ଭୁବନେଶ୍ବର: ଅସରାଏ ବର୍ଷାରେ ଭାସୁଛି ତମାଣ୍ଡୋ ଅଣ୍ଡରପାସ୍‌ ଓ ନିକଟ କାଳୀବଜାର। ୩ ଦିନ ତଳେ ବର୍ଷା ହୋଇଥିଲା। ଅଣ୍ଡରପାସ୍‌ରୁ ଆଜି ଯାଏ ସେ ପାଣି ଶୁଖିନି। ଏ ସମସ୍ୟା ଆଜିର ନୁହେଁ, ଗତ ୫ ବର୍ଷ ହେଲା ବର୍ଷା ଦିନେ ଏପରି ସ୍ଥିତି ଉପୁଜୁଥିଲେ ହେଁ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ) ଏହାର ସ୍ଥାୟୀ ସମାଧାନ କରୁନାହିଁ। କେବେ ୨ ବୋଝ ଚିପ୍ସ, ବଜୁରି ପକାଇ ଦେଇଛି ତ କେବେ କଡେଇଏ ସିମେଣ୍ଟ ଘୋଳା ପକାଇ ଦେଉଛି। ନିକଟରେ ଯାଇଥିବା କାଳବୈଶାଖୀ ଓ ପରବର୍ଷାରେ ବଜାର ସମେତ ଅଣ୍ଡରପାସ୍‌ରେ ଅଣ୍ଟାଏ ଉଚ୍ଚର ପାଣି ଜମିଥିଲା। ବର୍ଷା ଛାଡ଼ିବାର ପ୍ରାୟ ସପ୍ତାହେ ପର୍ଯ୍ୟନ୍ତ ମଧ୍ୟ ପାଣି ନିଷ୍କାସନ ହୋଇପାରି ନଥିଲା। ଫଳରେ ସ୍ଥାନୀୟ ଲୋକ ଯାତାୟାତରେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ।

Advertisment

ତ‌ମାଣ୍ଡୋ ବଜାର ଉପରେ କାଶୀପୁର, ବାଲିଆପାଳ, ନଁପୁଟୁ, ମହୁରା, ରେତଙ୍ଗ, ବାଲିଆପାଡ଼ା, ଯାଁଳା,ମଦନପୁର, ବଡ଼ରଘୁନାଥପୁର, ଅରିସଲ, କାଇମାଟିଆ, ଜାଗସରାପାଟଣା, ନାରଗୋଦା, କାଇମାଟିଆ, ପାତ୍ରପଡ଼ା, କଳିଙ୍ଗବିହାରର ଲୋକେ ନିର୍ଭର କରନ୍ତି। ଘର ପାଖରେ ଯେତେ ଦୋକାନ ବଜାର ଖୋଲିଲେ ମଧ୍ୟ ତମାଣ୍ଡୋରେ ଗୋଟିଏ ଜାଗାରେ ସବୁ ଆବଶ୍ୟକ ସାମଗ୍ରୀ ମିଳୁଥିବାରୁ ଏଠାରୁ ପ୍ରତିଦିନ ଲୋ‌କ ବଜାର କରିବାକୁ ଆସନ୍ତି। ପାଣି ଜମିବା ଫଳରେ ଏହି ସମସ୍ୟାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏବେ ବଡ଼ ବର୍ଷା ଆରମ୍ଭ ହୋଇନି। କିନ୍ତୁ ଅଳ୍ପ ବର୍ଷା‌ରେ ବି ଏଠି ପାଣି ଜମିଯାଉଛି। ତେଣୁ ଆଗକୁ ଆହୁରି ବର୍ଷା ହେଲେ ଅଞ୍ଚଳବାସୀ ସପ୍ତାହରୁ ଊର୍ଧ୍ବ ଜଳବନ୍ଦୀ ହେବାର ଆଶଙ୍କା ପ୍ରକାଶ ପାଇଛି। ଅବଶ୍ୟ ବଜାରରୁ ଖୋର୍ଦ୍ଧା ଆଡ଼କୁ ଯିବା ପାଇଁ ଗୋଟିଏ କିଲୋମିଟର ଦୂରରେ କଳିଙ୍ଗବିହାର ଅଣ୍ଡର୍‌ପାସ୍‌ ଅଛି, କିନ୍ତୁ ତାହାକୁ ବ୍ୟବହାର କରିବ‌ାକୁ କେହି ପ୍ରସ୍ତୁତ ନୁହନ୍ତି। ପାଖରେ ଅଣ୍ଡରପାସ୍‌ ଥାଇ ଏତେଗୁଡ଼ାଏ ବାଟ ବୁଲିବାକୁ ଲୋକେ ଅରାଜି। ତେଣୁ ଦୀର୍ଘ ଦିନର ଏହି ସମସ୍ୟାର ଶୀଘ୍ର ସମାଧାନ କରାନଗଲେ ଲୋକେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ଅଣ୍ଡରପାସ୍ ତିଆରି ହେବା ପରେ ଏଠାରେ ବର୍ଷାଜଳ ନିଷ୍କାସନ ନେଇ ସମସ୍ୟା ଦେଖାଦେଇଥିଲା। ତେଣୁ ବଡ଼ ନଳା ସାହାଯ୍ୟରେ ଏହି ବର୍ଷାଜଳକୁ ଖାଲି ଥିବା ଏକ ବେସରକାରୀ ଜମିକୁ ଛଡ଼ା ଯାଉଥିଲା। ମାତ୍ର ଗତ ୩ବର୍ଷ ହେବ ଉକ୍ତ ଜମିର ମାଲିକ ସେଠାରେ ଦୋକାନ ତିଆରି କରିବା ପରେ ତାଙ୍କ ଜମିକୁ ପାଣି ଛାଡ଼ିବାକୁ ବିରୋଧ କରିଥିଲେ। ଏପରିକି ପରବର୍ତ୍ତୀ ସମୟରେ ସେ ଏହି ଘଟଣାକୁ ନେଇ ହାଇକୋର୍ଟର ଆଶ୍ରୟ ନେଇଥିଲେ। ଏହା ପରେ ପାଣି ନିଷ୍କାସନ ପାଇଁ ଥିବା ନଳାରେ ମାଟି ପକାଇ ତା’ ମୁହଁ ବନ୍ଦ କରି‌ଦେଇଛନ୍ତି। ଯେଉଁଥିପାଇଁ ବର୍ତ୍ତମାନ ଅସରାଏ ବର୍ଷା ହେଲେ ଅଣ୍ଡରପାସ୍‌ରେ ଅଣ୍ଟାଏ ଉଚ୍ଚର ପାଣି ଜମୁଛି। ୫ ମାସ ତଳେ ଏନ୍ଏଚ୍ଆଇ ପକ୍ଷରୁ ବଜୁରି ପକାଯାଇଥିଲା। ହେଲେ ତାହା ଅଳ୍ପ ଦିନରେ ଉଠି ପୁଣି ଗାତ ହୋଇଗଲା। ଏନେଇ ତମାଣ୍ଡୋର ବିଜନ୍‌ କୁମାର ମହାନ୍ତିଙ୍କ କହିବାନୁଯାୟୀ, ଏହି ମାର୍କେଟ୍‌ ଉପରେ ସ୍ଥାନୀୟ ଆଖପାଖ ଅଞ୍ଚଳର ପ୍ରାୟ ୩୦ ହଜାରରୁ ଊର୍ଦ୍ଧ୍ବ ଲୋକ ନିର୍ଭର କରନ୍ତି। ସବୁ ଦିନ ସେମାନେ ଅଣ୍ଡର୍‌ପାସ୍ ଦେଇ ଯିବା ଆସିବା କରନ୍ତି। ତେଣୁ ବର୍ଷା ହେଲେ ଲୋକଙ୍କୁ ହଟହଟା ହେବାକୁ ହେଉଛି।