ରଙ୍ଗବେରଙ୍ଗୀ ଚିତ୍ର କେବଳ ଆଉ କାନ୍ଭାସ୍ରେ ସୀମିତ ନାହିଁ। ରଙ୍ଗମଖା ଚିତ୍ରବିଚିତ୍ର କାନ୍ଥବାଡ଼ ଏବେ କଥା କହିଲେଣି। ଗଛ ବି ଏଥିରୁ ବାଦ୍ ପଡ଼ିନି। ଜୀବଜନ୍ତୁ ସିନା ଲୋପ ପାଇଗଲେଣି। ଅଥଚ ଗଛ ରୂପକ କାନ୍ଭାସ୍ରେ ଲୁପ୍ତପ୍ରାୟ ଜୀବଙ୍କୁ ତୁଳୀରେ ତୋଳି ଧରିଛନ୍ତି ୟୁନିଟ୍ ୮ ବାଳକ ଉଚ୍ଚ ବିଦ୍ୟାଳୟର କିଛି ଛାତ୍ର ଓ ଶିକ୍ଷକ। ଏଠି ଗଛ ସାଜିଛି କାନ୍ଭାସ୍। ତୂଳୀ ଧରି ଗଛରେ ବିସ୍ମୟ ଫୁଟାଇଛନ୍ତି କଳାଶିକ୍ଷକ ଓ ଛାତ୍ର। କୁହାଯାଏ, ଜଣେ ପିଲା ତା ପରିବେଶରୁ ଶିଖେ। ଏ ପରିବେଶ ଯେ ପିଲାମାନଙ୍କୁ ଅନେକ ଶିକ୍ଷା ଦେଉଥିବ, ତାହାର ଜ୍ୱଳନ୍ତ ଦୃଷ୍ଟାନ୍ତ ହେଉଛିି ଏହି କଥାକୁହା ଗଛ। ଯେ କେହି ଦେଖିବ ନିଶ୍ଚେ ରୋମାଞ୍ଚିତ ହେବ। ରଙ୍ଗର ସ୍ପର୍ଶ ଗଛରେ ଲୋଟିପଡ଼ିବା ଭଳି ଏହି ଜୀବଜନ୍ତୁମାନେ ଯେମିତି ନିଜର ଉପସ୍ଥିତିକୁ ବ୍ୟକ୍ତ କରି କହୁଛନ୍ତି ଦୟାକରି ଗଛ କାଟନି। ନହେଲେ ମୁଁ ମରିଯିବି ଯେ...।ଉପସ୍ଥାପନା: ସତ୍ୟନାରାୟଣ ରାଉତରାୟ
ଅଜଗରଠୁ ଜିରାଫ୍ ଯାଏଁ
ଦୁଇ ବାହୁ ଉପରକୁ ଟେକି ଖତେଇ ହେଉଥିବା ବଣ ମଣିଷ ହେଉ କି ଜିଭ ଲହଲହ କରି ଆକ୍ରମଣ ମୁଦ୍ରାରେ ଗଛ ଡାଳରେ ଗୁଡ଼େଇ ହୋଇ ରହିଥିବା ଅଜଗର ଚିହିଁକି ଆସୁଥିବାର ଦୃଶ୍ୟ। ନିଜର ଉଚ୍ଚତାକୁ ଜାହିର୍ କରୁଥିବା ଜିରାଫ୍ ହେଉ ଅବା ଘଡ଼ିଆଳ କୁମ୍ଭୀର। ପୁଣି ତୀକ୍ଷ୍ଣ ନଜରରେ ଚାହିଁ ରହିଥିବା ଆନାକୋଣ୍ଡା। ଏହିଭଳି ଜୀବଜନ୍ତୁମାନେ ଗଛରେ ଉତୁରି ଆସିଛନ୍ତି। ସ୍କୁଲ୍ର ଚିତ୍ର ଶିକ୍ଷକ ମନୋଜ କୁମାର ଘଡ଼େଇ ଏହି ଚିତ୍ରଗୁଡ଼ିକୁ ଗଛରେ ଆଙ୍କିବା ପରେ ରଙ୍ଗ ମାଖିଥିଲେ ସ୍କୁଲ୍ର ଛାତ୍ରମାନେ। ଗଛ ଦେହରେ ସମସ୍ତ ଚିତ୍ର ଜୀବନ୍ତ ଅନୁଭବ ଦେଉଥିବା କହିଛନ୍ତି ସ୍କୁଲ୍ର ପୁରାତନ ଛାତ୍ର ଧନଦାକାନ୍ତ ମିଶ୍ର।
ବାଙ୍ଗାଲୋରରୁ ଦେଖି ଆସିଥିଲେ ପ୍ରଧାନ ଶିକ୍ଷୟିତ୍ରୀ
ସ୍କୁଲ୍ର ପ୍ରଧାନ ଶିକ୍ଷୟିତ୍ରୀ ବିଥୀକା ରୟ ବାଙ୍ଗାଲୋର ବୁଲିବାକୁ ଯାଇଥିବା ବେଳେ ନିସବଧାମ ପାର୍କରେ ଏମିତି ଏକ କଳା ତାଙ୍କୁ ବିସ୍ମିତ କରିଥିଲା। ତେବେ ଏହା ସେଠାରେ ଏତେ ନିଖୁଣ ଭାବେ କରାଯାଇ ନଥିଲା। ଶ୍ରୀମତୀ ରୟଙ୍କ କଳ୍ପନାରୁ ବାହାରି ଆସିଥିଲା ଯଦି ଆମ ସ୍କୁଲ୍ ପରିସରରେ ଥିବା ଗଛଗୁଡ଼ିକୁ ଏଭଳି ରୂପ ଦିଆଯାଏ ? ଏହା ଭାବି ସେ ସେଠାରୁ ଚିତ୍ରଗୁଡ଼ିକୁ ନିଜ ମୋବାଇଲ୍ରେ କଏଦ କରି ନେଇ ଆସିଥିଲେ। ସ୍କୁଲ୍ରେ କଳା ଶିକ୍ଷକଙ୍କୁ ଏହା ଦେଖାଇ କହିଥିଲେ, ଏମିତି ଆମେ ଆମ ପରିସରରେ କରିପାରିବା କି? କଳା ଶିକ୍ଷକ ସଙ୍ଗେସଙ୍ଗେ ହଁ ମାରିଥିଲେ। ବାସ୍ ସେଇଠୁ ଆରମ୍ଭ ହୋଇଥିଲା ପରିକଳ୍ପିତ ଯୋଜନାର ରୂପରେଖ। ଶ୍ରୀମତୀ ରୟଙ୍କ କହିବା ମୁତାବକ, ଓଡ଼ିଶାରେ ପ୍ରଥମ କରି ଆମ ସ୍କୁଲରେ ଏହିଭଳି ଉଡ୍ ଆର୍ଟ କରିଛୁ। ଗଛରେ ଜୀବ ଜନ୍ତୁଙ୍କୁ ଏତେ ନିବିଡ଼ ଭାବେ ବୃହତ୍ ଆକାରରେ ଉତାରିବା ବୋଧେ ପ୍ରଥମ ପଦକ୍ଷେପ ବୋଲି ସେ କହିଛନ୍ତି।
ସ୍କୁଲ୍ରେ ଔଷଧ ଉଦ୍ୟାନ
ସ୍କୁଲ୍ ତା’ର ସୁବର୍ଣ୍ଣ ଜୟନ୍ତୀ ପାଳନ ବେଳେ କିଛି ଭିନ୍ନ କରିବାର ଉଦ୍ଦେଶ୍ୟ ନେଇ ଏଭଳି ନକ୍ସା ପ୍ରସ୍ତୁତ କରିଥିଲା। ତାକୁ ସାକାର ମଧ୍ୟ କରିଥିଲା। ଆହୁରି ଆକର୍ଷଣ ସାଜିଥିଲା ସ୍କୁଲ୍ ପରିସରରେ ଔଷଧ ଉଦ୍ୟାନ। ହାତୀ, ବାଘ, ହରିଣ, ମୟୂର, ଠେକୁଆର ପ୍ରତିକୃତି ଦେଖିବାକୁ ମିଳିଥିଲା। ସ୍କୁଲ୍ ପରିସରର ଏହି କଳାତ୍ମକ ପରିବେଶରେ ହଜିଯାଉଥିଲେ ଦେଖେଣାହାରୀ।
ରଙ୍ଗ ସ୍ପର୍ଶ ଦେଇଥିଲେ ୫ ଛାତ୍ର
କଳା ଶିକ୍ଷକ ଶ୍ରୀ ଘଡ଼େଇ ସିନା ପ୍ରଧାନ ଶିକ୍ଷୟିତ୍ରୀଙ୍କୁ କଥା ଦେଇଦେଇଥିଲେ। କିନ୍ତୁ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଇଚ୍ଛା ଥିଲା କଳାନୁରାଗୀ ପିଲାମାନେ ହିଁ ଏଗୁଡ଼ିକୁ ପ୍ରସ୍ତୁତ କରନ୍ତୁ। ଯାହା ମନୋଜଙ୍କ ପାଇଁ ଆହ୍ଵାନଠାରୁ କମ୍ ନଥିଲା। ମନୋଜ ୫ଟି ଗଛରେ ଲେ ଆଉଟ୍ ପ୍ରସ୍ତୁତ କରିନେଲେ। ଶେଷରେ ରଙ୍ଗ ମାଖିବା ଦାୟିତ୍ୱ ଦେଇଥିଲେ ୫ଜଣ ଛାତ୍ରଙ୍କୁ। ଅମିତ କୁମାର ସାହୁ, ଋଷିକେଶ, ସୌରଭ ଦାସ, ମିଥୁନ୍ ମଲ୍ଲିକ, ବିଭୂତି ପ୍ରଧାନ ପ୍ରମୁଖ ତୂଳୀ ଧରି ଆଙ୍କିଥିଲେ ଚିତ୍ର। େଓ୍ଵଦର ପେଣ୍ଟ୍ ଏବଂ ଏନାମେଲ୍ ରଙ୍ଗରେ ସମସ୍ତ ଚିତ୍ରକୁ ମାତ୍ର ୭ ଦିନ ମଧ୍ୟରେ ପ୍ରସ୍ତୁତ ହୋଇଥିଲା। ଅମିତଙ୍କ କହିବା ଅନୁଯାୟୀ, ଯେତେବେଳେ ଆମେ ଏ ଚିତ୍ର ଆଙ୍କୁଥିଲୁ, ପିଲା ବେଢ଼ିଯାଇ ଦେଖୁଥିଲେ। ଯେବେ ସମ୍ପୂର୍ଣ୍ଣ ହେଲା ସେବେ ସମସ୍ତେ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ।