ମେଧାବୀ ଛାତ୍ର ନିଖୋଜ, ଦୟାନଦୀରୁ ମିଳିଥିବା ମୃତଦେହ ଚିହ୍ନଟ ପାଇଁ ପୁରୀରେ ପରିବାରବର୍ଗ

ଭୁବନେଶ୍ବର: ସହିଦନଗର ଥାନା ଗ୍ରିଡ୍‌କୋ କଲୋନିରେ ରହୁଥିବା କଣାସ ଗଡ଼ସାହିର ଗଙ୍ଗାଧର ମିଶ୍ରଙ୍କ ପୁଅ ଶଶାଙ୍କ ମିଶ୍ର ଗତ ୨୦ ତାରିଖରୁ ନିଖୋଜ ହୋଇ ଯାଇଛନ୍ତି। ଘରେ ମୋବାଇଲ, ପର୍ସ ରଖି ହାପ୍‌ପ୍ୟାଣ୍ଟ ପିନ୍ଧି ସେ ଘରୁ ‌ବାହାରି ଆସିଥିଲେ। ଏ ନେଇ ଗଙ୍ଗାଧର ସହିଦନଗର ଥାନାରେ ଏତଲା ଦେଇଥିଲେ। ପୁଲିସଏକ ନିଖୋଜ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଅନ୍ୟପଟେ ୨୦ ତାରିଖ ସନ୍ଧ୍ୟାରେ ଦୟାନଦୀରୁ ଏକ ମୃତଦେହ ମିଳିଥିଲା। ମୃତଦେହକୁ ଜବତ କରିଥିଲା ପିପିଲି ଥାନା ପୁଲିସ।

ଶବ ଚିହ୍ନଟ ପାଇଁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସଂରକ୍ଷିତ ରଖା ଯାଇଥିଲା। ସହିଦନଗର ଥାନାରେ ଦିଆଯାଇଥିବା ଏତଲାକୁ ଆଧାର କରି ମୃତଦେହ ସହ ନିଖୋଜ ଶଶାଙ୍କଙ୍କର ସାମଞ୍ଜସ୍ୟ ରହିଥିବା ଜଣାପଡ଼ିଥିଲା। ଏଣୁ ଶଶାଙ୍କଙ୍କର ପରିବାରବର୍ଗକୁ ପିପିଲି ଥାନା ପୁଲିସ ପୁରୀ ଡକାଇଛି। ବିଳମ୍ବିତ ରାତିରେ ସେମାନେ ପହଞ୍ଚିବା ପରେ ଶବକୁ ଚିହ୍ନଟ କରିବେ ବୋଲି ଜଣାପଡ଼ିଛି। ଗଙ୍ଗାଧର କହିଛନ୍ତି, ଶଶାଙ୍କ ଜଣେ ମେଧାବୀ ଛାତ୍ର। ସେ ବାହାରେ ରହୁଥିବାରୁ ଲକ୍‌ଡାଉନ୍‌ ଫସି ରହିଥିଲା। କଟକଣା କୋହଳ ହେବା ପରେ ସେ ଘରକୁ ଆସିଥିଲା। ସେ ଏମ୍‌ବିଏ କରିବା ପାଇଁ ପ୍ରସ୍ତୁତ ହେଉଥିଲା। ସେ ଆତ୍ମହତ୍ୟା କରିବା ଭଳି ପିଲା ନୁହନ୍ତି।

ସମ୍ବନ୍ଧିତ ଖବର