ରାଜଧାନୀରେ ମେଲିଛି ତାଳସଜ ପସରା, କରୋନା କଟକଣାକୁ ଡର

ଭୁବନେଶ୍ୱର : ବର୍ଷର କେବଳ ଗୋଟିଏ ଋତୁରେ ହିଁ ମିଳିଥାଏ ତାଳସଜ। ଚୈତ୍ର ମାସର ପ୍ରଚଣ୍ଡ ଖରା ତାତି ବେଳେ ତାଳସଜର ଶୀତଳ ସୁମଧୁର ରସ ଓ ଜଳ କାହାକୁ ବା ଆକର୍ଷଣ ନ କରେ! କହିବାକୁ ଗ‌ଲେ, ଲୋକେ ଏଥିପାଇଁ ହିଁ ଅପେକ୍ଷା କରିଥାନ୍ତି ଖରାଦିନକୁ। ତେଣୁ ଏବେ ରାଜଧାନୀରେ ମେଲିଛି ତାଳସଜ ପସରା। ଭୁବନେଶ୍ବରର ବହୁ ଜନଗହଳିପୂର୍ଣ୍ଣ ଛକରେ ରାଜପଥ କଡ଼ରେ ତାଳସଜ ବେପାରୀମାନେ ଖରାରେ ବସିଛନ୍ତି ଓ ଗ୍ରାହକଙ୍କୁ ତାଳସଜ ଖୁଆଉଛନ୍ତି। କିନ୍ତୁ ଏତିକିବେଳେ ଘାରିଛି କରୋନା ଡର। କାଳେ କଟକଣା ପାଇଁ ଲକ୍‌ଡାଉନ୍ ଓ ସଟ୍‌ଡାଉନ୍‌ ହୋଇଯିବ ଓ ବେପାର ବନ୍ଦ ହୋଇଯିବ, ସେହି ଆଶଙ୍କାରେ ଅଛନ୍ତି ବିଚରା ଗରିବ ବେପାରୀମାନେ। ପ୍ରଚଣ୍ଡ ଖରାରେ ଲୋକେ ଫଳରସ, ଥଣ୍ଡା ପାନୀୟ, ଦହି ଓ ଲସି ଭଳି ପାନୀୟ ପ୍ରତି ଆଗ୍ରହ କରନ୍ତି। କିନ୍ତୁ ଏମାନଙ୍କ ସହ ତାଳସଜ ବି ପ୍ରତିଯୋଗିତା କରେ। ଗରିବ ବେପାରୀମାନେ ରାଜପଥ କଡ଼ରେ ବସି ଏହାକୁ ବିକୁଥିଲେ ବି ତାଳସଜର ଗ୍ରାହକ କିଛି କମ୍ ଲୋକ ନୁହନ୍ତି। ଅଦିନିଆ ଫଳ ଓ କଅଁଳ ସୁଆଦିଆ ରସ ଖାଇବାକୁ ଦାମୀ ଲୋକଙ୍କ ଭିଡ଼ ଜମେ ଏହି ଗରିବ ବେପାରୀଙ୍କ ପାଖରେ। ମାତ୍ର ଦେଢ଼ ମାସର ବେପାର। କିଛି ରୋଜଗାର ଦିଏ ଗରିବ ଲୋକଙ୍କୁ ତାଳସଜ। ତେଣୁ ପ୍ରତିବର୍ଷ ଯାଜପୁର, ବାଲେଶ୍ବର, ପୁରୀ, ନୟାଗଡ଼, ଗଞ୍ଜାମ ବଲାଙ୍ଗୀର ଭଳି ସହରରୁ ଟ୍ରକ୍‌ ଓ ବସ୍‌ ଯୋଗେ ତାଳସଜ ରାଜଧାନୀକୁ ଆସେ। ବଡ଼ କଷ୍ଟରେ ଉଚ୍ଚ ଉଚ୍ଚ ତାଳଗଛରୁ ସ୍ଥ‌ାନୀୟ ଲୋକେ ତାଳକାନ୍ଧି କାଟିଥା’ନ୍ତି। ସେହିମାନଙ୍କ ମଧ୍ୟରୁ କିଛି ଗାଡ଼ିରେ ରାଜଧାନୀକୁ ଆସି ତାଳ କାଟି ଗ୍ରାହକଙ୍କୁ ବିକିଥା’ନ୍ତି।

ବର୍ତ୍ତମାନ ଶିରିପୁର ଛକ, ୟୁନିଟ୍‌-୮ ପାୱାର ହାଉସ୍‌ ଯିବା ରାସ୍ତା, ରାଜମହଲ ଛକ, ରାମ ମନ୍ଦିର ରାସ୍ତା କଡ଼ରେ ପସରା ମେଲାଇଛନ୍ତି ତାଳସଜ ବେପାରୀମାନେ। ଯାଜପୁରରୁ ଆସିଥିବା ନିଶାକର ବେହେରା, ଉତ୍ତମ ବେହେରା, ନନ୍ଦନ ବେହେରା ପ୍ରମୁଖ ଗତ ପ୍ରାୟ ୧୫ ଦିନ ହେଲା ଏଠାରେ ଡେରା ପକାଇଛନ୍ତି। ସେମାନଙ୍କ କହିବା କଥା, ଗତ ସପ୍ତାହରେ ଭଲ ବେପାର ହୋଇଥିଲା। କଲେଜ ସବୁ ଖୋଲା ଥିଲା ଓ ପିଲାମାନେ ତାଳସଜ ଖାଇବାକୁ ଭିଡ଼ କରୁଥିଲେ। କିନ୍ତୁ ଏବେ ସ୍ଥିତି ବଦଳିଯାଇଛି। କରୋନା ପାଇଁ ବେପାର ପୂରା ମାନ୍ଦା। ବଜାରରେ ଲୋକ କମି ଯାଇଛନ୍ତି। ତେଣୁ ପୂର୍ବରୁ ଗୋଟା ୧୫ ଟଙ୍କା‌ରେ ବିକୁଥିବା ତାଳସଜକୁ ଏବେ କିଛି କମ୍‌ କରିବାକୁ ପଡ଼ୁଛି। ବେଶି ଲାଭ ନ ହେଉ ପଛେ, ମୂଳଧନ ଉଠିଯାଉ ବୋଲି ଦର କମ୍ କରି ବିକିବାକୁ ପଡ଼ୁଛି। ଏବେ ତ ଏମିତି। ଯଦି ଆଗକୁ କଟକଣା ଅଧିକ ହୁଏ, ତେବେ ଆମ ଭେଳା ବୁଡ଼ିଲା ବୋଲି ଧରିବାକୁ ହେବ। ଗତବର୍ଷ ତାଳସଜ ବେପାରରୁ କିଛି ପାଇ ନଥିଲୁ, ଏବେ ପୁଣି ସେହି ଦଶା ଭୋଗିବାକୁ ଯାଉଛୁ। ତଥାପି ବହୁ ଗ୍ରାହକ ତାଳସଜ ଖୋଜି ଖୋଜି ଆସୁଛନ୍ତି ଓ ଖୁସିରେ ଖାଇବା ସହ ଘରକୁ କିଣି ନେଉଛନ୍ତି ବୋଲି ସେମାନେ କହିଛନ୍ତି।

ସମ୍ବନ୍ଧିତ ଖବର