ରସୁଲଗଡ଼ରେ ସଚେତନତା କାର୍ଯ୍ୟକ୍ରମ ‘ତମାଖୁ କର୍କଟ ରୋଗର ମୁଖ୍ୟ କାରଣ’

ଭୁବନେଶ୍ବର: ତମାଖୁ କର୍କଟ ରୋଗର ମୁଖ୍ୟ କାରଣ। ବିଶେଷ କରି ମୁଖ ଗହ୍ବର କର୍କଟ ରୋଗରେ ପୀଡ଼ିତ ରୋଗୀଙ୍କ ମଧ୍ୟରୁ ୯୦ ପ୍ରତିଶତଙ୍କ କ୍ଷେତ୍ରରେ ତମାଖୁ ସେବନ ରୋଗର ମୁଖ୍ୟ କାରଣ ବୋଲି ଜଣାପଡ଼ିଛି। ସେମାନେ ତମାଖୁ ସେବନ କରି ନିଜ ପାଇଁ ଓ ନିଜ ପରିବାର ପାଇଁ ସମସ୍ୟାକୁ ଡାକି ଆଣିଥାନ୍ତି। ତମାଖୁ ସେବନକୁ ଏଡ଼ାଇ ପାରିଲେ କର୍କଟ ରୋଗକୁ ବହୁ ପରିମାଣରେ ଏଡ଼ାଇ ହେବ ବୋଲି ଇଣ୍ଡିଆନ୍‌ ଡେଣ୍ଟାଲ୍‌ ଆସୋସିଏସନ୍‌ (ଆଇଡିଏ) କନିକା ଶାଖାର ଅଧ୍ୟକ୍ଷ ପ୍ରଫେସର ଡାକ୍ତର ସନ୍ଦୀପ ସାମଲ କହିଛନ୍ତି। ଆଜି ବିଶ୍ବ ତମାଖୁ ବର୍ଜନ ଦିବସ ଅବସରରେ ଭୁବନେଶ୍ବର ରସୁଲଗଡ଼ସ୍ଥିତ ଟ୍ରକ୍‌ ଟର୍ମିନାଲ୍‌ ପରିସରରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଏହା ପ୍ରକାଶ କରିଛନ୍ତି। ଆସୋସିଏସନ୍‌ ଅଫ୍ ଓରାଲ୍‌ ମାକ୍ସିଲୋ ଫେସିଆଲ୍‌ ସର୍ଜନ୍‌ସ ଇଣ୍ଡିଆ ଆନୁକୂଲ୍ୟରେ ଭୁବନେଶ୍ବର ଟ୍ରକ୍‌ ମାଲିକ ସଂଘ ଏବଂ ଆଇଡିଏର ସହଯୋଗରେ ଏହି ମୁଖ ଗହ୍ବର କର୍କଟ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା। ଶିବିରରେ ପ୍ରାୟ ୨୦୦ ଜଣ ଟ୍ରକ୍‌ ଚାଳକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହ ସେମାନଙ୍କୁ ତମାଖୁ ସେବନର ଭୟାବହତା ସଂପର୍କରେ ସଚେତନ କରାଯାଇଥିଲା। ଏଥିରେ ଆଇଡିଏ କନିକା ଶାଖା ଅଧ୍ୟକ୍ଷ ଡାକ୍ତର ସାମଲଙ୍କ ସମେତ ଆଇଡିଏ ସେଣ୍ଟ୍ରାଲ କାଉନ୍‌ସିଲ ସଦସ୍ୟ ଡାକ୍ତର ସୁବାସ ନାୟକ, ଡାକ୍ତର ରାଜଦୀପ, ଡାକ୍ତର ଅବିନାଶ ପ୍ରମୁଖ ଯୋଗ ଦେଇ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ଶିବିରକୁ ଟ୍ରକ୍‌ ମାଲିକ ସଂଘ ସଂପାଦକ ଈଶ୍ବର ନାୟକ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର