ଖରାଦିନେ ଭିଡ଼ ବଢ଼ିଯାଏ। ସକାଳ ସାଢ଼େ ୬ଟାରୁ ସାଢ଼େ ୯ ଓ ଅପରାହ୍ଣ ୪ଟାରୁ ସଂଧ୍ୟା ୭ଟା ଯାଏଁ ୮ଟା ଲେଖାଏ କ୍ଲାସ୍ ହେଉଥିବା ବେଳେ ପ୍ରତି ବ୍ୟାଚ୍ରେ ୩୦ରୁ ୩୫ଜଣ ସନ୍ତରଣ ଶିକ୍ଷା କରିଥା’ନ୍ତି। କିନ୍ତୁ ପ୍ରତିବର୍ଷ ପିଲାମାନଙ୍କ ଗହଳଚହଳ ଓ କୋଳାହଳରେ ଫାଟି ପଡ଼ୁଥିବା ପୁଲ୍ଗୁଡ଼ିକ ଏବେ ନିରବ। ଗତ ବର୍ଷ ଫନିରେ ଅସ୍ତବ୍ୟସ୍ତ ପୁଲକୁ ସଜାଡ଼ିବା ପାଇଁ ପ୍ରାୟ ଦେଢ଼ ମାସ ପର୍ଯ୍ୟନ୍ତ ସନ୍ତରଣ ଶିକ୍ଷା ବନ୍ଦ ରହିଥିଲା। ଫଳରେ ଗତବର୍ଷ ବି ପିଲାମାନଙ୍କ ସମର ସୁଇମିଂ କ୍ଲାସ୍ ହୋଇପାରି ନଥିଲା। ଚଳିତ ବର୍ଷ ବି କରୋନା ପାଇଁ ସେଇ ଅବସ୍ଥା।
ରାଜଧାନୀର ସମସ୍ତ ବଡ଼ ବଡ଼ ହୋଟେଲରେ ବି ଏହି ପ୍ରଶିକ୍ଷଣ ଦିଆଯାଉଥିଲା। ଏଥିପାଇଁ ହୋଟେଲଗୁଡ଼ିକରେ ବି ଗହଳି ଲାଗି ରହୁଥିଲା। ହୋଟେଲ ସ୍ବସ୍ତି ପ୍ରିମିୟମ୍ର ଆର୍ଡିଏମ୍ ସୌଭାଗ୍ୟ ମଞ୍ଜରୀ ପଣ୍ଡା କହିଛନ୍ତି, ପ୍ରତିବର୍ଷ ମାର୍ଚ୍ଚ ଶେଷ ଆଡ଼କୁ ସୁଇମିଂ କ୍ଲାସ୍ ଆରମ୍ଭ ହୋଇଯାଉଥିଲା। ୫ବର୍ଷରୁ ଊର୍ଧ୍ବ ବୟସର ପିଲାମାନେ ଏଥିରେ ଯୋଗ ଦେଉଥିଲେ। ସକାଳ ଓ ଅପରାହ୍ଣରେ କ୍ଲାସ୍ ହେଉଥିଲା। ପ୍ରତିବର୍ଷ ପ୍ରାୟ ୧୦୦ରୁ ଊର୍ଧ୍ବ ଶିକ୍ଷାର୍ଥୀ ଏଥିରେ ଯୋଗ ଦେଉଥିବା ବେଳେ ହୋଟେଲ ବେଶ୍ କିଛି ଲାଭ କରିପାରୁଥିଲା। କିନ୍ତୁ ଲକ୍ଡାଉନ୍ ଯୋଗୁଁ ହୋଟେଲ ବନ୍ଦ ରହିବା ସହ ଏସବୁ ମଧ୍ୟ ବନ୍ଦ ହୋଇଯାଇଛି। ଅନ୍ୟପଟେ ଗ୍ରୀଷ୍ମରେ ଯୁବପିଢ଼ିଙ୍କ ମସ୍ତିର ଅନ୍ୟ ଏକ ସ୍ଥାନ ‘ୱାଟର ପାର୍କ’ରେ ବି ସମାନ ଅବସ୍ଥା।