ଲକ୍ଷଣ ଓ ରୋଗାକ୍ରାନ୍ତ ଏବେ ରେଡ୍‌ ଫ୍ଲାଗ୍‌ ଶ୍ରେଣୀର

ରେଡ୍‌ ଫ୍ଲାଗ୍ ଆକ୍ରାନ୍ତଙ୍କୁ ତିନି ଦିନ ପର୍ଯ୍ୟନ୍ତ ଲଗାତାର ଫୋନ୍ ଯିବ, ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରହିବ

ଭୁବନେଶ୍ବର : ରାଜଧାନୀର ମୋଟ୍‌ ଆକ୍ରାନ୍ତଙ୍କର ୮୫%ରୁ ଅଧିକ ଗୃହ ସଙ୍ଗରୋଧରେ ଥିବାବେଳେ ସେମାନଙ୍କୁ ଆଜି ବିଏମ୍‌ସି ଦୁଇ ଭାଗରେ ବିଭକ୍ତ କରିଛି। ଯେଉଁମାନଙ୍କର କୌଣସି ଲକ୍ଷଣ ନାହିଁ ସେମାନଙ୍କୁ ଗ୍ରିନ୍‌ ଫ୍ଲାଗ୍‌ ଶ୍ରେଣୀର ଆକ୍ରାନ୍ତ କୁହାଯାଉଛି। ଯେଉଁମାନଙ୍କର ମଧ୍ୟମରୁ ଅଧିକ ଲକ୍ଷଣ ଅଛି, ଯେଉଁମାନେ ଏକାଧିକ ରୋଗରେ ଆକ୍ରାନ୍ତ ସେମାନଙ୍କୁ ବିଏମ୍‌ସି ରେଡ୍‌ ଫ୍ଲାଗ୍ ଶ୍ରେଣୀର ଆକ୍ରାନ୍ତ ଭାବେ ତାଲିକାଭୁକ୍ତ କରିଛି। ଆଉ ରେଡ୍‌ଫ୍ଲାଗ୍‌ ଆକ୍ରାନ୍ତଙ୍କ ଚିକିତ୍ସାକୁ ଗୁରୁତ୍ବ ଦେଇଛି।

ବିଏମ୍‌ସି କମିସନର ସଂଜୟ ସିଂହ କହିଛନ୍ତି ଯେ, କରୋନାର ଦ୍ବିତୀୟ ଲହରର ଭୟବହତାକୁ ଦେଖି ଆକ୍ରାନ୍ତଙ୍କୁ ଦୁଇ ଶ୍ରେଣୀରେ ବିଭକ୍ତ କରାଯାଇଛି। ରେଡ୍‌ ଫ୍ଲାଗ୍‌ ଆକ୍ରାନ୍ତଙ୍କର ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖିବା ପାଇଁ ତିନିଦିନ ଲଗାତାର ଫୋନ୍‌ କରିବାକୁ ନିଷ୍ପତ୍ତି ହୋଇଛି। ସେମାନଙ୍କର ସ୍ବାସ୍ଥ୍ୟାବସ୍ଥା କିପରି ଅଛି, କ’ଣ ଔଷଧ ଖାଉଛନ୍ତି ତାହାକୁ ଅନୁଧ୍ୟାନ କରି ଆବଶ୍ୟକୀୟ ପରାମର୍ଶ ଦେବାକୁ ନିଷ୍ପତ୍ତି ହୋଇଛି। ମଙ୍ଗଳବାର ସଂଧ୍ୟାରୁ ୧୯୨୯ କଲ୍‌ ସେଣ୍ଟରରୁ ରେଡ୍‌ ଫ୍ଲାଗ୍ ଆକ୍ରାନ୍ତଙ୍କୁ ଫୋନ୍‌ କରିବା ଆରମ୍ଭ ହୋଇଛି। ଗତକାଲି ୨୨ଜଣ ଆକ୍ରାନ୍ତଙ୍କୁ ଫୋନ୍‌ କରି ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝାଯାଇଛି। ସେମାନଙ୍କୁ ଫୋନ୍‌ କରି ଆର୍ଆର୍‌ଟି ମାଧ୍ୟମରେ ଔଷଧ ଦେବାକୁ ନିଷ୍ପତ୍ତି ହୋଇଛି। ଆର୍ଆର୍‌ଟିରେ ଡାକ୍ତର ଥିବାରୁ ଗୃହ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଥିବା ଆକ୍ରାନ୍ତଙ୍କୁ ଯଥାସମ୍ଭବ ଶୀଘ୍ର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇପାରିବ। ଏବେ ୧୯୨୯ କଲ୍‌ ସେଣ୍ଟରରେ ସକା‌ଳ ଓ ଅପରାହ୍ନ ସିଫ୍ଟରେ ୭ଜଣ ଲେଖାଏଁ ଡାକ୍ତର ରହୁଥିବାବେଳେ ରାତିରେ ୪ଜଣ ଲେଖାଏଁ ଡାକ୍ତର ରହୁଛନ୍ତି।

୯୨୫ ଆକ୍ରାନ୍ତ, ୮୫୫ସୁସ୍ଥ
ଭୁବନେଶ୍ବର : ବୁଧବାର ରାଜଧାନୀରେ ପୁଣି ଦୈନିକ ସଂକ୍ରମିତଙ୍କ ସଂଖ୍ୟା ହଜାରେ ତଳକୁ ଖସିଛି। ଆଜି ୯୨୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୮୫୫ଜଣ ସୁସ୍ଥ ହୋଇଛନ୍ତି। ୨ଜଣଙ୍କର ମୃତ୍ୟୁ ହୋଇଛି। ଏହାପରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୪୫୭୪ରେ ପହଞ୍ଚିଥିବାବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୩୪୧ ହୋଇଛି। ମୋଟ୍ ମୃତକଙ୍କ ସଂଖ୍ୟା ୩୦୧ରେ ପହଞ୍ଚିଛି। ଆଜି ପଟିଆରୁ ସର୍ବାଧିକ ୫୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଚନ୍ଦ୍ରଶେଖରପୁରରୁ ୩୦, ଖଣ୍ଡଗିରିରୁ ୩୪, ଲକ୍ଷ୍ମୀସାଗରରୁ ୨୪, ବଡ଼ଗଡ଼ରୁ ୨୧, ଜୟଦେବ ବିହାରରୁ ୨୦, ମଞ୍ଚେଶ୍ବରରୁ ୨୭, ବରମୁଣ୍ଡାରୁ ୩୩, ଡୁମଡୁମାରୁ ୪୦, ଝାରପଡ଼ାରୁ ୩୨, ନୂଆପଲ୍ଲୀରୁ ୩୩, ଭରତପୁରରୁ ୧୫, ଭୀମଟାଙ୍ଗିରୁ ୧୯, ନୀଳାଦ୍ରିବିହାରରୁ ୧୬, ୟୁନିଟ-୯ରୁ ୧୮, ସାମନ୍ତରାପୁରରୁ ୧୮, ଟଙ୍କପାଣି ରୋଡରୁ ୧୫, ପୁରୁଣା ଭୁବନେଶ୍ବରରୁ ୫୦, ଶିଖରଚଣ୍ଡୀ ନଗରରୁ ୧୩, ୟୁନିଟ-୬ରୁ ୧୮, ରସୁଲଗଡ଼ରୁ ୨୬, ସହିଦନଗରରୁ ୧୨, ୟୁନିଟ-୮ରୁ ୧୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧିତ ଖବର