ଖଣ୍ଡଗିରି: ପୁଣି ଅଚଳ ହୋଇ ପଡ଼ିଛି ତମାଣ୍ଡୋ ଥାନା ଫୋନ୍। ଗତ ୩ ମାସ ମଧ୍ୟରେ ପ୍ରାୟ ୫ ଥର ଅଚଳ ହେଲାଣି। ୧୬ ନମ୍ବର ଜାତୀୟ ରାଜପଥ ଉପରେ ଥିବା ଏହି ଥାନା ଫୋନ୍ ବାରମ୍ବାର ଅଚଳ ହୋଇପଡ଼ୁଥିବାରୁ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ନିମ୍ନମାନର ମରାମତି କାମ ସହ ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ନିଆଯାଉନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନାଯୋଗ୍ୟ, ୧୬ ନମ୍ବର ଜାତୀୟ ରାଜପଥରେ ପାତ୍ରପଡ଼ା, ତମାଣ୍ଡୋ ଓଭରବ୍ରିଜ୍ ଓ ଗୋହିରା ଛକ ଦୁର୍ଘଟଣା ପାଇଁ ବ୍ଲାକସ୍ପଷ୍ଟ ଭାବେ ଜଣାଶୁଣା। ଏହାବାଦ୍ ଏହି ରାଜପଥର ପାତ୍ରପଡ଼ାରୁ ଯାଁଳା ମଧ୍ୟରେ ଲୁଟେରାମାନଙ୍କ ଆତଙ୍କ ମଧ୍ୟ ଅଧିକ ଦେଖାଯାଏ। ଏବେ ଫୋନ୍ ଅଚଳ ଥିବାରୁ କୌଣସି ଅଘଟଣବେଳେ ହଠାତ୍ ଲୋକେ ଥାନାକୁ ଜଣାଇବାକୁ ଚେଷ୍ଟା କରି ବିଫଳ ହେଉଛନ୍ତି ଓ ୧୦୦କୁ ଡାଏଲ୍ କରିବାକୁ ବାଧ୍ୟ ହେଉଛନ୍ତି। ଏହାଦ୍ବାରା ପୁଲିସ ସେବା ମିଳିବାରେ ବିଳମ୍ବ ହେଉଥିବା ଅଭିଯୋଗ ହେଉଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ଏହି ଥାନାର ଫୋନ୍ ଅଚଳ ହେବା ନିତିଦିନିଆ ଘଟଣାରେ ପରିଣତ ହୋଇଗଲାଣି। ଲୋକେ ଟେଲିଫୋନ୍ ବିଭାଗ ଅପେକ୍ଷା ପୁଲିସକୁ ଏଥିପାଇଁ ଅଧିକ ଦାୟୀ କରିଛନ୍ତି। ଫୋନ୍ ଅଚଳ ପୁଲିସ କର୍ମଚାରୀଙ୍କୁ ସୁହାଉଛି ବୋଲି ଲୋକେ ଅଭିଯୋଗ କରିଛନ୍ତି। ମାତ୍ର ଏ ନେଇ ଥାନା ଅଧିକାରୀଙ୍କ କହିବା କଥା ଫୋନ୍ ଅଚଳ ହୋଇଥିବା କଥା ବିଭାଗୀୟ ଯନ୍ତ୍ରୀଙ୍କୁ ଜଣାଇ ଦିଆଯାଇଛି। କିନ୍ତୁ ସେମାନେ ମରାମତି କରୁନାହାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/09/case-police.jpg)