ପାଠପଢ଼ା ଛାଡ଼ିବେ ମେଧାବୀ ଛାତ୍ରୀ ତାରିଣୀ!

ଚନ୍ଦ୍ରଶେଖରପୁର: ପିଲା ଦିନରୁ ମୁଖ ପକ୍ଷାଘାତର ଶିକାର ମେଧାବୀ ଛାତ୍ରୀ ତାରିଣୀ ଏବେ ବଡ଼ ହେବା ପରେ ଅଧିକ ଅସୁନ୍ଦର ଦେଖାଯାଉଛି। ଦିନକୁ ଦିନ ମୁହଁର ବକ୍ରତା ବଢ଼ୁଥିବାରୁ ଡାହାଣ ଆଖି ପ୍ରଭାବିତ ହେବାରେ ଲାଗିଛି ଓ ସେହି ଆଖିକୁ ଆଉ ଭଲ ଭାବେ ଦେଖାଯାଉନାହିଁ। ତେଣୁ ଗୋଟିଏ ପଟେ ମୁହଁ କଦର୍ଯ୍ୟ ହୋଇ ପଡ଼ୁଥିବା ବେଳେ ଆଖିକୁ ଭଲ ଦେଖାନଯିବାରୁ ତା’ ପାଠପଢ଼ାରେ ଡୋରି ବନ୍ଧା ହେବା ପରିସ୍ଥିତି ସୃଷ୍ଟି ହୋଇଛି। ଦିନ ମଜୁରିଆ ଭାବେ କାମ କରୁଥିବା ତାରିଣୀର ବାପାଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି କଲା ଭଳି କ୍ଷମତା ନଥିବାରୁ ସେ ଆଉ ଆଗକୁ ପଢ଼ିବା ସମ୍ଭବ ନୁହେଁ ବୋଲି ଜଣାପଡ଼ିଛି। ତେଣୁ ଏବେ ତାରିଣୀ ଘୋର ମାନସିକ ଅବସାଦରେ ଥିବା ବେଳେ କୌଣସି ଦିଗରୁ ସହାୟତାର ଆଶାକୁ ଚାତକ ଭଳି ଚାହିଁ ବସିଛି।

ସୂଚନାନୁସାରେ ଫୁଲବାଣୀ ରୁଦ୍ରଙ୍ଗିଆ ଗ୍ରାମରୁ ଭୁବନେଶ୍ବରକୁ ଚାଲି ଆସିବା ପରେ ତାରିଣୀର ପରିବାର ‌ମଞ୍ଚେଶ୍ବର ରେଳଷ୍ଟେସନ୍ ନିକଟ ଲାଇନ୍‌ବସ୍ତିରେ ଏକ ଝୁମ୍ପୁଡ଼ି କରି ରହି ଆସୁଛନ୍ତି। ବଡ଼ କଥା ହେଉଛି, ମୁହଁକୁ ଲୁଚାଇ ଲୁଚାଇ ସେ ଏ ପର୍ଯ୍ୟନ୍ତ ଦଶମ ଶ୍ରେଣୀରେ ପାଦ ଦେଇ ସାରିଲାଣି। ବର୍ତ୍ତମାନ ସେ ଗଡ଼େଶ୍ବର ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ। ଏହା ପରେ ସେ କଲେଜ ଯିବ। କିନ୍ତୁ ଏଥିପାଇଁ ବା‌ଧକ ସାଜିଛି ତା’ର ଚେହେରା। ଏବେ ବୟସ ବଢ଼ିବା ସହ ମୁହଁର ବକ୍ରତା ବଢ଼ିବାରେ ଲାଗିଛି। ଫଳରେ ଦିନକୁ ଦିନ ଚେହେରା ଅଧିକ କଦର୍ଯ୍ୟ ଦେଖା ଯାଉଥିବାରୁ ସେ ବାହାରକୁ ବାହାରିବାକୁ ମନ ବଳାଉନାହିଁ। ତା’ର ମନବଳ କମି କମି ଯାଉଛି। ଝିଅଟିଏ ହୋଇଥିବାରୁ ରୋଗିଣା ମୁହଁ ନେଇ ବାହାରକୁ ଗୋଡ଼ କାଢ଼ିବାକୁ ତା’ ନିକଟରେ ଆଉ ଧୈର୍ଯ୍ୟ ନାହିଁ ବୋଲି ସେ କହିଛି। କିଛି ଦିନ ପୂର୍ବେ ଜଣେ ବଦାନ୍ୟ ବ୍ୟକ୍ତି ତାକୁ କଟକ ବଡ଼ ମେଡ଼ିକାଲ ନେଇ ପରୀକ୍ଷା କରାଇଥିଲେ। ମାତ୍ର ପ୍ଲାଷ୍ଟିକ ସର୍ଜରି ପାଇଁ ସେ ଅର୍ଥ ଯୋଗାଡ଼ କରିବାରେ ସକ୍ଷମ ହୋଇନଥିଲେ। ତଥାପି ଉକ୍ତ ବଦାନ୍ୟ ବ୍ୟକ୍ତି ଏକ ଛୋଟ ଅସ୍ତ୍ରୋପଚାର କରାଇଥିଲେ। କିନ୍ତୁ ତାହା ଯ‌ଥେଷ୍ଟ ହୋଇନଥିଲା। ଡାକ୍ତରମାନେ ପ୍ଲାଷ୍ଟିକ୍ ସର୍ଜରିର ଆବଶ୍ୟକତା ରହିଛି ବୋଲି କହିଛନ୍ତି। ତେଣୁ ଖଟିଲେ ଖାଉଥିବା ପରିବାର ପାଇଁ ଏହା ଏକ ସ୍ବପ୍ନ ଛଡ଼ା ଅନ୍ୟ କିଛି ନୁହେଁ ବୋଲି ତାରିଣୀର ବାପା ବଡ଼ ଦୁଃଖରେ କହିଛନ୍ତି। ତେଣୁ କୌଣସି ସହୃଦୟ ବ୍ୟକ୍ତି ବା ଅନୁଷ୍ଠାନ ସହଯୋଗର ହାତ ବଢ଼ାଇଲେ, ଏକ ମେଧାବୀ ଛାତ୍ରୀର ପାଠପଢ଼ା ସ୍ବପ୍ନ ସାକାର ହୁଅନ୍ତା ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର