ଜଟଣୀ: ଜଟଣୀ ବ୍ଲକ୍ ଅନ୍ତର୍ଗତ ତଳଖେତା ରାସ୍ତା ଏବେ ଯାତ୍ରୀଙ୍କ ପାଇଁ ବିପଦ ପାଲଟିଛି। ପ୍ରଶାସନିକ ଅଣଦେଖା ପାଇଁ ଏହି ରାସ୍ତା ଏବେ ଲୋକଙ୍କ ପାଇଁ ବିପଦ ସାଜିଛି। ୧୬ ନମ୍ବର ଜାତୀୟ ରାଜପଥର ଜଟଣୀଗେଟ୍ଠାରୁ ହରିଭାଇନା ଛକକୁ ସଂଯୋଗ କରୁଥିବା ଏହି ରାସ୍ତାର ଷଣ୍ଢପୁରଠାରୁ ଜଟଣୀ ଗେଟ୍ ପର୍ଯ୍ୟନ୍ତ ଅନ୍ଧାର ରାସ୍ତା ଏବେ ଯାତ୍ରୀଙ୍କ ପାଇଁ ମରଣଯନ୍ତା ପାଲଟିଛି। ଏହି ରାସ୍ତା ଦେଇ ପ୍ରତିଦିନ ଶହ ଶହ ଗାଡ଼ି ଯାତାୟାତ କରୁଥିବା ବେଳେ ଅନ୍ଧାରିଆ ରାସ୍ତାରେ ଯିବାକୁ ଭୟ ଲାଗୁଛି। ସେହିପରି ଏହି ରାସ୍ତାରେ ଅନେକ ଜାଗାରେ ବଡ଼ ବଡ଼ ଖାଲଖମା ଯୋଗୁ ଛୋଟବଡ଼ ଦୁର୍ଘଟଣା ହେଉଛି। ଗତ ଦୁଇ ବର୍ଷ ମଧ୍ୟରେ ଏହି ରାସ୍ତାରେ ଅନେକ ଦୁର୍ଘଟଣା ଘଟି ଲୋକେ ମୃତାହତ ହୋଇଥିବା ନଜୀର ରହିଛି। କେବଳ ଯେ ଦୁର୍ଘଟଣାର ଭୟ ରହୁଛି ତାହା ନୁହେଁ, ଅନ୍ଧାର ରାସ୍ତାରେ ଅସାମାଜିକଙ୍କ ଉପଦ୍ରବ ବଢ଼ିବା ସହ ରାହାଜାନୀ ବଢ଼ୁଛି।
ଦିନକୁ ଦିନ ରାଜଧାନୀ ଉପକଣ୍ଠ ଜଟଣୀ ପରିସୀମା ବୃଦ୍ଧି ପାଉଛି। ଫଳରେ ଗତ କିଛିବର୍ଷ ହେଲା ଜଟଣୀ-ତଳଖେତା ରାସ୍ତା ଉପରେ ନିର୍ଭର କରୁଥିବା ଲୋକଙ୍କ ସଂଖ୍ୟା ବି ବଢ଼ିଚାଲିଛି। ତେଣୁ ଏହି ରାସ୍ତାକୁ ଦୁଇ ଥାକିଆ ରାସ୍ତା କରିବା ସହ ଷଣ୍ଢପୁର ଛକରୁ ଜଟଣୀ ଗେଟ୍ ପର୍ଯ୍ୟନ୍ତ ରାସ୍ତାରେ ଷ୍ଟ୍ରିଟ୍ ଲାଇଟ୍ ଲଗାଇବାକୁ ଦାବି ହୋଇଛି। ଏ ନେଇ ଅଞ୍ଚଳବାସୀ ପ୍ରଶାସନକୁ ବର୍ଷ ବର୍ଷ ହେଲା ଅଭିଯୋଗ କରି ଆସୁଥିଲେ ମଧ୍ୟ ପ୍ରଶାସନ କର୍ଣ୍ଣପାତ କରୁନାହିଁ। ଫଳରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏହି ରାସ୍ତାରେ ଗତ ଦୁଇ ବର୍ଷ ମଧ୍ୟରେ ସଡ଼କ ଦୁର୍ଘଟଣା ଘଟି ୫ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ନଜୀର ରହିଛି।
ସୂଚନାଥାଉକି, ୨୦୨୪ ଜୁନ୍ ୮ତାରିଖ ସନ୍ଧ୍ୟାରେ କିଷ୍ଟ କଲେଜ୍ ସମ୍ମୁଖରେ ଏକ ସ୍କୁଟି ଉପରେ ଏକ ଗ୍ୟାସ୍ ବୋଝେଇ ଟ୍ରକ୍ ମାଡ଼ିଯିବାରୁ ଜଟଣୀ ଅଞ୍ଚଳର ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିଲା। ସେହିପରି ୯ ଡିସେମ୍ବର ୨୦୨୪ରେ ତଳଖେତା ରାସ୍ତାର ଜୋରନାଳ ନିକଟରେ କଣ୍ଟେନର ଧକ୍କାରେ ଯାଆଁଳାର ଜଣେ ବାଇକ ଚାଳକଙ୍କର ମୃତ୍ୟୁ ହୋଇଥିଲା। ଚଳିତ ବର୍ଷ ଜାନୁଆରିରେ ଗୋବିନ୍ଦପୁର ଛକ ନିକଟରେ ସଡ଼କ ଦୁର୍ଘଟଣା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଫେବୃଆରିରେ ମଧ୍ୟ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ସେହିପରି ଗତ ୭ ତାରିଖ ସଂଧ୍ୟାରେ କିଷ୍ଟ କଲେଜ୍ ସାମ୍ନାରେ କାର୍- ସ୍କୁଟି ମୁହାଁମୁହିଁ ଧକ୍କାରେ ସ୍କୁଟି ଚାଳକ ଦୁଇ ଜଣ ଯୁବତୀ ଗୁରୁତର ହୋଇଥିଲେ। କିଛି ମାସ ପୂର୍ବେ ତଳଖେତା ରାସ୍ତାରେ ସ୍କୁଟି ଚାଳକ ରାମଚନ୍ଦ୍ରପୁର ବଜାରର ପିନାକୀ ନନ୍ଦ (୩୨) ଦୁର୍ଘଟଣାର ଶିକାର ହୋଇଥିଲେ। ରାସ୍ତାରୁ ଗୁରୁତର ଅବସ୍ଥାରେ ପୂର୍ବତନ ବିଡିଓ ରଶ୍ମିତା ନାଥ ନିଜ ଗାଡ଼ିରେ ଉଦ୍ଧାର କରି ହସ୍ପିଟାଲ୍ ରେ ଭର୍ତ୍ତି କରିଥିଲେ। ପୁଣି ନଭେମ୍ବର ୨୫ରେ କିଷ୍ଟ୍ କଲେଜ ସାମ୍ନା, ଫେବୃଆରି ୧୨ରେ ଗୋବିନ୍ଦପୁର ଛକ, ମାର୍ଚ୍ଚ ୧ତାରିଖରେ ପେଟ୍ରୋଲ୍ ଟାଙ୍କି ସାମ୍ନାରେ ବାଇକ ଦୁର୍ଘଟଣା ଘଟିଥିଲା। ଏହିଭଳି ଚାଳକମାନେ ଅନେକ ଦୁର୍ଘଟଣାର ଶିକାର ହୋଇଥିବା ବେଳେ ଆଉ କିଛି ସାମାନ୍ୟ ଦୁର୍ଘଟଣାରେ ଗାଡ଼ି ଚାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/07/sfsfsxccxc-2025-10-07-01-40-27.jpg)