ଲିଙ୍ଗରାଜ ସାହୁ

ଏକାମ୍ର କ୍ଷେତ୍ରରେ ଗଢ଼ିଉଠିଥିବା ବିଭିନ୍ନ ସାହିର ନାମକରଣ ନିର୍ଦ୍ଦିଷ୍ଟ ବର୍ଗର ସେବାୟତଙ୍କୁ ନେଇ କରାଯାଇଛି। ତେଣୁ ବହୁ ଦର୍ଜି ସେବାୟତ ରହୁଥିବା ସାହିଟି ସେବେଠୁ ‘ଦର୍ଜିସାହି’ ନାଁରେ ପରିଚିତ। ଶ୍ରୀଲିଙ୍ଗରାଜଙ୍କ ବସନ ସେବାରେ ନିୟୋଜିତ ସେବାୟତମାନଙ୍କ ରହଣିସ୍ଥଳ ଏହି ସାହିଟି ବହୁ ପ୍ରାଚୀନ। ବଡ଼ କଥା ହେଉଛି, ଏହି ସାହି ଗଳିରୁ ଆରମ୍ଭ ହୋଇଥିଲା ଭୁବନେଶ୍ବରର ଦୁର୍ଗାପୂଜା। କିଛି ଲୋକ ଏକାଠି ହୋଇ ମା’ଦୁର୍ଗାଙ୍କ ଫଟୋ ରଖି ପୂଜା ଆରମ୍ଭ କରିଥିଲେ। ପରେ ମୃଣ୍ମୟୀ ମୂର୍ତ୍ତି ପୂଜା ଆୟୋଜନ କରାଯାଇଥିଲା। ପୂର୍ବରୁ ବଡ଼ଦାଣ୍ଡସାହିରୁ ପାଟଣାସାହି ପର୍ଯ୍ୟନ୍ତ ଯାଇଥିବା ଗଳିକୁ ଦର୍ଜିସାହି କୁହାଯାଉଥିଲା। ମାତ୍ର ପରେ ଦର୍ଜିସାହିର କିଛି ପରିବାର ବଣିଆସାହିରେ ମିଶିଯିବାରୁ ଦର୍ଜିସାହିର ଆକାର ଛୋଟ ହୋଇଗଲା। ନାଁ ଦର୍ଜିସାହି ହୋଇଥି‌ଲେ ହେଁ ଏହି ସାହିରେ କ୍ଷେତ୍ରବାସୀ ବ୍ରାହ୍ମଣ ସେବାୟତଙ୍କ ସହ କିଛି ପାତ୍ର, ବୟାଳିଶ ଓ ତ୍ରିଶାଖା ସାହୁ ସେବାୟତ ପରିବାର ରହୁଥିଲେ। କାଳକ୍ରମେ ପ୍ରତ୍ୟେକ ପରିବାରର ଲୋକ ସଂଖ୍ୟା ବଢ଼ିଲା ଏବଂ ସେହି ଅନୁସାରେ ଘର ସଂଖ୍ୟା ବଢ଼ିବାକୁ ଲାଗିଲା। ସେହି ଘରଗୁଡ଼ିକ ବଣିଆସାହିକୁ ଲାଗି ରହିଥିବାରୁ ସେମାନେ ଦର୍ଜିସାହିରେ ଆଉ ଗଣା ହେଲେ ନାହିଁ। ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପତାକାଠାରୁ ଆରମ୍ଭ କରି ସମସ୍ତ ବସ୍ତ୍ର, ଶେଯଖୋଳ, ତକିଆ, ଆସ୍ଥାନ କପଡ଼ା, ପାଲିଙ୍କି, ସବାରି, ଛତ୍ରଛତ୍ରି, ତ୍ରାସରେ ବ୍ୟବହାର ହେଉଥିବା ଚାନ୍ଦୁଆ ଏହି ସାହିରେ ତିଆରି ହୋଇଆସୁଛି। ରୁକୁଣା ରଥରେ ଲାଗୁଥିବା ଚାନ୍ଦୁଆ, କପଡ଼ା ଓ ଚନ୍ଦନ ଯାତ୍ରା ବେଳେ ଚାପ ଡଙ୍ଗାରେ ଲାଗୁଥିବା‌ ସମସ୍ତ ପ୍ରକାରର କପଡ଼ା ଏହି ସାହିର ସେବାୟତମାନେ ଯୋଗାଇ ଆସୁଛନ୍ତି। ଦର୍ଜି ସେବାୟତଙ୍କ ବାଦ୍‌ ଏହି ସାହିର କିଛି ଲୋକ ପୂର୍ବରୁ ପଥର କାମ କରୁଥିବା କୁହାଯାଏ। ଧର୍ମଶାଳା ତିଆରି ବେଳେ ଏହି ସାହିର କିଛି ଲୋକ ବଉଳମାଳ ପଥରକୁ କାଟି ସୁନ୍ଦର କାରୁକାର୍ଯ୍ୟ କରିଥିଲେ। ୪୦/୫୦ବର୍ଷ ପୂର୍ବରୁ ଏହି ସାହି ଛକରେ ଥିଲା ଫଗୁଆ ମହାଜନଙ୍କ ଦୋକାନ। ଦୋକାନ ତ ନୁହେଁ ପୁରୁଣା ଭୁବନେଶ୍ବରର ଯୁବକମାନଙ୍କ ଖଟି। ସନ୍ଧ୍ୟା ହେଲେ ଏଠାରେ ବହୁ ଯୁବକ ଏକାଠି ହେଉଥିଲେ। ଫଗୁଆ ସାହୁ ପରକାମ ପାଇଁ ଆଗଭର ହେଉଥିବାରୁ ଯୁବକମାନେ ତାଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ଲୋକଙ୍କ ଭଲମନ୍ଦରେ ଠିଆ ହେଉଥିଲେ।

Advertisment

ଦର୍ଜିସାହି, ବଣିଆସାହି, ପାଟଣାସାହି ମିଶି ଦଶହରା ଦୁର୍ଗାପୂଜା ଆରମ୍ଭ କରିଥିଲେ। ଏକ କୂଅ ଉପରେ ପଟା ପକାଇ ଦୁର୍ଗାଙ୍କ ଫଟୋ ରଖି ଦଶହରା ପୂଜା ଆରମ୍ଭ ହୋଇଥିଲା। ପରେ ଦର୍ଜିସାହି ଅଲଗା ହୋଇଗଲା। ମାତ୍ର ୨୫ ପରିବାର ଅଳ୍ପ ଅର୍ଥ ବ୍ୟୟରେ ମା’ଦୁର୍ଗାଙ୍କ ଜଳନ୍ଧର ବଧ ପୂଜା ଆରମ୍ଭ କରିଥିଲା। କମ୍‌ ପଇସା ଯୋଗୁ କିଏ ପିଷ୍ଟ ଖର୍ଚ୍ଚ କଲା ତ କିଏ ମୂର୍ତ୍ତି ପାଇଁ ପଇସା ଦେଲା। ସେହିଭଳି କିଏ ଭୋଜି ଖର୍ଚ୍ଚ ବହନ କଲା ତ କିଏ ପୂଜା ଖର୍ଚ୍ଚ ବୁଝିଲା। ଆମେ ନିଜେ ମାଟି ବୋହି ଆଣୁଥିଲୁ। କଟକ କାରିଗର କିମ୍ବା ବାଲିଅନ୍ତା ରଥିଜେମାର କାରିଗରମାନେ ମୂର୍ତ୍ତି ଗଢ଼ୁଥିଲେ।  
ରଘୁନାଥ ସାହୁ, ବରିଷ୍ଠ ନାଗରିକ 
ରଥଦାଣ୍ଡରୁ ପାଟଣାସାହି ପର୍ଯ୍ୟନ୍ତ ଲମ୍ବା ଗଳିକୁ ପୂର୍ବରୁ ଲୋକେ ଦର୍ଜିସାହି ବୋଲି ଜାଣୁଥି‌ଲେ। ଆଜି ଭୁବନେଶ୍ବରରେ ବହୁ ବଡ଼ବଡ଼ ମଣ୍ଡପରେ ମା’ ଦୁର୍ଗା ପୂଜା ହେଉଛି। କିନ୍ତୁ ଦର୍ଜିସାହି ଗଳି ନାଁରେ ରାଜଧାନୀର ପ୍ରଥମ ଦୁର୍ଗାପୂଜା ରେକର୍ଡ ରହିଛି। ସେତେବେଳେ ଏହି ଗଳିର ଲୋକେ ଚାରି ଅଣା, ଆଠ ଅଣା ଆଦାୟ କରି ପୂଜା କରୁଥିଲେ। 
ଲଲାଟ ଶତପଥୀ, କ୍ଷେତ୍ରବାସୀ ବ୍ରାହ୍ମଣ ସେବାୟତ  
ପ୍ରାୟ ୫୨ବର୍ଷ ପୂର୍ବେ ରଥ ଦାଣ୍ଡରେ ନିଆଁ ଲାଗିଥିଲା। ଭୟଙ୍କର ନିଆଁ ଆମ ଦର୍ଜିସାହିକୁ ଡେଇଁଥିଲା। ସେତେବେଳେ ଆମ ସାହିରେ ସବୁ ଚାଳ ଛପର ଘର ଥିଲା। ଗଳିର ବାମ ପାର୍ଶ୍ବରେ ଥିବା ସବୁ ଚାଳଘର ନିଆଁରେ ପୋଡ଼ି ପାଉଁଶ ହୋଇଗଲା। ଯାହାର ମାଟି ଦୋପରି ଘର ଥିଲା, ସେମାନଙ୍କର କିଛି ସମ୍ପତ୍ତି ରକ୍ଷା ପାଇଯାଇଥିଲା। ଆଜି ବି ସେଦିନର ସେହି ଭୟଙ୍କର ବିପତ୍ତି କଥା ମନରୁ ଲିଭିନି। ତେବେ ତା’ପରଠୁ ସାହିରେ ଆଜ୍‌ବେଷ୍ଟସ୍‌ ଓ ଛାତ ଘର ଗଢ଼ିଉଠିଲା।                               ଶରତ ଚନ୍ଦ୍ର ସାହୁ