ବନ୍ଦ ହୋଇଗଲା ତାଳ ମିଶ୍ରି, ୬୭ରୁ କାମ କରୁଛି ୧୨ ସୋସାଇଟି

ଭୁବନେଶ୍ବର : ଆଉ ମିଳୁନି ତାଳ ମିଶ୍ରି। ପ୍ରସ୍ତୁତ ହେଉନି ସଲପ ଗୁଡ଼। ଖଜୁରି ଗୁଡ଼କୁ ଆଶ୍ରା କରିଛି ଓଡ଼ିଶା ରାଜ୍ୟ ତାଳଗୁଡ଼ ସମବାୟ ସଂଘ। ଦିନ ଥିଲା ତାଳ ଗଛରୁ ସଂଗୃହୀତ ରସରୁ ପ୍ରସ୍ତୁତ ମିଶ୍ରି କିଣିବାକୁ ବେଶ୍‌ ଉତ୍ସୁକତା ପ୍ରକାଶ ପାଉଥିଲା। ଅଥଚ ସରକାରୀ ପ୍ରୋତ୍ସାହନ ଅଭାବରୁ ଧୀରେଧୀରେ ଏହି ମିଶ୍ରି ଉତ୍ପାଦନରେ ଯବନିକା ପଡ଼ିଲା। ପୁରୀ ଓ କଟକରୁ ତାଳ ମିଶ୍ରି ପ୍ରସ୍ତୁତ ହୋଇ ଆସୁଥିଲା। ମାତ୍ର ପ୍ରୋତ୍ସାହନ ଓ ଦକ୍ଷ ଗଛ ଚଢ଼ାଳିଙ୍କ ଅଭାବ ଯୋଗୁଁ ଏହା ସମ୍ପୂର୍ଣ୍ଣ ବନ୍ଦ ହୋଇଗଲା। ବିପୁଳ ପରିମାଣରେ ତାଳ ଗଛ ଥିବାରୁ ଏନେଇ ବ୍ୟାପକ ସମ୍ଭାବନା ଥାଇ ମଧ୍ୟ ଏପର୍ଯ୍ୟନ୍ତ ଏହି ତାଳ ମିଶ୍ରି ଉତ୍ପାଦନ ପାଇଁ ଆନ୍ତରିକତା ପ୍ରକାଶ ପାଇ ପାରୁନାହିଁ। ଏମ୍‌ଏସ୍‌ଏମ୍‌ଇ ବିଭାଗ ଏସବୁ ଜାଣି ଯେମିତି ଆଖି ବୁଜିଦେଇଛି।

ଖଜୁରି ଗୁଡ଼ର ଉତ୍ପାଦନ ମଧ୍ୟ କମି ଆସିଲାଣି। ପୂର୍ବରୁ ବର୍ଷକୁ ୩ଶହ କୁଇଣ୍ଟାଲ୍‌ ଖଜୁରି ଗୁଡ଼ ପ୍ରସ୍ତୁତ ହେଉଥିବା ବେଳେ ଏବେ ଏହା ୧୦୦କୁଇଣ୍ଟାଲ୍‌ରେ ସୀମିତ ଅଛି। କେବଳ ଗଜପତିରେ ଥିବା ଏକମାତ୍ର ସୋସାଇଟି ଏହି ଗୁଡ଼ ପ୍ରସ୍ତୁତ କରି ସଂଘକୁ ଯୋଗାଉଛି। ଦିନ ଥିଲା, ଉତ୍ପାଦନ ହେଉଥିବା ଗୁଡ଼ ୧୪ଟି ଜିଲ୍ଲାକୁ ବିକ୍ରି ପାଇଁ ଯାଉଥିଲା। ଅର୍ଥାତ ମାର୍କେଟ୍‌ର ଅଭାବ ନଥିଲା। ଏବେ କିନ୍ତୁ କେବଳ କଟକ ଓ ଭୁବନେଶ୍ବରରେ ଏହି ଖଜୁରି ଗୁଡ଼ ଉପଲବ୍ଧ ହେଉଛି। ଏହି ଗୁଡ଼ ଆଧାରରେ ତାଳଗୁଡ଼କୁ ଜି-ଆଇ ଟ୍ୟାଗ୍‌ ମାନ୍ୟତା ପାଇଁ ପଠାଯାଇଛି। ମାତ୍ର ଧୀରେଧୀରେ ଗୁଡ଼ ଉତ୍ପାଦନ କମି କମି ଚାଲିଛି। ଗଛ ଚଢ଼ାଳିଙ୍କ ସଂକଟ ଏବଂ ଏ ବାବଦରେ ତାଲିମ୍‌ର ବ୍ୟବସ୍ଥା ହେଉନଥିବାରୁ ଏହି ଗୁଡ଼ ଉତ୍ପାଦନ ୧ ତୃତୀୟାଂଶ କମିଗଲାଣି।

ଏହି ତାଳଗୁଡ଼ ସଂସ୍ଥା ମାଧ୍ୟମରେ ଦିନେ ହଜାର ହଜାର ଲୋକେ ରୋଜଗାର ପାଇଥିଲେ। ସଂଘ ଅଧୀନରେ ୬୭ଟି ସୋସାଇଟି ଅନୁବନ୍ଧିତ ହୋଇଥିଲା। ମାତ୍ର ଏବେ ୩୯ଟି ସୋସାଇଟି ଏହି ଓଡ଼ିଶା ରାଜ୍ୟ ତାଳଗୁଡ଼ ସମବାୟ ସଂଘରୁ ମୁହଁ ଫେରାଇ ନେଲେଣି। ସମଗ୍ର ରାଜ୍ୟରେ ମାତ୍ର ୨୮ଟି ଅନୁବନ୍ଧିତ ସଂସ୍ଥା ରହିଛି। ଯେତିକି ବି ସୋସାଇଟି ଅଛି, ସେଗୁଡ଼ିକୁ ମାର୍ଗଦର୍ଶନ କରିବାକୁ ଅଧିକାରୀ ନାହାନ୍ତି। ଗୁରୁତ୍ବର ବିଷୟ ହେଉଛି, ୨୮ଟିରୁ ମାତ୍ର ୧୨ଟି ସୋସାଇଟି କିଛି କିଛି ସାମଗ୍ରୀ ଉତ୍ପାଦନ କରୁଛି। ଖାସ୍‌ ସେଇଥିପାଇଁ ସଂଘକୁ ଅନ୍ୟ କିଛି ସଂସ୍ଥାଠାରୁ ବିକ୍ରି ପାଇଁ ଅନ୍ୟାନ୍ୟ ସାମଗ୍ରୀ କିଣିବାକୁ ପଡ଼ୁଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଏବେ ବି ୫୦ଟି ସୋସାଇଟିକୁ ପୁନରୁଦ୍ଧାର କରାଯାଇପାରିବ। ମାତ୍ର ଏମ୍‌ଏସ୍‌ଏମ୍‌ଇ ବିଭାଗ ପକ୍ଷରୁ ଏନେଇ ଆନ୍ତରିକତା ପ୍ରକାଶ ପାଉନାହିଁ।

ବାସ୍ତବରେ ପୁରୀ ଚିଲିକାସ୍ଥିତ ମାଲୁଦର ଏକ ସୋସାଇଟିରୁ ତାଳପତ୍ର କାମ, ଢେଙ୍କାନାଳ ପୋଡ଼ାପଡ଼ାର ସୋସାଇଟିରୁ ତାଳପତ୍ର କଳା, ଗୁଡ଼, ବ୍ରସ୍‌ ଫାଇବର, କଟକ ବହୁ ଗ୍ରାମରୁ ଝାଡ଼ୁ, ବ୍ରସ୍ ଏବଂ ଗଜପତିର ଛେଳିଗଡ଼ରୁ ଖଜୁରି ଗୁଡ଼ ଉତ୍ପାଦନ ହେଉଥିବାରୁ ଏହି ସୋସାଇଟିମାନେ ସକ୍ରିୟ ଅଛନ୍ତି। ଦିନେ ବିଏମ୍‌ସି ସଂଘ ଦ୍ବାରା ନିର୍ମିତ ଝାଡ଼ୁ, ଗାଣ୍ଡୁଆ ଆଦି ସାମଗ୍ରୀ ବର୍ଷବର୍ଷ ଧରି କିଣୁଥିଲା। ଗୁଣବତ୍ତା ଦୃଷ୍ଟିରୁ ଏହା ଅଧିକ ମୂଲ୍ୟ ରହୁଥିବାରୁ ବିଏମ୍‌ସି ସଂଘଠୁ ମୁହଁ ଫେରାଇନେଲା। ଫଳରେ ସଂଘ ପକ୍ଷରୁ ଅର୍ଥ ଆୟର ଅନ୍ୟ ଏକ ପ୍ରମୁଖ ବାଟ ବନ୍ଦ ହୋଇଗଲା। ଖୋଦ୍‌ ସରକାରୀ ସଂସ୍ଥା ହିଁ ଅନ୍ୟ ଏକ ସରକାରୀ ଅଧୀନସ୍ଥ ସଂସ୍ଥାକୁ ବଢ଼ାଇଥିବା ସହଯୋଗର ହାତ ଛାଡ଼ିଦେଲେ।

କେବଳ ସେତିକି ନୁହେଁ, ତାଳଗୁଡ଼ ସମବାୟ ସଂଘ ପକ୍ଷରୁ ସୋସାଇଟି ଦ୍ବାରା ଉତ୍ପାଦିତ ସାମଗ୍ରୀ ପାଇଁ ବଜାର ସୃଷ୍ଟି କରିବାକୁ ୫ଟି ବିକ୍ରୟ କେନ୍ଦ୍ର ଖୋଲା ଯାଇଥିଲା। ଗଣ୍ଡମୁଣ୍ଡା ଛକସ୍ଥିତ ତାଳଗୁଡ଼ ସମବାୟ ସଂଘ ମୁଖ୍ୟ କାର୍ଯ୍ୟାଳୟ ନିକଟ, ମାର୍କେଟ୍‌ ବିଲ୍‌ଡିଙ୍ଗ୍‌ ଓ କଟକର ଚାନ୍ଦିନି ଚୌକରେ ଥିବା ବିକ୍ରୟ କେନ୍ଦ୍ର ଖୋଲା ଥିଲେ ହେଁ କଟକ ବିଗ୍‌ବଜାର ନିକଟ ଓ ପାରାଦୀପରେ ଖୋଲିଥିବା ବିକ୍ରୟ କେନ୍ଦ୍ର ବନ୍ଦ ହୋଇଯାଇଛି। ଏମିତିକି ପାରାଦୀପ କେନ୍ଦ୍ର‌କୁ ଏବେ ସଂଘ ଭଡ଼ାରେ ଲଗାଇ ଦେଇଛି।

ସମ୍ବନ୍ଧିତ ଖବର