ବିଜେବି କଲେଜ ଛାତ୍ରୀଙ୍କ ପକ୍ଷରୁ ତମାଖୁ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର: କଳ୍ପନା ସ୍ଥିତ ପାଣି ଟାଙ୍କି ବସ୍ତିଠାରେ ବିଜେବି ସ୍ୱୟଶାସିତ ମହାବିଦ୍ୟାଳୟର ସମାଜସେବା ବିଭାଗ ଛାତ୍ରୀମାନଙ୍କ ପକ୍ଷରୁ ତମାଖୁ ବର୍ଜନ ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ବିଶେଷ କରି ଛୋଟ ଛୋଟ ପିଲାମାନଙ୍କୁ ତମାଖୁଠାରୁ ଦୂରେଇ ରଖିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏ ନେଇ ପୂର୍ବରୁ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଉକ୍ତ ବସ୍ତିରେ ଏକ ସର୍ବେକ୍ଷଣ କରାଯାଇଥିଲା। ଛୋଟ ଛୋଟ ପିଲାମାନଙ୍କ ଦ୍ଵାରା ସେମାନଙ୍କ ଅଭିଭାବକ ତମାଖୁ ଜାତୀୟ ଦ୍ରବ୍ୟ ଗୁଟ୍‌ଖା, ଖଇନି, ବିଡ଼ି, ସିଗାରେଟ୍‌ ଆଦି ବଜାରରୁ ଆଣୁଥିବା ଜଣାପଡ଼ିଥିଲା। ଫଳରେ ଧୀରେ ଧୀରେ ଛୋଟ ପିଲାମାନେ ଏହି ତମାଖୁରେ ଅଭ୍ୟସ୍ତ ହୋଇପଡ଼ୁଛନ୍ତି। ଏଣୁ ଏହି ବସ୍ତିରେ ତମାଖୁର ବ୍ୟବହାରକୁ ନିୟନ୍ତ୍ରଣ କରିବା ତଥା ଏହାଠାରୁ ପିଲାମାନଙ୍କୁ ଦୂରେଇ ରଖିବା ପାଇଁ ଏକ ସଚେତନତା ଶୋଭଯାତ୍ରା ଆୟୋଜନ କରାଯାଇଥିଲା। ଏଥିରେ ବସ୍ତିର ବହୁ କୁନି କୁନି ପିଲା ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇ ମହମ୍ମଦ ଇମ୍ରାନ ଅଲ୍ଲୀ ତମାଖୁର ଅପକାରିତା ବିଷୟରେ ଅବଗତ କରାଇବା ସହ ଛୋଟ ପିଲାମାନଙ୍କୁ ଏହାଠାରୁ ଦୂରେଇ ରଖିବା ପାଇଁ ବସ୍ତିବାସିନ୍ଦାଙ୍କୁ ନିବେଦନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଟ୍ଵିଙ୍କିଲ ବିଶ୍ୱାଳ, ଦିବ୍ୟଦର୍ଶିନୀ ଦାସ, ପୂଜାରାଣୀ ନାୟକ, ପ୍ରିୟଙ୍କା ପାଣି, ସ୍ନିଗ୍ଧା ଦାଶ, ମଧୁଛନ୍ଦା ପ୍ରଧାନଙ୍କ ସମେତ ବହୁ ଛାତ୍ରୀ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର