ଭୁବନେଶ୍ବର: ଦିନ ଦିପ୍ରହରରେ ରାଜଧାନୀରେ ବୁଲିଛି ଖଣ୍ଡା, ଭୁଜାଲି। ୧୦/୧୫ ଯୁବକ ସଂଘବଦ୍ଧ ହୋଇ ଗୋଡ଼େଇ ଗୋଡ଼େଇ ବିଚ୍ ରାସ୍ତାରେ ଜଣେ ଯୁବକଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଛନ୍ତି। ଗୁରୁବାର ଦିନ ଏଭଳି ଛାତିଥରା ଦୃଶ୍ୟ ଦେଖିବାକୁ ମିଳିଛି ଭିଏସ୍ଏସ୍ନଗର ପଛପଟ ପଥରବନ୍ଧ ବସ୍ତିରେ। ଅପରାଧୀଙ୍କ ଆକ୍ରମଣ ଯୋଗୁ ଆଜାଦ୍ ଶବର ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଗୁରୁବାର ସକାଳ ପ୍ରାୟ ସାଢ଼େ ୧୦ଟା ସମୟରେ ଆଜାଦ ଭିଏସ୍ଏସ୍ ନଗରରୁ କାମ ସାରି ପଥରବନ୍ଧ ବସ୍ତିସ୍ଥିତ ଘରକୁ ଫେରୁଥିଲେ। ସେ ରାସ୍ତାରେ ଯାଉଥିବା ବେଳେ କିଛି ଯୁବକ ତାଙ୍କୁ ଗାଳିଗୁଲଜ କରିଥିଲେ। ପ୍ରତିବାଦ କରିବାରୁ ହଠାତ୍ କାରରୁ ୧୦/୧୫ ଯୁବକ ବାହାରି ତାଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ।
ଆକ୍ରମଣରୁ ବର୍ତ୍ତିବା ଲାଗି ଆଜାଦ୍ ଜୀବନ ବିକଳରେ ଦୌଡ଼ିଥିଲେ। ହେଲେ ରକ୍ତମୁଖା ଯୁବକମାନେ ତାଙ୍କୁ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ମୁଣ୍ଡ, ପିଠି, ହାତକୁ ଚୋଟ ଉପରେ ଚୋଟ ମାରିଚାଲିଥିଲେ। ଯୁବକମାନଙ୍କର ଏଭଳି ଭୟଙ୍କର ରୂପ ଦେଖି କେହି ଅଟକାଇବାକୁ ସାହସ ଜୁଟାଇ ନଥିଲେ। ଫଳରେ ଆଜାଦ ରକ୍ତାକ୍ତ ହୋଇ ତଳେ ପଡ଼ିଯିବାରୁ ଯୁବକମାନେ ସେଠାରୁ ଚମ୍ପଟ ମାରିଥିଲେ। ଏହାକୁ ନେଇ ସେଠାରେ ଉତ୍ତେଜନା ଦେଖାଦେଇଥିଲା। ଖବର ପାଇ ସହିଦନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆଜାଦଙ୍କୁ ଉଦ୍ଧାର କରି କ୍ୟାପିଟାଲ୍ ହସ୍ପିଟାଲ୍ରେ ଭର୍ତ୍ତି କରିଥିଲା। ଏନେଇ ଆଜାଦ ଥାନାରେ ଅଭିଯୋଗ କରିବା ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଛି।