ଛାତ୍ରଛାତ୍ରୀ ଦେଖିଲେ ପାରମ୍ପରିକ ଗ୍ରାମ୍ୟ ଶିଳ୍ପର ପ୍ରଦର୍ଶନୀ

ଭୁବନେଶ୍ୱର: ବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀଙ୍କୁ ପାରମ୍ପରିକ ଗ୍ରାମୀଣ ଶିଳ୍ପ ତଥା ଗ୍ରାମୀଣ ଅର୍ଥନୀତି ସମ୍ପର୍କରେ ସଚେତନ କରାଇବା ପାଇଁ ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ଏକ ଅଭିନବ ଉଦ୍ୟମ ଆରମ୍ଭ କରିଛି। ଏହାର ପ୍ରଥମ କାର୍ଯ୍ୟ ଭାବେ କଳିଙ୍ଗ ନଗର ଡିଏଭି ସ୍କୁଲ୍‌ ଛାତ୍ରଛାତ୍ରୀଙ୍କୁ ଟେରାକୋଟାର ଲାଇଭ୍‌ ଡେମୋ ଦେଖାଯାଇଥିଲା। ବିଦ୍ୟାଳୟ ନିକଟରେ ଥିବା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡର ଏକ ପୁରାତନ ମୃତ୍ତିକା ଓ ଟେରାକୋଟା ଶିଳ୍ପ ସମିତି ପରିସରରେ ଶତାଧିକ ଛାତ୍ରଛାତ୍ରୀମାନଙ୍କୁ ମୃତ୍ତିକା ଶିଳ୍ପଗୁରୁ ମନ୍ଦର ରଣା ଓ ତାଙ୍କ ସହଯୋଗୀମାନେ ପ୍ରଦର୍ଶନ କରିଥିଲେ। ଏଥିରେ ଖଦି ବୋର୍ଡର ସଭାପତି ତେଜେଶ୍ୱର ପରିଡ଼ା ଯୋଗ ଦେଇ ଗ୍ରାମୀଣ ଅର୍ଥନୀତିକୁ ଦୃଢ଼ କରିବା ତଥା କୌଳିକ କାରୀଗରଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏହିପରି ଉତ୍ପାଦଗୁଡ଼ିକର ବହୁଳ ବ୍ୟବହାର ପାଇଁ ପରିବାର ଓ ଆତ୍ମୀୟ ସ୍ୱଜନଙ୍କୁ ପ୍ରବର୍ତ୍ତାଇବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଆହ୍ଵାନ ଦେଇଥିଲେ। ଆଗାମୀ ଦିନରେ ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳର ଛାତ୍ରଛାତ୍ରୀମାନଙ୍କୁ ନେଇ ଏହିପରି କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ଶ୍ରୀ ପରିଡ଼ା ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର