ଚନ୍ଦ୍ରଶେଖରପୁର: ରାଜଧାନୀ ଉପକଣ୍ଠ ବରିମୁଣ୍ଡ ପଞ୍ଚାୟତ ଟାଙ୍ଗିବନ୍ତ ଦୁର୍ଗାପୂଜା ଚଳିତ ବର୍ଷ ୭ମ ବର୍ଷରେ ପଦାର୍ପଣ କରୁଛି। ଏଥର କମିଟି ପକ୍ଷରୁ ଏକ ନିଆରା ତଥା ବଡ଼ ପଦକ୍ଷେପ ନିଆଯାଇଛି। ୭୫ଫୁଟ୍‌ ଉଚ୍ଚର ତୋରଣ (କୋଲକାତା ଦୁର୍ଗାପୁର ଗେଟ୍‌) ଓ ମଣ୍ଡପ ଭିତରେ ୬୨ଫୁଟ୍‌ ଉଚ୍ଚର ମା’ ଦୁର୍ଗାଙ୍କ ମୂର୍ତ୍ତି ପୂଜା ପାଇବେ। ଏତେ ଉଚ୍ଚର ମୂର୍ତ୍ତି ନିର୍ମାଣ କରି ଟାଙ୍ଗିବନ୍ତ ରେକର୍ଡ କରିବାକୁ ଯାଉଛି। ତେଣୁ ଉତ୍ତର ଭୁବନେଶ୍ବର ଅନ୍ତର୍ଗତ ପାଞ୍ଚ ପଞ୍ଚାୟତରେ ଟାଙ୍ଗିବନ୍ତ କମିଟିର ଏଭଳି ପଦକ୍ଷେପ ଖୁସିର ଲହରି ଖେଳାଇଦେଇଛି।  ବାରଙ୍ଗ ମଧୁବନର କୁଶଳୀ କାରିଗରମାନଙ୍କ ନେତୃତ୍ବରେ ୧୭ଜଣ ବଙ୍ଗୀୟ ମୂର୍ତ୍ତିକାର ଲାଗିପଡ଼ିଛନ୍ତି। ମୂର୍ତ୍ତିକାର ଗୋପାଳ ମହାରଣାଙ୍କ କହିବା ଅନୁସାରେ ଏଭଳି ବିଶାଳ ମୂର୍ତ୍ତି ପାଇଁ ୪ହଜାର ନଡ଼ା, ଗୋଟିଏ ଟ୍ରକ୍ ମାଟି, ଗୋଟିଏ ଟ୍ରକ୍ ପ୍ଲାଷ୍ଟର୍‌ ଅଫ୍‌ ପାରିସ୍, ଶହେ ବାଉଁଶ ତଲେଇ ଓ ପାଖାପାଖି ଏକ କ୍ବିଣ୍ଟାଲ୍‌ ସୁତୁଲି ଅଣାଯାଇଛି। ମାଟି ପୂଜା ପରେ ବର୍ତ୍ତମାନ ନଡ଼ା ବୋଳା ଚାଲିଛି। ମୂର୍ତ୍ତି ନିର୍ମାଣ ଠିକ୍‌ ସମୟରେ ସରିବ। ମା’ଙ୍କ ଆକାର ଅନୁସାରେ ବିରାଟ ମହିଁଷାସୁର ଓ ୧୦ ପୁଟିଆ ୪ଟି ସିଂହ ମଧ୍ୟ ନିର୍ମାଣ କରାଯିବ। ତେବେ ମା’ଙ୍କ ଏହି ବଡ଼ ମୂର୍ତ୍ତି ନିକଟରେ ଆଉ ଏକ ୧୨ଫୁଟ୍‌ ଉଚ୍ଚର ମୂର୍ତ୍ତି ମଧ୍ୟ ପୂଜା ପାଇବେ। ବଡ଼ ମୂର୍ତ୍ତି ମଣ୍ଡପରେ ପାଇପ୍ ପାଣିରେ ବିସର୍ଜନ ହେବେ ଏବଂ ୧୨ଫୁଟିଆ ମୂର୍ତ୍ତି ଭସାଣି ଶୋଭାଯାତ୍ରାରେ ଯିବେ। ପୂଜା ପାଇଁ ୩୫ଲକ୍ଷରୁ ଅଧିକ ଟଙ୍କାର ବଜେଟ୍‌ କରାଯାଇଛି। ପୂଜା ମଣ୍ଡପକୁ ପ୍ରଦୂଷଣ ମୁକ୍ତ ରଖାଯିବ, ପଲିଥିନ୍ ବ୍ୟବହାରକୁ ନିଷେଧ କରାଯାଇଛି। ଷଷ୍ଠୀଠାରୁ ଭସାଣି ପର୍ଯ୍ୟନ୍ତ ପ୍ରତି ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ସପ୍ତମୀରେ ୧୦୮ କଳସ ଯାତ୍ରା, ଅଷ୍ଟମୀରେ ସୂର୍ଯ୍ୟପୂଜା ଓ ସନ୍ଧ୍ୟାରେ ସନ୍ଧ୍ୟାଧୂପ ଓ ଦହି ପଖାଳ ଲାଗି ହେବ। ନବମୀରେ ୧୦୮ ଦୀପଦାନ କରାଯିବ। 

Advertisment

୧୦ ଏକର ଖୋଲା ପଡ଼ିଆରେ ପାର୍କିଂ
ଚଳିତ ବର୍ଷ ବିଶାଳ ମୂର୍ତ୍ତି ଏକ ଅନ୍ୟତମ ଆକର୍ଷଣ ‌ହେବ। ତେଣୁ ସ୍ବାଭାବିକ ଭାବେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବ। ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ଟାଙ୍ଗିବନ୍ତ ଗ୍ରାମର ସମସ୍ତ ଯୁବକ ସହଯୋଗ କରିବେ ବୋଲି ପ୍ରଶିକ୍ଷଣ ନେଉଛନ୍ତି। ପ୍ରତାପନଗରୀ ଦିଗରୁ ଆସୁଥିବା ଗାଡ଼ିକୁ ଟାଙ୍ଗିବନ୍ତ ଫୁଟବଲ୍‌ ପଡ଼ିଆରେ ଓ ଭୁବନେଶ୍ବର ବାଲିଯାତ୍ରା ପଡ଼ିଆ ପଟୁ କିମ୍ବା ପଟିଆ ଦିଗରୁ ଆସୁଥିବା ଗାଡ଼ିକୁ ଟାଙ୍ଗିବନ୍ତ ଫୁଲ ପୋଖରୀ ପଡ଼ିଆରେ ଥିବା ୧୦ ଏକର ‌ଖୋଲା ପଡ଼ିଆରେ ପାର୍କିଂ ବନ୍ଦୋବସ୍ତ କରାଯାଇଛି। ଏନେଇ ଭୁବନେଶ୍ବର କମିସନରେଟ୍ ପୁଲିସ୍ ସହ ଆଲୋଚନା କରାଯାଇ ସହଯୋଗ ଲୋଡ଼ିବୁ। 
ବୀରେନ୍ଦ୍ର ଜେନା, ସଭାପତି

ମହିଳା, ଦିବ୍ୟାଙ୍ଗଙ୍କ ପାଇଁ ସ୍ବତନ୍ତ୍ର ସହାୟକ
କମିଟିର ସମ୍ପାଦକ ଚନ୍ଦନ ଜେନାଙ୍କ କହିବା ଅନୁଯାୟୀ ଗ୍ରାମର ସମସ୍ତ ବ୍ୟକ୍ତି ସହଯୋଗ କରୁଥିବାରୁ ଏତେବଡ଼ କାର୍ଯ୍ୟକ୍ରମ କରିବା ସମ୍ଭବ ହେବାକୁ ଯାଉଛି। ମା’ଙ୍କ ଆଶୀର୍ବାଦରୁ ସବୁ କିଛି ଭଲରେ ହେବ। ସ୍ଥାନୀୟ ଯୁବକମାନଙ୍କ ସୁନ୍ଦର ସହଯୋଗ ମଧ୍ୟ ରହିଛି। ଶୃଙ୍ଖଳିତ ଦର୍ଶନ ପାଇଁ ଗ୍ରାମ କମିଟି ସହଯୋଗରେ ଏକ ବିଶାଳ ସ୍ବଚ୍ଛାସେବୀ ଦଳ ଗଠନ କରାଯାଇଛି। ମହିଳା, ଦିବ୍ୟାଙ୍ଗ, ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ସହାୟକମାନେ ମଣ୍ଡପ ନିକଟର ରହିବେ। ପେଣ୍ଡାଲ ନିକଟରେ ସିସିଟିଭି ସହ ଅଗ୍ନି ନିର୍ବାପକ ଯନ୍ତ୍ର ରହିବ। 
ଚନ୍ଦନ ଜେନା, ସଂପାଦକ