ଭୁବନେଶ୍ବର: କେବଳ ମାଇକ୍ ଧରି ବଡ଼ ପାଟିରେ କହିଦେଲେ ନାଗରିକ ସମାଜ ଗଠନ ହୋଇ ପାରିବନାହିଁ। ସମାଜରେ ନିଜ ନିଜ ସୁବିଧା ପାଇଁ ଜାତି ଓ ଧର୍ମକୁ ନେଇ ସଙ୍ଗଠନ ହୋଇଛି, ନିଜ ବୃତ୍ତିକୁ ନେଇ ଅନେକ ଦାବି ପୂରଣ ପାଇଁ ସଙ୍ଗଠନ ହୋଇଛି। ଅନେକ ନାଗରିକ ସମାଜ ମଧ୍ୟ ଗଠନ ହୋଇଛି। ହେଲେ ଏବେ ନିଜସ୍ବ ସ୍ବାଧୀନତା, ବିଚାର, ଆଦର୍ଶ ଓ ସର୍ବୋପରି ନାଗରିକତ୍ବ ବିପଦଜନକ ସ୍ଥିତରେ ରହିଛି। ନାଗରିକ ସମାଜ ସମୃଦ୍ଧ ନହେଲେ ଗଣତନ୍ତ୍ର ତିଷ୍ଟି ରହି ପାରିବ ନାହିଁ। ତେଣୁ ପ୍ରଥମେ ନାଗରିକ ହୋଇ ନାଗରିକ ସମାଜକୁ ସମୃଦ୍ଧ କରିବାକୁ ହେଲେ ଓଡ଼ିଶାକୁ ଆନ୍ତରିକତାର ସହ ଭଲ ପାଇବାକୁ ପଡ଼ିବ। ମୁଁ ନାଗରିକ ସମାଜର ନେତୃତ୍ବ ନେବା ପାଇଁ ପ୍ରସ୍ତୁତ ଅଛି। ଏଥିରେ ସାମାନ୍ୟତମ ସଙ୍କୋଚ ଭାବ ମୋର ନାହିଁ। କିନ୍ତୁ ଆମେ କେହି ପ୍ରକୃତ ଅର୍ଥରେ ନାଗରିକ ହୋଇ ପାରିନାହାନ୍ତି। ଏଭଳି ପରିସ୍ଥିତିରେ ନାଗରିକ ସମାଜ କାହାକୁ ନେଇ ଗଠନ କରିବା? ତେଣୁ ପ୍ରଥମେ ମା’, ମାଟି, ମାତୃଭାଷାକୁ ଭଲ ପାଇବାକୁ ପଡ଼ିବ। ମଦମୁକ୍ତ ଓଡ଼ିଶା ଗଢ଼ିବାକୁ ପଡ଼ିବ। ଆଜି ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ୭୨ ତମ ଜନ୍ମ ଉତ୍ସବ ଅବସରରେ ‘ସୌମ୍ୟ ସୌରଭ’ ପୁସ୍ତକ ଉନ୍ମୋଚନ ସଭାରେ ବିଶିଷ୍ଟ କବି ଓ ଚିନ୍ତକ ହରପ୍ରସାଦ ଦାସଙ୍କ ପ୍ରଶ୍ନର ଉତ୍ତର ରଖି ଏହା କହିଛନ୍ତି ନିଜେ ଶ୍ରୀ ପଟ୍ଟନାୟକ।
ପେନ୍ ଇନ୍ ବୁକ୍ସର ନିର୍ଦ୍ଦେଶକ ତଥା କଥାଶିଳ୍ପୀ ଶୁଭ୍ରାଂଶୁ ପଣ୍ଡାଙ୍କ ସଭାପତିତ୍ବରେ ସ୍ଥାନୀୟ ଜୟଦେବ ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପଟ୍ଟନାୟକ ଆହୁରି କହିଲେ, ଓଡ଼ିଶାର ୮୦ ଭାଗ ମେଧା ଏହି ରାଜ୍ୟରେ ନାହାନ୍ତି। ଏବେ ଓଡ଼ିଶାକୁ ବି-ଟିମ୍ ଚଳାଉଛନ୍ତି। ଫଳରେ ଓଡ଼ିଶାରେ ରାଜନୀତି, ସାହିତ୍ୟ, ଚାକିରି ସବୁ କ୍ଷେତ୍ରରେ ବିବାଦ ସୃଷ୍ଟି ହେଉଛି। ବର୍ତ୍ତମାନ ଅମଲାତନ୍ତ୍ର ବ୍ୟବସ୍ଥାକୁ କବଜାରେ ରଖିବାକୁ ଚାହୁଛି। ଓଡ଼ିଶାରେ ଦଳ ଦଳୀୟ ବ୍ୟବସ୍ଥା ଭିତରେ ଆଉ ନାହିଁ। ଓଡ଼ିଶାର ଶାସନ ଏକ ବିଚିତ୍ର ବ୍ୟବସ୍ଥା ଭିତରେ ଚାଲିଛି। କେବଳ ଆର୍ଥିକ ବ୍ୟବସ୍ଥା ଭଲ ଥିବାରୁ ବାହାରକୁ ବିଶେଷ ଜଣାପଡ଼ୁନାହିଁ। ଓଡ଼ିଶାକୁ ସମୃଦ୍ଧ କରିବାର ଅନେକ ସମ୍ଭାବନା ଅଛି। ଓଡ଼ିଶାରେ ଜମି ତଳେ ଯେତିକି ଜମି ଉପରେ ସେତିକି, ଜମି କଡ଼ରେ ତା’ ଠାରୁ ଅଧିକ ସଂପଦ ରହିଛି। ଐତିହ୍ୟ, ସଂସ୍କୃତି, ପରମ୍ପରା ସହ ମହାପ୍ରଭୁ ଜଗନ୍ନାଥ ଅଛନ୍ତି। ଏ କଥାକୁ ଏକାଠି କରି ସୁନାର ଓଡ଼ିଶା ଗଢ଼ିବାକୁ ଚେଷ୍ଟା କରିବାକୁ ପଡ଼ିବ। ଏଥିପାଇଁ ବୁଦ୍ଧିଜୀବୀମାନଙ୍କୁ ଆଗକୁ ଆସିବାକୁ ପଡ଼ିବ। ଓଡ଼ିଶାକୁ ଚିହ୍ନିବା, ଓଡ଼ିଶାର ଅସୁବିଧାକୁ ଜାଣିବା, ଓଡ଼ିଶାର ରାଜନୀତିରେ ଦଲାଲମାନଙ୍କୁ ଚିହ୍ନଟ କରିବା ଏବଂ ଅର୍ଥ ସର୍ବସ୍ବ ରାଜନୀତି କରି କେବଳ ମାଫିଆମାନଙ୍କୁ ଅଧିକାର ଦେବାର ନୂଆ ପ୍ରକ୍ରିୟାଠାରୁ ଦୂରେଇ ରହିବା ଆବଶ୍ୟକ। ଫଳରେ ମାଫିଆ ଗୋଷ୍ଠୀମାନେ ଓଡ଼ିଶାକୁ ଭାଗ ଭାଗ କରି ବୁଦ୍ଧିଜୀବୀମାନଙ୍କୁ ନପୁଂସକ କରିପାରିବେ ନାହିଁ।
ବାପା ସବୁବେଳେ ପୁଅଠାରୁ ହାରିବାରେ ଅଧିକ ଖୁସି ହୁଏ: ଅଚ୍ୟୁତାନନ୍ଦ ପତି
ଓଡ଼ିଶା ଜନମାନସରେ ସେ ଜଣେ ବିରଳ ପ୍ରତିଭା: ବିମଳ ପ୍ରସାଦ ଦାସ
ମୁଁ ସୌମ୍ୟଙ୍କୁ ରୋଲ ମଡେଲ୍ ଭାବରେ ବିଚାର କରେ: ଭଗବାନ ପ୍ରକାଶ
ଯୁବପିଢ଼ିଙ୍କ ପାଇଁ ସୌମ୍ୟ ରଂଜନ ଆଦର୍ଶ ପୁରୁଷ: ଦାଶ ବେନହୁର
ସୌମ୍ୟ ଗତାନୁଗତିକ ଧାରାଠାରୁ ଊର୍ଦ୍ଧ୍ବରେ: ରାମଚନ୍ଦ୍ର ବେହେରା
‘ସୌମ୍ୟ ସୌରଭ’ ପୁସ୍ତକ ଉନ୍ମୋଚନ
ବିଶିଷ୍ଟ ଅତିଥି ଭାବେ ବରିଷ୍ଠ କଥାଶିଳ୍ପୀ ଅଚ୍ୟୁତାନନ୍ଦ ପତି ଶ୍ରୀ ପଟ୍ଟନାୟକଙ୍କୁ ଜନ୍ମ ଦିନରେ ଆଶୀର୍ବାଦ ଦେବା ସହ ‘ପୁଅ’ ବୋଲି ସମ୍ବୋଧନ କରି କହିଲେ, ବାପା ସବୁବେଳେ ପୁଅଠାରୁ ହାରିବା ପାଇଁ ଅଧିକ ଖୁସି ହୁଏ। ଏହା ଏକମାତ୍ର ପରାଜୟ, ଯେଉଁଥିରେ ଅଧିକ ଆନନ୍ଦ ମିଳିଥାଏ। ପ୍ରତିକୂଳ ପରିସ୍ଥିତିରେ ମଣିଷ ହେବା ସହ ଅନୁକୂଳ ପରିବେଶରେ ଭଦ୍ରଲୋକ ହେବା ପାଇଁ ସେ ପରାମର୍ଶ ଦେଇଥିଲେ। ଅବସରପ୍ରାପ୍ତ ନ୍ୟାୟାଧୀଶ ବିମଳ ପ୍ରସାଦ ଦାସ କହିଥିଲେ, ଓଡ଼ିଶା ପ୍ରତି ସୌମ୍ୟଙ୍କର ଆନ୍ତରିକତା ଓ ଭଲ ପାଇବା ତାଙ୍କୁ ବିଲାତରୁ ଓଡ଼ିଶାକୁ ଟାଣି ଆଣିଥିଲା। ଓଡ଼ିଶା ଜନମାନସରେ ସେ ଜଣେ ବିରଳ ପ୍ରତିଭା ବୋଲି କହିଥିଲେ। ବିଶିଷ୍ଟ କବି ଓ ଚିନ୍ତକ ହରପ୍ରସାଦ ଦାସ ଆହ୍ବାନ ଦେଇ କହିଥିଲେ, ବର୍ତ୍ତମାନ ସମୟରେ ଓଡ଼ିଶାର ସବୁଠାରୁ ପ୍ରତିଭାଶାଳୀ ବ୍ୟକ୍ତିତ୍ବ ହେଉଛନ୍ତି ସୌମ୍ୟରଂଜନ। ତେଣୁ ଦ୍ବନ୍ଦ୍ବରେ ନରହି ସମାଜକୁ ନେତୃତ୍ବ ଦେବା ପାଇଁ ସୌମ୍ୟ ନାଗରିକ ସମାଜର ନେତୃତ୍ବ ନିଅନ୍ତୁ। ବିଶିଷ୍ଟ ସ୍ତମ୍ବକାର ଭଗବାନ ପ୍ରକାଶ, ‘ସମ୍ବାଦ’ ସଫଳ ହେବାର ରହସ୍ୟ ସମ୍ପର୍କରେ କହିଥିଲେ, ସୌମ୍ୟ ଜଣେ ରୋଲ୍ ମଡେଲ୍। ତାଙ୍କର ଦିଗ୍ଦର୍ଶନରେ ‘ସମ୍ବାଦ’ ସାମାଜିକ ରୂପ ନେଇଛି।
‘ସମ୍ବାଦ’ ଆମ ଓଡ଼ିଶା ମାଧ୍ୟମରେ ମତଦାନ, ଭାଷାଜ୍ଞାନ ଓ ରକ୍ତଦାନ ଭଳି କାର୍ଯ୍ୟକ୍ରମ କରି ସାମାଜିକ ଦାୟିତ୍ବ ନିର୍ବାହ କରିଛି। ସେହିପରି ବିଶିଷ୍ଟ କଥାଶିଳ୍ପୀ ତଥା ଉନ୍ମୋଚିତ ପୁସ୍ତକ ‘ସୌମ୍ୟ ସୌରଭ’ର ସମ୍ପାଦକ ଦାଶ ବେନହୁର ଶ୍ରୀ ପଟ୍ଟନାୟକଙ୍କ ସହ ତାଙ୍କର ଦୀର୍ଘକାଳ ସମ୍ପର୍କ ପ୍ରସଙ୍ଗରେ ଆଲୋଚନା କରିଥିଲେ। ସେ କହିଲେ, ଓଡ଼ିଶାରେ ଯୁବପିଢ଼ିଙ୍କ ପାଇଁ ସୌମ୍ୟରଂଜନ ଆଦର୍ଶ ପୁରୁଷ। ସେ ଇଚ୍ଛାମୟ ବ୍ୟକ୍ତିତ୍ବ। ସେ ପିଲାବେଳୁ ଯାହା ଇଚ୍ଛା କରିଛନ୍ତି, ତାହା କରିବାରେ ସଫଳ ହୋଇଛନ୍ତି। ଲଢ଼ିବାର ମନବଳ ଏବଂ ନୂଆ କରିବାର ମନୋଭାବ ତାଙ୍କର ଆରମ୍ଭରୁ ରହି ଆସିଛି। ତାଙ୍କ ଭଳି ଲଢ଼ିବାର ମନୋଭାବ ରଖିଥିବା ବ୍ୟକ୍ତିତ୍ବ ଚଉକି ପକାଇ ସ୍ଥିର ହୋଇ ବସିପାରିବେ ନାହିଁ। ସେହିପରି ବିଶିଷ୍ଟ ଔପନ୍ୟାସିକ ରାମଚନ୍ଦ୍ର ବେହେରା କହିଲେ, ସୌମ୍ୟବାବୁ ଜଣେ ପୂର୍ଣ୍ଣାଙ୍ଗ ବ୍ୟକ୍ତିତ୍ବ। ସେ ଧୂଳିକଣା ଠାରୁ ଅନ୍ତରିକ୍ଷ ପର୍ଯ୍ୟନ୍ତ ପରିବ୍ୟାପ୍ତ। ଗତାନୁଗତିକ ଧାରାଠାରୁ ସେ ଊର୍ଦ୍ଧ୍ବରେ। ଜଣେ ପାଠକର କଥାକୁ ଗ୍ରହଣ କରିବାରେ ସେ ଜଣେ ପ୍ରିୟ ସମ୍ପାଦକ। ଏହି ଅବସରରେ ଶୁଭେଚ୍ଛୁଙ୍କ ଗହଣରେ ନୟାଗଡ଼ର ପ୍ରସିଦ୍ଧ ଛେନାପୋଡ଼ କାଟିଥିଲେ ଶ୍ରୀ ପଟ୍ଟନାୟକ। ଅନେକ ଶୁଭେଚ୍ଛୁ ତାଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ଅନ୍ୟ ଉପହାର ଦେଇ ଜନ୍ମ ଦିବସର ଅଭିନନ୍ଦନ ଜଣାଇଥିଲେ।