ଭୁବନେଶ୍ବର: ରାଜଧାନୀ ସମେତ କଟକ ଓ ପୁରୀରେ ଲୁଟ୍ପାଟ୍ କରି ପୁଲିସର ମୁଣ୍ଡବିନ୍ଧା ବଢ଼ାଇଦେଇଥିବା ମୋଷ୍ଟ ୱାଣ୍ଟେଡ୍ ତାମିଲନାଡ଼ୁ ତିର୍ଚି ଗ୍ୟାଙ୍ଗ୍ ଶେଷରେ ଧରାପଡ଼ିଛି। ମୋ’ ବସ୍ରେ ଭିଡ଼ର ସୁଯୋଗ ନେଇ ଓ କାର୍ କାଚ ଭାଙ୍ଗି ଲୁଟୁଥିବା ଏହି ତିର୍ଚି ଗ୍ୟାଙ୍ଗ୍ର ଏକ ୪ଜଣିଆ ଟିମ୍ କମିସନରେଟ୍ ପୁଲିସ ପଞ୍ଝାରେ ଫସିଛି। ସେମାନେ ହେଲେ ତାମିଲ୍ନାଡ଼ୁ ତିର୍ଚି ଜିଲ୍ଲାର ବି. ମୋହିତ(୪୮), ପି. ମୋର୍ଥି(୪୨), ନନ୍ଦ କୁମାର(୪୭) ଓ ଏସ୍ ଦୀନେଶ(୪୭)। ସେମାନଙ୍କ ନିକଟରୁ ୪ଟି ଲାପ୍ଟପ୍, ୨୫ଟି ମୋବାଇଲ୍ ଫୋନ୍, କାର୍ କାଚ ଭାଙ୍ଗିବା ପାଇଁ ବ୍ୟବହୃତ ଲୁହା ଗୁଲି, ବାଟୁଳି ଆଦି ଜବତ କରାଯାଇଛି। ଆଜି ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିସନର ସଞ୍ଜୀବ ପଣ୍ଡା ଓ ଡିସିପି ପ୍ରତୀକ ସିଂ ଏହି ଗ୍ୟାଙ୍ଗ୍ର ଅପରେସନ୍, ଆପରାଧିକ ଇତିହାସ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଗ୍ୟାଙ୍ଗ୍ର ଅନ୍ୟ ସଦସ୍ୟଙ୍କୁ ଧରିବାକୁ ଚଢ଼ଉ ଜାରି ରହିଛି ଏବଂ ଅଧିକ ତଦନ୍ତ ପାଇଁ ଏହି ୪ଜଣଙ୍କୁ ରିମାଣ୍ଡ୍ରେ ଅଣାଯିବ ବୋଲି ପୁଲିସ କମିସନର ଶ୍ରୀ ପଣ୍ଡା କହିଛନ୍ତି। ଓଡ଼ିଶାରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ବେଳେ ବିଭିନ୍ନ ସହରରେ ପ୍ରବଳ ଭିଡ଼ ହୋଇଥାଏ। ଏହି ମଉକାକୁ ଉଣ୍ଡି ଏହି ଗ୍ୟାଙ୍ଗ୍ ଭୁବନେଶ୍ବର ଆସିଥିଲା।
ଧରାଇଦେଲା ରେଳଷ୍ଟେସନ ସିସିଟିଭି
୧୬ ତାରିଖ ସନ୍ଧ୍ୟାରେ ଓଏଏସ୍ ସାର୍ଥକ ସୌରଭ ମହାପାତ୍ର ଗଭର୍ଣ୍ଣର ହାଉସ୍ ନିକଟ ସିସିଡି ସମ୍ମୁଖରେ କାର୍ ପାର୍କିଂ କରିଥିଲେ। କେହି ଦୁର୍ବୃତ୍ତ ତାଙ୍କ କାର୍ର କାଚ ଭାଙ୍ଗି ଲାପ୍ଟପ୍ ନେଇଯାଇଥିଲା। ସେହିପରି ୧୫ ତାରିଖ ସନ୍ଧ୍ୟାରେ ଅଶୋକ ଲେଲ୍ୟାଣ୍ଡ୍ର ମ୍ୟାନେଜର ଅତିଶ ସାହୁ ଜଳାରାମ ସୁଇଟ୍ସ ନିକଟରେ କାର୍ ପାର୍କିଂ କରିଥିବା ବେଳେ କାର୍ରୁ ତାଙ୍କ ଲାପ୍ଟପ୍ ଚୋରି ହୋଇଥିଲା। ସେହିଦିନ ରାତି ପ୍ରାୟ ସାଢ଼େ ୮ଟା ସମୟରେ ସୁବ୍ରତ ସାହୁ ବାଣୀବିହାରସ୍ଥିତ ମୋ’ ବସ୍ଷ୍ଟାଣ୍ଡରେ ଅପେକ୍ଷା କରିଥିବା ବେଳେ ୪ଜଣ ଅପରିଚିତ ଯୁବକ ତାଙ୍କ ମୋବାଇଲ ଫୋନ୍ ଚୋରାଇ ନେଇଥଲେ। ଲଗାତାର ଏଭଳି ଲୁଟ୍ ନେଇ ଅଭିଯୋଗ ହେବା ପରେ କମିସନରେଟ୍ ପୁଲିସର ଚିନ୍ତା ବଢ଼ିଥିଲା। ସ୍ପେସାଲ୍ ସ୍କ୍ବାଡ୍ ବିଭିନ୍ନ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରି ଏସବୁ ଗୋଟିଏ ବାହାର ରାଜ୍ୟ ଗ୍ୟାଙ୍ଗ୍ର କାମ ବୋଲି ଜାଣିପାରିଥିଲା। ରେଳ ଷ୍ଟେସନ ସିସିଟିଭି ଯାଞ୍ଚ କଲାବେଳେ ପୁଲିସର ସନ୍ଦେହ ସତ ହୋଇଥିଲା। ରଥଯାତ୍ରା ପୂର୍ବରୁ ଏହି ଚାରିଜଣ ତାମିଲନାଡ଼ୁରୁ ଟ୍ରେନ୍ରେ ଆସିଥିବା ଜଣାପଡ଼ିଥିଲା। ତେଣୁ ସେହି ଅନୁସାରେ ରାଜଧାନୀର ସମସ୍ତ ଥାନାକୁ ସତର୍କ କରାଇଦିଆଯାଇଥିଲା। କାର୍ ପାର୍କିଂସ୍ଥଳ ଓ ମୋ’ବସ୍ ରହଣିସ୍ଥଳରେ ପୁଲିସ ପଇଁତରା ମାରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଗତକାଲି ସନ୍ଧ୍ୟାରେ ଏହି ଚାରି ଜଣ ଫରେଷ୍ଟ ପାର୍କ ନିକଟରେ ବୁଲୁଥିବା ଖବର ପାଇ ସ୍ପେସାଲ୍ ସ୍କ୍ବାଡ୍ ଚଢ଼ଉ କରିଥିଲା।
ବାଟୁଳି ମାରି କାର୍ କାଚ ଭାଙ୍ଗୁଥିଲେ
ଏହି ଗ୍ୟାଙ୍ଗ୍ ପେସାଦାର ହୋଇଥିବାରୁ ବଡ଼ କୌଶଳପୂର୍ଣ୍ଣ ଉପାୟରେ ଲୁଟ୍ କରୁଥିଲା। ପାର୍କିଂରେ ଥିବା କାର୍ର କାଚ ଭାଙ୍ଗି, ଜନଗହଳିପୂର୍ଣ୍ଣ ସ୍ଥାନରୁ ଛିନ୍ତାଇ କରି ଓ ବସ୍ରେ ଭିଡ଼ର ସୁଯୋଗ ନେଇ ଏମାନେ ପକେଟ୍ମାର କରି ଲୁଟୁଥିଲେ। ଗ୍ୟାଙ୍ଗ୍ର ଜଣେ ଦୂରରୁ ବାଟୁଳି ମାରି କାର୍ କାଚକୁ ଭାଙ୍ଗୁଥିଲା। ବାଟୁଳିରୁ ଲୁହା ଗୁଲି ବାଜିବା ଦ୍ବାରା ବେଶି ଶବ୍ଦ ହେଉନଥିଲା। ତେଣୁ କେହି ଭଙ୍ଗାରୁଜା କଥା ଜାଣିବା ସମ୍ଭବ ହେଉନଥିଲା। ପରେ ଅନ୍ୟ ସଦସ୍ୟମାନେ କାର୍ ଭିତରୁ ଲାପ୍ଟପ୍ ଓ ବ୍ୟାଗ୍ ବାହାର କରି ଛୁ’ ମାରୁଥିଲେ। ମୋ’ ବସ୍ରେ ଭିଡ଼ ଦେଖି ଏହି ଗ୍ୟାଙ୍ଗ୍ ଟାର୍ଗେଟ୍ କରୁଥିବା ଲୋକକୁ ଚାରିପଟୁ ଘେରିଯାଉଥିଲେ ଏବଂ ହାତ ସଫେଇ କରି ମୋବାଇଲ୍ ଓ ପର୍ସ ନେଇଯାଉଥିଲେ। ସେହିଭଳି ରାସ୍ତାରେ ଜାଲ୍ ଟଙ୍କା ଫୋପାଡ଼ି ଲୋକଙ୍କୁ ଅନ୍ୟମନସ୍କ କରିବା ପରେ ସେମାନେ ମୋବାଇଲ୍ ଓ ପର୍ସ ଛଡ଼ାଇ ନେଉଥିଲେ।
ତିର୍ଚି ଗ୍ୟାଙ୍ଗ୍ର ବଂଶଗତ ବୃତ୍ତି
ଦକ୍ଷିଣ ଓଡ଼ିଶାର ଗଞ୍ଜାମ ଓ ଆନ୍ଧ୍ରପ୍ରଦେଶର ଏରାଗୋଲା ଗ୍ୟାଙ୍ଗ୍ ଭଳି ତାମିଲ୍ନାଡ଼ୁର ଏହି ତିର୍ଚି ଗ୍ୟାଙ୍ଗ୍ ବହୁ ପୁରାତନ ଓ ପେସାଦାର ଦଳ। ତିର୍ଚିପଲ୍ଲୀ ଜିଲ୍ଲାରୁ ଏହି ଗ୍ୟାଙ୍ଗ୍ର ଉତ୍ପତ୍ତି ହୋଇଥିବାରୁ ଏହା ତିର୍ଚି ଗ୍ୟାଙ୍ଗ୍ ଭାବେ ଜଣାଶୁଣା। ପିଢ଼ି ପରେ ପିଢ଼ି ଧରି ଏହି ସମ୍ପ୍ରଦାୟର ଲୋକଙ୍କ କାମ ହେଉଛି ଚୋରି। ଏହାକୁ ସେମାନେ ସେମାନଙ୍କ ବଂଶଗତ ବୃତ୍ତି ଭାବେ ଗ୍ରହଣ କରିଆସୁଛନ୍ତି। ସେମାନଙ୍କ ମହିଳା ଓ ଶିଶୁମାନେ ମଧ୍ୟ ଚୋରି କରିବାରେ ବେର୍ ଧୁରନ୍ଧର। ଏବେ ସମଗ୍ର ଦେଶରେ ତିର୍ଚି ଗ୍ୟାଙ୍ଗ୍ର ୧୫୦୦ରୁ ଅଧିକ ଲୁଟେରା ସାରା ଦେଶରେ ବିଛାଇ ହୋଇ ଅଛନ୍ତି। ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ, ଭୁବନେଶ୍ବର ଓ ଚେନ୍ନାଇରେ ବିଭିନ୍ନ ତିର୍ଚି ଗ୍ରୁପ୍ ସକ୍ରିୟ ଅଛନ୍ତି। ଏମାନେ ଯେଉଁ ରାଜ୍ୟକୁ ଯାଆନ୍ତି, ସେଠାରେ ବିଭିନ୍ନ ବସ୍ତି, ରେଳଷ୍ଟେସନ, ବସ୍ଷ୍ଟାଣ୍ଡରେ ଡେରା ପକାନ୍ତି। ବାହାରକୁ ଯାଯାବର ଭଳି ଦେଖାଯାଉଥିବା ଏହି ଗ୍ୟାଙ୍ଗ୍ କିନ୍ତୁ ବେଶ୍ ଧୂର୍ତ୍ତ। ଚୋରି ଜିନିଷକୁ ସେମାନେ ତାମିଲନାଡ଼ୁର ତିର୍ଚି ବଜାରରେ ବିକ୍ରି କରନ୍ତି। ସେଠାରେ ଏକ ସ୍ବତନ୍ତ୍ର ଚୋର ବଜାର ରହିଛି ବୋଲି ସେମାନେ ପୁଲିସ ଆଗରେ କହିଛନ୍ତି। ଏହି ଦଳ ପୁରୀରେ ରଥଯାତ୍ରା ଭିଡ଼ରେ ଲୁଟ୍ପାଟ କରିବା ପରେ ଭୁବନେଶ୍ବରରେ ପ୍ରାୟ ୧୦ ମାମଲା କରିଥିବା ପୁଲିସ ତଦନ୍ତରୁ ଜଣାପଡ଼ିଛି।