ପୁଲିସ ପଞ୍ଝାରେ ତାମିଲ୍‌ ଲୁଟେରା ଗ୍ୟାଙ୍ଗ୍‌

୩ ଗିରଫ, ୫ ଫେରାର, ୪ଲ୍ୟାପଟପ୍‌ , ୭ମୋବାଇଲ୍‌ ଫୋନ୍‌ ଜବତ

ଭୁବନେଶ୍ବର : ସକାଳୁ ସକାଳୁ ଘରେ ପଶି ଲୁଟ୍‌ପାଟ୍‌ କରୁଥିବା ଏକ ଗ୍ୟାଙ୍ଗ୍‌କୁ କମିସନରେଟ୍‌ ପୁଲିସ୍‌ ଠାବ କରିବା ସହ ୩ ଲୁଟେରାଙ୍କୁ ଗିରଫ କରିଛି। ସେମାନେ ହେଲେ, ତାମିଲନାଡ଼ୁ ତିରୁପତ୍ତୂର ଅଞ୍ଚଳର କେ.ବାଲାଜୀ ଓରଫ୍‌ ବାଲା(୩୫), ଏନ୍‌. ମୁରଗାନ୍‌(୪୭) ଏବଂ ଡି. ଗୋବିନ୍ଦନ୍‌(୫୦)। ପୁଲିସ୍‌ ସେମାନଙ୍କଠାରୁ ୪ଟି ଲ୍ୟାପଟପ୍‌, ୭ ମୋବାଇଲ୍‌ ସମେତ ବହୁ ଚୋରି ଜିନିଷ ଜବତ କରିଛି। ଏହି ଗ୍ୟାଙ୍ଗ୍‌ର ୫ଜଣ ସଦସ୍ୟ ଏବେ ବି ଫେରାର୍‌ ଅଛନ୍ତି। ସେମାନଙ୍କୁ ଧରିବା ପାଇଁ କମିସନରେଟ୍‌ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

ଗତ କିଛି ମାସ ହେବ ଏହି ଗ୍ୟାଙ୍ଗ କଟକ ଓ ଭୁବନେଶ୍ବରରେ ଲୁଟ୍‌ପାଟ କରି ପୁଲିସ ନିଦ ହଜାଇ ଦେଇଥିଲେ। ବିଶେଷକରି ହଷ୍ଟେଲ, ମେସ୍‌ ଓ ସିକ୍ୟୁରିଟି ଗାର୍ଡ ନଥିବା ସୋସାଇଟିଗୁଡ଼ିକୁ ଟାର୍ଗେଟ୍‌ କରୁଥିଲେ। ଲୁଟ୍‌ ପାଇଁ ଏମାନେ ସକାଳ ସମୟକୁ ଟାର୍ଗେଟ୍‌ କରୁଥିଲେ। ପ୍ରାତଃ ଭ୍ରମଣ, ପିଲାଙ୍କୁ ସ୍କୁଲ ଛାଡ଼ିବା, ହଷ୍ଟେଲରେ ରହୁଥିବା ପିଲା ଜିମ୍‌ ପାଇଁ ଯିବା ବେଳେ ଅସାବଧାନତା‌ରେ କବାଟ ଓ ଗେଟ୍‌ ଭଲ ଭାବେ ବନ୍ଦ କରିବାକୁ ଭୁଲି ଯାଆନ୍ତି। ଏହାର ସୁଯୋଗ ନେଇ ଲୁଟେରାମାନେ ଘରେ ପଶି କଳାକନା ବୁଲାଇ ଦିଅନ୍ତି। ଘରଲୋକ ଜାଣିବା ବେଳକୁ ବହୁତ ଡେରି ହୋଇସାରିଥାଏ। ସେତେବେଳକୁ ସିସିଟିଭି ଦେଖି ଲୁଟେରାଙ୍କ କାରନାମା ଦେଖିବା ବ୍ୟତୀତ ଲୋକଙ୍କ ପାଖରେ ଆଉ କୌଣସି ବିକଳ୍ପ ନଥାଏ।

ତେବେ ଘରେ କିମ୍ବା ହଷ୍ଟେଲ୍‌ରେ ପଶିବା ବେଳେ ଯଦି ଏମାନେ ଧରା ପଡ଼ି ଯାଆନ୍ତି, ପାଖରେ ଥିବା ମୂକ, ବଧିର ସାର୍ଟିଫିକେଟ୍‌ ଦେଖାଇ ସାହାଯ୍ୟ ମାଗିବାକୁ ଆସିଛନ୍ତି ବୋଲି କହିଥା’ନ୍ତି। ଲୋକ ବି ଦୟାରେ ସେମାନଙ୍କୁ ଟଙ୍କା ଦିଅନ୍ତି। ଖାଲି ଏତିକି ନୁହେଁ। ବିଭିନ୍ନ ସ୍କୁଲ୍‌କୁ ଯାଇ ସେଠାରେ ସାର୍ଟିଫିକେଟ୍‌ ଦେଖାଇ ଦିନକୁ ହଜାର ହଜାର ଟଙ୍କା ଆଦାୟ କରନ୍ତି। ଗୋଟିଏ ଚୋରି ପରେ ସେମାନେ ସ୍ଥାନ ବଦଳାଇ ଦେଉଥିବାରୁ ସେମାନଙ୍କୁ ଧରିବା ପୁଲିସ୍‌ ପାଇଁ କଷ୍ଟକର ହୋଇପଡ଼ୁଥିଲା।

ମୂକ, ବଧିର ଆଳରେ ଲୁଟୁଥିଲେ
ଏହି ୮ ଜଣିଆ ଗ୍ୟାଙ୍ଗ୍‌ କେବଳ ଓଡ଼ିଶା ନୁହେଁ, ସାରା ଦେଶରେ ଲୋକଙ୍କୁ ଭୁଆଁ ବୁଲାଇ ଲୁ‌ଟୁଥିଲେ। ଗ୍ୟାଙ୍ଗର ସଦସ୍ୟମାନେ ନିଜକୁ ମୂକ, ବଧିର ବୋଲି ପରିଚୟ ଦେଉଥିଲେ। ଗ୍ୟାଙ୍ଗର ସଦସ୍ୟମାନେ କୌଣସି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ବେଶି ଦିନ ପର୍ଯ୍ୟନ୍ତ ରହୁନଥିଲେ। ଗୋଟିଏ ସ୍ଥାନରେ କିଛି ଦିନ ରହି ଲୁଟ୍‌ପାଟ ପରେ ସେଠାରୁ ଚାଲି ଯାଉଥିଲେ। ବିଭିନ୍ନ ସ୍ଥାନରୁ ଲୁଟ୍‌ପାଟ ପରେ ୩ମାସ ତଳେ ଏହି ଗ୍ୟାଙ୍ଗ ଦ୍ବୈତନଗରୀ ଚାଲି ଆସିଥିଲେ।

ରାକେଟ୍‌ରେ ଚୋରା ମାର୍କେଟ୍‌
ଲୁଟ୍‌ ସାମଗ୍ରୀକୁ ଏମାନେ ଓଡ଼ିଶାରେ ବିକ୍ରି ନ କରି କୋଲକାତା, ତାମିଲ୍‌ନାଡୁରେ ଥିବା ଚୋର୍‌ ବଜାରରେ ବିକ୍ରି କରିଥାଆନ୍ତି। ଗ୍ୟାଙ୍ଗର କିଛି ସଦସ୍ୟ ଲୁଟ୍‌ପାଟ କରୁଥିବା ବେଳେ ଅନ୍ୟମାନେ ଜିନିଷକୁ ବସ୍‌ ବା‌ ଟ୍ରେନ୍‌ ଯୋଗେ ଚୋର୍‌ ବଜାରକୁ ପଠାଇଥା’ନ୍ତି। ଫେରାର୍‌ ଥିବା ୫ଜଣ ସଦସ୍ୟ ଏବେ ଅନେକ ଚୋରି ଲ୍ୟାପଟପ୍‌, ମୋବାଇଲ୍‌ ନେଇ ବିକ୍ରି କରିବାକୁ ଯାଇଛନ୍ତି ବୋଲି ଗିରଫ ୩ ଅଭିଯୁକ୍ତ ଜେରା ବେଳେ ମାନିଛନ୍ତି। ଗ୍ୟାଙ୍ଗ୍‌ ସହ ସମ୍ପୃକ୍ତି ଥିବା ରୢାକେଟ୍‌ର ଅନ୍ୟମାନଙ୍କୁ ଧରିବା ପାଇଁ ପୁଲିସ ତନାଘନା ଚଳାଇଛି।

କେମିତି ଧରାପଡ଼ିଲେ
ଚନ୍ଦ୍ରଶେଖରପୁରଠାରୁ ଆରମ୍ଭ କରି ଚନ୍ଦକା, ଇନ୍‌ଫୋଭ୍ୟାଲି, ଇନ୍‌ଫୋସିଟି, ପାହାଳ, ମୈତ୍ରୀବିହାର, ଖଣ୍ଡଗିରି ଆଦି ଥାନାରେ ଏହି ଗ୍ୟାଙ୍ଗ୍‌ ବିରୋଧରେ ପୁଳାପୁଳା ଅଭିଯୋଗ ଆସିବା ପରେ ପୁଲିସ ଏହାକୁ ଗୁରୁତ୍ବର ସହ ନେଇଥିଲା। ଡିସିପି ପ୍ରତୀକ ସିଂଙ୍କ ନିର୍ଦ୍ଦେଶକ୍ରମେ ସ୍ପେସାଲ୍‌ ସ୍କ୍ବାଡ୍‌ ଏସିପି ହିମାଂଶୁ ସ୍ବାଇଁଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା। ଅଭିଯୋଗକୁ ଭିତ୍ତି କରି ଚୋରି ହୋଇଥିବା ସ୍ଥାନଗୁଡ଼ିକର ସିସିଟିଭି ଫୁଟେଜ୍‌କୁ ଆଧାର କରି ତଦନ୍ତ ଆରମ୍ଭ ହୋଇଥିଲା। ସେହିପରି ଚୋରି ମୋବାଇଲ୍‌ଗୁଡ଼ିକର ଲୋକେସନ୍‌କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଇଥିଲା। ଜଣାପଡ଼ିଥିଲା ଯେ ଗ୍ୟାଙ୍ଗର କିଛି ସଦସ୍ୟ କଟକ କାଠଯୋଡ଼ି ନିକଟରେ ଥିବା ଏକ ‌ହୋଟେଲ୍‌ରେ ରହୁଛନ୍ତି। ଭଡ଼ା ଦିନକୁ ମାତ୍ର ଶହେ ଟଙ୍କା ଥିବାରୁ ସେମାନେ ସେଠାରେ ରହୁଥିଲେ। ବୁଧବାର ବିଳମ୍ବିତ ରାତିରେ ସ୍ପେସାଲ୍‌ ସ୍କ୍ବାଡ୍‌ ଟିମ୍‌ ଏବଂ ଚନ୍ଦ୍ରଶେଖରପୁର ଥାନା ପୁଲିସର ଏକ ଟିମ୍‌ ସେଠାରେ ପହଞ୍ଚି ମିଳିତ ଚଢ଼ଉ କରିଥିଲେ। ପୁଲିସକୁ ମଧ୍ୟ ସେମାନେ ସମାନ ଢ଼ଙ୍ଗରେ ଭୁଆଁ ବୁଲାଇବାକୁ ଚେଷ୍ଟା କରିଥିଲେ। ପାଖରେ ରଖିଥିବା ଜାଲ୍‌ ମୂକ, ବଧିର ସାର୍ଟିଫିକେଟ୍‌ ଦେଖାଇ ଖସି ଯିବାକୁ ଉଦ୍ୟମ କରିଥିଲେ। କିନ୍ତୁ ପୁଲିସ ସେମାନଙ୍କୁ ଗିରଫ କରି ସ୍ପେସା‌ଲ୍‌ ସ୍କ୍ବାଡ୍‌ କାର୍ଯ୍ୟାଳୟକୁ ଆଣି ଜେରା କରିବା ପରେ ସବୁ ସତ ମାନି ଯାଇଥିଲେ। ଏ ସଂପର୍କରେ ଚନ୍ଦ୍ରଶେଖରପୁର ପୁଲିସ ଏକ ମାମଲା ରୁଜୁ କରି ୩ ଜଣଙ୍କୁ କୋର୍ଟଚାଲାଣ କରିଛି।

ସମ୍ବନ୍ଧିତ ଖବର