ଭୁବନେଶ୍ବର: ଏଆଇପିଏଚ୍ ବିଶ୍ବବିଦ୍ୟାଳୟରେ ନୂଆଦିଲ୍ଲୀସ୍ଥିତ ଫିନ୍ଲାଣ୍ଡ ଦୂତାବାସ ପକ୍ଷରୁ ଏକ ଟ୍ୟାଲେଣ୍ଟ ବୁଷ୍ଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଫିନ୍ଲାଣ୍ଡରେ ଭାରତୀୟ ଛାତ୍ରଛାତ୍ରୀମାନଙ୍କ ପାଇଁ ଉଚ୍ଚଶିକ୍ଷା, ଗବେଷଣା ଏବଂ ନିଯୁକ୍ତି କ୍ଷେତ୍ରରେ ଥିବା ସୁବିଧା, ସୁଯୋଗ ବାବଦରେ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଫିନ୍ଲାଣ୍ଡ ଦୂତାବାସର ପ୍ରତିନିଧି ଦଳ ସୂଚନା ଦେଇଥିଲେ। ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଆଦିତ୍ୟ ପ୍ରସାଦ ଦାଶ କହିଥିଲେ, ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଚାହିଲେ ଫିନ୍ଲାଣ୍ଡରେ ଉଚ୍ଚତର ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ସୁଯୋଗ ନେବାର ଉଦ୍ୟମ କରିପାରିବେ। ଫିନ୍ଲାଣ୍ଡ ସରକାରଙ୍କ ଅର୍ଥନୈତିକ ବ୍ୟାପାର ଓ ନିଯୁକ୍ତି ମନ୍ତ୍ରାଳୟ ଏବଂ ଶିକ୍ଷା ଓ ସଂସ୍କୃତି ମନ୍ତ୍ରାଳୟର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
ଦୂତାବାସର ଶିକ୍ଷା ଏବଂ ବିଜ୍ଞାନ କାଉନ୍ସେଲର ମିକା ତିରୋନେନ୍ କହିଲେ, ଫିନ୍ଲାଣ୍ଡରେ ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ବେଶ ସୁଯୋଗ ରହିଛି। ସେମାନେ ଉଚ୍ଚଶିକ୍ଷା, ଚାକିରି ଓ ବ୍ୟବସାୟ ପାଇଁ ସେଠାରେ ଏକ ଭଲ ପରିବେଶ ପାଇପାରିବେ। ସେହିପରି ଫିନ୍ଲାଣ୍ଡରେ ବିଜିନେସ୍ ଏବଂ ଷ୍ଟାର୍ଟଅପ୍ କ୍ଷେତ୍ରରେ ଭାରତୀୟ ଛାତ୍ରଛାତ୍ରୀ, ପ୍ରଫେସନାଲ୍ସ ତଥା ଉଦ୍ୟୋଗୀମାନଙ୍କ ପାଇଁ ରହିଥିବା ସୁବିଧାସୁଯୋଗ ବିଷୟରେ ଫିନ୍ଲାଣ୍ଡ ଟ୍ୟାଲେଣ୍ଟ ବୁଷ୍ଟ୍ ଇଣ୍ଟରନ୍ୟାସନାଲ୍ର ଗ୍ଲୋବାଲ୍ ମୁଖ୍ୟ ସନ୍ତେରି ଓଜାଲା ସୂଚନା ଦେଇଥିଲେ। କାର୍ଯ୍ୟକ୍ରମରେ ଟ୍ୟାଲେଣ୍ଟ ବୁଷ୍ଟର ଇଣ୍ଡିଆ ନଲେଜ୍ ପାର୍ଟନର୍ ଦେବପ୍ରିୟ ଦେ ଏବଂ କରନ୍ ମେନନ୍ ସାମିଲ ଥିଲେ। ସେହିପରି ଏଆଇପିଏଚ୍ ବିଶ୍ବବିଦ୍ୟାଳୟର ଏଚ୍ଆର୍ ଓ ଷ୍ଟୁଡେଣ୍ଟ ୱେଲ୍ଫେୟାରର ନିର୍ଦ୍ଦେଶକ ପିଆର୍ ମିଶ୍ର, ରେଜିଷ୍ଟ୍ରାର ଏସ୍ ମିଶ୍ର, ସ୍କୁଲ୍ ଅଫ୍ ବାୟୋଲୋଜିକାଲ ସାଇନ୍ସର ଡିନ୍ ପ୍ରଫେସର ଏନ୍ ବେହେରା, ସ୍କୁଲ୍ ଅଫ୍ ପବ୍ଲିକ୍ ହେଲ୍ଥର ଡିନ୍ ପ୍ରଫେସର ପି ପଣ୍ଡା, ସ୍କୁଲ୍ ଅଫ୍ ଆଲାଏଡ୍ ହେଲ୍ଥ ସାଇନ୍ସର ଡିନ୍ ପ୍ରଫେସର ଅରଜିତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।