ଭୁବନେଶ୍ୱର: ତାଇଵାନ, କୋରିଆ ଅଥବା ତୁର୍କୀର ଡ୍ରାମା ବା ୱେବ୍ ସିରିଜ୍ରେ ବବଲ୍ ଟି ବା ବୋବା ଡ୍ରିଙ୍କସ୍ ଦେଖିଲେ ତା’କୁ ଥରେ ଚାଖିବାର ମନ କାହାର ନହୁଏ! ବିଶେଷକରି ଯୁବପିଢ଼ିଙ୍କ ମଧ୍ୟରେ ଏହାକୁ ନେଇ ଭାରି ଆଗ୍ରହ ରହିଛି, ଯଦିଓ ଏହାର ଦାମ୍ ଅଧିକ ଥିବାରୁ ଏହାକୁ ନିୟମିତ ପିଇବା ସହଜ ନୁହେଁ। କିନ୍ତୁ ସ୍ବତନ୍ତ୍ର ଅବସରରେ ସାଙ୍ଗସାଥୀ ମେଳରେ ମଲ୍ ବା ରେସ୍ତୋରାଁରେ ଏହାକୁ ଅନେକ ଉପଭୋଗ କରନ୍ତି। ସବୁ ସ୍ଥାନରେ ମିଳୁନଥିବାରୁ ଯେଉଁ କିଛି ସ୍ଥାନରେ ଏହା ମିଳେ ସେଠାରେ ପ୍ରବଳ ଭିଡ଼ ପରିଲକ୍ଷିତ ହୁଏ। ସେହିଭଳି ଏକ ସ୍ଥାନ ହେଉଛି ‘ଅସମ ବୋବା ଆଉଟଲେଟ୍’। ଯଦିଓ ଏ ଆଉଟଲେଟ୍ରେ ଭିନ୍ନ ଭିନ୍ନ ଫ୍ଲେବର୍ର ବବଲ୍ ଟି ମିଳୁଛି, କିନ୍ତୁ ‘ଚକଲେଟ୍ ପାରାଡାଇଜ୍’ର ଅଧିକ ଚାହିଦା ରହିଛି।
ବବଲ୍ ଟି ସହିତ ଚକଲେଟ ଓ କ୍ଷୀରର ସ୍ୱତନ୍ତ୍ର ମିଶ୍ରଣ ଯୋଗୁଁ ବହୁ ଲୋକଙ୍କର ଏହା ପ୍ରଥମ ପସନ୍ଦ ପାଲଟିଛି। ଏଠାରେ ଛୋଟ ଡ୍ରିଙ୍କସ୍ର ଦାମ୍ ୨୭୯ ଟଙ୍କା ରହିଥିବା ବେଳେ ବଡ଼ ଡ୍ରିଙ୍କସର ଦାମ୍ ୨୯୯ ଟଙ୍କା। କେବଳ ବୋବା ନୁହେଁ, ଏଠାରେ କୋରିଆର ପ୍ରସିଦ୍ଧ ଆଇସକ୍ରିମ ‘ଵିଙ୍ଗ୍ସୁ’ ମଧ୍ୟ ଉପଲବ୍ଧ। ମାଙ୍ଗୋ, ମାଚା, ଆରବିକା ଆଦି ଭିନ୍ନ ଭିନ୍ନ ଫ୍ଲେବର୍ର ଵିଙ୍ଗସୁ ଏଠାରେ ମିଳୁଛି। ଏହି ଵିଙ୍ଗସୁର ଦାମ୍ ୩୦୦ରୁ ଆରମ୍ଭ ହୋଇ ୩୬୦ ପର୍ଯ୍ୟନ୍ତ ରହିଛି। ଏନେଇ ଆଉଟଲେଟ୍ର ମୁଖ୍ୟ ଅଭିଜିତ ରଥ କହିଲେ, ବର୍ତ୍ତମାନ ଭୁବନେଶ୍ବରର ଯୁବପିଢ଼ି ବିଦେଶୀ ଖାଦ୍ୟ ପ୍ରତି ବେଶୀ ଆକର୍ଷିତ ହେଉଛନ୍ତି। ମୁଁ ଆଉଟଲେଟ୍ ଆରମ୍ଭ କରିବା ପୂର୍ବରୁ କେଉଁ ଖାଦ୍ୟ ଟ୍ରେଣ୍ଡରେ ଚାଲିଛି, ଦେଖିଥିଲି। ତାଇଵାନ ଓ କୋରିଆ ଖାଦ୍ୟପେୟ ପ୍ରତି ଲୋକ ବେଶୀ ଆଗ୍ରହୀ ହେଉଥିବାର ଦେଖି ଏହି ଆଉଟଲେଟ୍ ଆରମ୍ଭ କରିଛି।’’ ଏଠାକୁ ନିୟମିତ ଆସୁଥିବା ଜଣେ ଗ୍ରାହକ ବୈଶାଳୀ ଯାଦବ ହସିହସି କହିଲେ, ‘‘ଜଣେ ସାଙ୍ଗ ସହିତ ଏଠାକାର ଚକଲେଟ୍ ପାରାଡାଇଜ୍ ଡିଙ୍କ୍ ପିଇବା ପରେ ମୁଁ ନିୟମିତ ଆସୁଛି।’’