ଶ୍ୟାମାମଣି ଦେବୀଙ୍କୁ ଗାନ୍ଧର୍ବ କଳା ସମ୍ମାନ

ଭୁବନେଶ୍ବର: ଗାନ୍ଧର୍ବ କଳା ପରିଷଦ ପକ୍ଷରୁ ନୃତ୍ୟ କାର୍ଯ୍ୟକ୍ରମ ସହ ପୂଜ୍ୟପୂଜାର କାର୍ଯ୍ୟକ୍ରମ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ‌ ହୋଇଯାଇଛି। ଏହି ଅବସରରେ ବିଶିଷ୍ଟ କଣ୍ଠଶିଳ୍ପୀ ଶ୍ୟାମାମଣି ଦେବୀଙ୍କୁ ଡ. ଦିବାକର ମିଶ୍ର ଗାନ୍ଧର୍ବ କଳା ଆଜୀବନ ସାଧନା ସମ୍ମାନ ପ୍ରଦାନ କରାଯାଇଥିଲା। ବିଶିଷ୍ଟ କଥାଶିଳ୍ପୀ ଗୌରହରି ଦାସଙ୍କ ନିମନ୍ତେ ଗାନ୍ଧର୍ବ ଶବ୍ଦ କଳା ସମ୍ମାନ ଗ୍ରହଣ କରିଥିଲେ ସଂଜୟ ଭଟ୍ଟ। ଓଡ଼ିଶୀ ନୃତ୍ୟଗୁରୁ ରତିକାନ୍ତ ମହାପାତ୍ରଙ୍କୁ ଗାନ୍ଧର୍ବ ସଂଗୀତ କଳା ସମ୍ମାନ ଏବଂ ଭାସ୍କର୍ଯ୍ୟ ଶିଳ୍ପୀ କବିତା ମହାନ୍ତିଙ୍କୁ ଗାନ୍ଧର୍ବ ଦୃଶ୍ୟକଳା ସମ୍ମାନ ପ୍ରଦାନ କରାଯାଇଥିଲା। ଏହି ଅବସରରେ ବିଶିଷ୍ଟ କଥାଶିଳ୍ପୀ ଶାନ୍ତନୁ କୁମାର ଆଚାର୍ଯ୍ୟ ଉଦ୍‌ଘାଟକ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦେଶକ ବିଜୟ ନାୟକ ମୁଖ୍ୟ ଅତିଥି ଏବଂ ଚିତ୍ରଶିଳ୍ପୀ ଜଗଦୀଶ ଚନ୍ଦ୍ର କାନୁନ୍‌ଗୋ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ।

ସାଂସ୍କୃତିକ କାର୍ଯକ୍ରମରେ ଶ୍ରୀକୃଷ୍ଣଙ୍କୁ ଓଡ଼ିଶୀ ନୃତ୍ୟରେ ଚିତ୍ରଣ କରିଥିଲେ ନୃତ୍ୟଗୁରୁ ରତିକାନ୍ତ ମହାପାତ୍ର। ତାଙ୍କ ପରେ ସୋନାଲି ମହାପାତ୍ର ଶ୍ରୀ ଗୀତଗୋବିନ୍ଦର କିଛି କଥାସାରକୁ ନୃତ୍ୟରେ ଭେଟି ଦେଇଥିଲେ। ଗୀତାଞ୍ଜଳି ମହାପାତ୍ର ଓ ମମତା ଉପାଧ୍ୟାୟଙ୍କ ଦ୍ବୈତ ନୃତ୍ୟରେ ମାରୁ ବିଭାଗ ପଲ୍ଲବୀ ଦେଖିବାକୁ ମିଳିଥିଲା। ଶେଷରେ ଗାନ୍ଧର୍ବ କଳା ପରିଷଦର ଶିଳ୍ପୀମାନେ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ। ଅନୁଷ୍ଠାନର ସଭାପତି ଶଙ୍କର୍ଷଣ ପରିଡ଼ା ସ୍ବାଗତ ଭାଷଣ ଏବଂ ସାଧାରଣ ସମ୍ପାଦିକା ଗାୟତ୍ରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଡ. ମୃତ୍ୟୁଞ୍ଜୟ ରଥ ଓ ଅନନ୍ୟା ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଭାଗବତ ପାଟ୍ଟଯୋଶୀ, ବିକାଶ ଚନ୍ଦ୍ର ପଣ୍ଡା ଓ ସଂଜୟ ଭଟ୍ଟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର