ଭୁବନେଶ୍ୱର: ବର୍ତ୍ତମାନର ଅବକ୍ଷୟମୁଖୀ ସମାଜରେ ଆନନ୍ଦର ସହ ଜୀବନ ଅତିବାହିତ କରିବାକୁ ହେଲେ ସଦ୍ଗୁରୁଙ୍କ ଶରଣାପନ୍ନ ହେବାକୁ ପଡ଼ିବ। ସତ୍ସଙ୍ଗର ଆଶ୍ରୟ ଗହଣ କରିବାକୁ ପଡ଼ିବ। କାରଣ ଆଧ୍ୟାତ୍ମିକ ସୁଖ, ସାଂସାରିକ ସୁଖଠାରୁ ଢେର ଊର୍ଦ୍ଧ୍ବରେ ବୋଲି ଭୁବନେଶ୍ବର ସତ୍ସଙ୍ଗ ବିହାରରେ ଆୟୋଜିତ ବିଶେଷ ସତ୍ସଙ୍ଗ ସମାରୋହରେ ଯୋଗଦେଇ ବହୁବିଶିଷ୍ଟ ବକ୍ତା ମତବ୍ୟକ୍ତ କରିଛନ୍ତି।
ରବିବାର ‘ସମ୍ବାଦ ଗ୍ରୁପ୍’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକଙ୍କ ଜନ୍ମଦିନ ଉପଲକ୍ଷେ ନିବେଦିତ ସତ୍ସଙ୍ଗ ନାମସଂକୀର୍ତ୍ତନ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର କହିଥିଲେ ଯେ ଆଜିର ସମାଜରେ ଶ୍ରୀଶ୍ରୀଠାକୁରଙ୍କ ଅନୁକୂଳଚନ୍ଦ୍ରଙ୍କ ବାଣୀର ବହୁ ପ୍ରାସଙ୍ଗିକତା ରହିଛି। ଶ୍ରୀଶ୍ରୀଠାକୁର ଯୁବାବସ୍ଥାରେ ଲେଖିଯାଇଥିବା ସତ୍ୟାନୁସରଣ ଗ୍ରନ୍ଥ ସମାଜକୁ ବହୁଳଭାବେ ମାର୍ଗଦର୍ଶନ କରିଆସିଛି। ଏହି ସତ୍ସଙ୍ଗରେ ସୌମ୍ୟରଂଜନ ପଟ୍ଟନାୟକ କହିଥିଲେ ଯେ ଆମକୁ ଅହଂକାରକୁ ପରିହାର କରିବାକୁ ପଡ଼ିବ ଏବଂ ଯାହାଠାରୁ ଉପକାର ମିଳିଛି, ତା’ପ୍ରତି କୃତଜ୍ଞ ରହିବାକୁ ହେବ। ଏହି ଦୁଇଟି ଜୀବନରେ ଅତ୍ୟନ୍ତ ଜରୁରି। ସମସାମୟିକ ପରିସ୍ଥିତିକୁ ଦେଖିଲେ ଶତାୟୁ ହେବା ସଦିଚ୍ଛା ଅଭିଶାପ ଭଳି ଲାଗୁଛି। ତେଣୁ ସମସ୍ତେ ମୋତେ ଦୀର୍ଘାୟୁ ହେବାର ଶୁଭେଚ୍ଛା ନଦେଇ, ବରଂ ସମାଜର କିଛି ଉନ୍ନତି କରିବାରେ ଯେଭଳି ମୁଁ ସକ୍ଷମ ହୁଏ ସେଭଳି ପ୍ରାର୍ଥନା କରନ୍ତୁ। ଏଥି ପୂର୍ବରୁ ଶ୍ରୀ ପଟ୍ଟନାୟକ ଶ୍ରୀଶ୍ରୀଠାକୁର, ଶ୍ରୀଶ୍ରୀବଡ଼ମା, ଶ୍ରୀଶ୍ରୀବଡ଼ଦା ଓ ଶ୍ରୀଶ୍ରୀ ଆଚାର୍ଯ୍ୟଦେବଙ୍କୁ ପ୍ରଣାମ ନିବେଦନ କରିବା ସହ ସତ୍ସଙ୍ଗ ବିହାରରେ ଉପସ୍ଥିତ ପୂଜ୍ୟପାଦ ସିପାଇଦା’ଙ୍କ ଶୁଭାଶୀର୍ବାଦ ପ୍ରାର୍ଥନା କରିଥିଲେ।
ମୁଖ୍ୟବକ୍ତା ଭାବେ ଯୋଗ ଦେଇ ସତ୍ସଙ୍ଗର ସହ-ପ୍ରତି-ଋତ୍ୱିକ କେଦାରନାଥ ମହାନ୍ତି ଶ୍ରୀ ପଟ୍ଟନାୟକଙ୍କ ସୁସ୍ଥ-ସ୍ବସ୍ଥ-ନିରାୟମ ଜୀବନ ଲାଗି ଶ୍ରୀଶ୍ରୀଠାକୁରଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ସତ୍ସଙ୍ଗର ଋତ୍ବିଗାଚାର୍ଯ୍ୟ ପୂଜ୍ୟପାଦ ସିପାଇଦା’ଙ୍କ ଆଶୀର୍ବାଦ ଓ ଦିବ୍ୟ ଉପସ୍ଥିତିରେ ଏହି ଅନୁଷ୍ଠାନ ଆୟୋଜିତ ହେବା ପରମ ସୌଭାଗ୍ୟର ବିଷୟ ବୋଲି ବର୍ଣ୍ଣନା କରିଥିଲେ। ସତ୍ସଙ୍ଗର ଆୟୋଜକ ତଥା ଲଙ୍ଗଳେଶ୍ବର ସତ୍ସଙ୍ଗ ବିହାରର ସଂପାଦକ ସଞ୍ଜୟ ପାତ୍ର ପ୍ରାରମ୍ଭିକ ସୂଚନା ଦେଇ ଇଷ୍ଟକୈନ୍ଦ୍ରିକ ଜୀବନ ସମସ୍ତଙ୍କ ଜୀବନର ଧ୍ୟେୟ ହେବା ଉଚିତ ବୋଲି କହିଥିଲେ। ସହ-ପ୍ରତି-ଋତ୍ବିକ ଧୃତିକାମ ମହାନ୍ତି, ସୁଧୀର କୁମାର ଜେନା ଓ ହରିହର ପଣ୍ଡାଙ୍କ ପରିଚାଳନାରେ ସିଦ୍ଧାର୍ଥ ରଞ୍ଜନ ଧଳ, ଶୁଭ୍ରାଂଶୁ ସାହୁ, ତ୍ବରିତ୍ ଦେବନାଥ ଓ ଅମିତାଭ ସାମନ୍ତରାୟ ଭଜନ ଓ କୀର୍ତ୍ତନ ପରିବେଷଣ କରିଥିଲେ। ସହ-ପ୍ରତି-ଋତ୍ବିକ ଅଭୟ କୁମାର ପରିଡ଼ା ଓ କୃପାନିଧି ବିଶ୍ବାଳଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ‘ଆମ ଓଡ଼ିଶା’ର ସମ୍ପାଦକ ଅରବିନ୍ଦ ଦାସ, ପୌରୁଷର ସଂପାଦକ ଅସିତ ମହାନ୍ତି, ସମ୍ବାଦ-ସାହିତ୍ୟ ଘରର ରାଜ୍ୟ ସଂଯୋଜିକା ଶୁଭଶ୍ରୀ ଲେଙ୍କା, ପୂର୍ବତନ ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ଗୋପବନ୍ଧୁ ମଲ୍ଲିକ ପମୁଖ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ସହ-ପ୍ରତି-ଋତ୍ବିକ ଦୁଷ୍ମନ୍ତ କୁମାର ବେହେରାଙ୍କ ପରିଚାଳନାରେ ଅନୁଷ୍ଠିତ ଭଣ୍ଡାରାରେ ସହସ୍ରାଧିକ ଭକ୍ତ-ଅନୁରାଗୀ ପ୍ରସାଦ ସେବନ କରିଥିଲେ।