ତମାଖୁମୁକ୍ତ ବାର୍ତା ଦେଇ ଲିମ୍‌କା ବୁକ୍‌ରେ ଓଡ଼ିଆ ଯୁବକ

ଭୁବନେଶ୍ବର: ତମାଖୁମୁକ୍ତ ସମାଜର ବାର୍ତା ଦେଇ ଲିମ୍‌କା ବୁକ୍ ଅଫ ରେକର୍ଡସରେ ସ୍ଥାନ ପାଇଛନ୍ତି ଓଡ଼ିଆ ଯୁବକ ମହମ୍ମଦ ଇମ୍ରାନ୍ ଅଲ୍ଲୀ। ଚଳିତ ମେ ୩୧ତାରିଖ ବିଶ୍ବ ତମାଖୁ ବର୍ଜନ ଦିବସରେ ଇମ୍ରାନ୍‌ଙ୍କ ତମାଖୁମୁକ୍ତ ବାର୍ତା ଦେଶର ୧୯ଟି ରାଜ୍ୟର ୫୪ଟି ଗୋଷ୍ଠୀ ବେତାର କେନ୍ଦ୍ରରେ ପ୍ରସାରିତ ହୋଇଥିଲା। ଆସନ୍ତାବର୍ଷ ଫେବ୍ରୁଆରି ମାସରେ ଇମ୍ରାନ୍‌ଙ୍କୁ ଲିମ୍‌କା ବୁକ୍ ପକ୍ଷରୁ ସାର୍ଟିଫିକେଟ୍ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି। ସୂଚନା ଅନୁଯାୟୀ, ଗୋଷ୍ଠୀ ବେତାର କେନ୍ଦ୍ର ଜରିଆରେ ଇମ୍ରାନ୍ ତମାଖୁମୁକ୍ତ ଶୈଶବର ବାର୍ତା ଦେଇଥିଲେ। ଛୋଟ ଶିଶୁଙ୍କ ହାତରେ ତମାଖୁଜାତୀୟ ଦ୍ରବ୍ୟକୁ ନ ମଗାଇବାକୁ ଅଭିଭାବକ ଓ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ଅନୁରୋଧ କରିଥିଲେ। ତମାଖୁ ସେବନ ଯୋଗୁଁ ମୁଖ ଗହ୍ବର କର୍କଟ ଓ ପରୋକ୍ଷ ଧୂମପାନ ଯୋଗୁଁ ଗର୍ଭବତୀ ମହିଳାଙ୍କ ଉପର ଏହାର କୁପ୍ରଭାବ ପଡ଼ିଥାଏ। ତମାଖୁକୁ ଛାଡ଼ିବାର ବିଭିନ୍ନ ଉପାୟ ସଂପର୍କରେ ଇମ୍ରାନ୍ ବେତାର କେନ୍ଦ୍ର ଜରିଆରେ ଆଲୋଚନା କରିଥିଲେ। ଏଭଳି ପ୍ରୟାସ ପାଇଁ ତାଙ୍କୁ ଏହି ସମ୍ମାନ ମିଳିବାକୁ ଯାଉଛି। ଉଲ୍ଲେଖଯୋଗ୍ୟ ଯେ ଦେଶରେ ପ୍ରତ୍ୟେକ ଦିନ ୨୫ଶହରୁ ଅଧିକ ଲୋକ ତମାଖୁ ସେବନ ପାଇଁ ପ୍ରାଣ ହରାଉଛନ୍ତି। ଯାହାକି ପ୍ରତିବର୍ଷ ମ୍ୟାଲେରିଆ ଓ ଏଚ୍‌ଆଇଭି ଜନତି ମୃତ୍ୟୁଠାରୁ ମଧ୍ୟ ଅଧିକ। ବିଶ୍ବ ତମାଖୁ ସର୍ବେକ୍ଷଣର ରିପୋର୍ଟ ଅନୁଯାୟୀ, ଦିନକୁ ୬ଲକ୍ଷରୁ ଅଧିକ ଭାରତୀୟ ଶିଶୁ ଧୂମପାନ କରୁଥିବା ନଜରକୁ ଆସିଛି।

ସମ୍ବନ୍ଧିତ ଖବର