ପ୍ରଥମ ସପ୍ତାହରେ ‘ତାନାଜୀ’ର ଆୟ ୧୦୬.୯୬କୋଟି, ପଛରେ ପଡ଼ିଲା ‘ଛପାକ’

ଭୁବନେଶ୍ବର: ଗୋଟେ ପଟେ ଇତିହାସର ଜଣେ ଯୋଦ୍ଧାଙ୍କ କାହାଣୀ, ଅନ୍ୟ ପାର୍ଶ୍ବରେ ଜଣେ ଲଢ଼ୁଆ ଝିଅର କାହାଣୀ। ଏଇଭଳି ଦୁଇଟି କାହାଣୀ ନେଇ ମୁକ୍ତିଲାଭ କରିଥିଲା ଅଜୟ ଦେବଗନଙ୍କ ‘ତାନାଜୀ: ଦ ଅନସଙ୍ଗ ୱାରିୟର’ ଓ ଦୀପିକା ପାଦୁକୋନଙ୍କ ‘ଛପାକ’। ମାତ୍ର ବ୍ୟବସାୟ ଦୃଷ୍ଟିରୁ ୪ଗୁଣ ଆଗେଇ ଯାଇଛି ତାନାଜୀ।

ସପ୍ତାହେ ପରେ ମଧ୍ୟ ତାନାଜୀ ପ୍ରତି ଦର୍ଶକଙ୍କ ଆଗ୍ରହ ବଢ଼ିବାରେ ଲାଗିଛି। ବକ୍ସ ଅଫିସ୍‌ ଇଣ୍ଡିଆର ହିସାବ ମୁତାବକ ୬ ଦିନରେ ତାନାଜୀ ୧୦୬ କୋଟି ୯୬ ଲକ୍ଷ ଟଙ୍କାର ବ୍ୟବସାୟ କରିଛି। ମାତ୍ର ‘ଛପାକ’ ବୁଧବାର ୨ରୁ ୨.୫କୋଟି ଟଙ୍କାର ବ୍ୟବସାୟ କରିଥିବା ବେଳେ ୬ ଦିନରେ ୨୬କୋଟି ୧୭ ଲକ୍ଷର ବ୍ୟବସାୟ କରିଥିବା ଖବର ମିଳିଛି। ଏପରିକି ଛପାକ ଚଳଚ୍ଚିତ୍ର ବଡ଼ ମଲ୍‌ଟିପ୍ଲେକ୍ସରେ ସେମିତି ଖାସ୍‌ ଚାଲି ପାରିନାହିଁ। ଦୀପିକା ପାଦୁକୋନ୍‌ ଜେଏନ୍‌ୟୁ ଯିବା ଘଟଣାର ଫିଲ୍ମ ଉପରେ ପ୍ରଭାବ ପଡ଼ିଛି ବୋଲି ଆଲୋଚନା ହେଉଥିଲେ ହେଁ ଅନେକ ବିଶେଷଜ୍ଞ ଏହାକୁ ଅଗ୍ରାହ୍ୟ କରିଛନ୍ତି। ଫିଲ୍ମ ଯେମିତି ନିର୍ମିତ ହୋଇଛି, ସେମିତି ଲୋକଙ୍କ ପ୍ରଶଂସାଭାଜନ ହେଉଛି ବୋଲି ଅନେକ କହିଛନ୍ତି।

ପାଠକଙ୍କୁ ମନେ ପକାଇଦେବାକୁ ଚାହିଁବୁ ଯେ ଦୀପିକା ଯେବେ ଜେଏନ୍‌ୟୁ ଯାଇଥିଲେ, ଛପାକର ଚଳଚ୍ଚିତ୍ରର ନିର୍ଦେଶିକା ମେଘନା ଗୁଲ୍‌ଜାର ନିଜ ପ୍ରତିକ୍ରିୟାରେ କହିଥିଲେ ଯେ ଆମେ ନିଜ ବ୍ୟକ୍ତିଗତ ଓ ପେସାଦାର ଜୀବନକୁ ଅଲଗା ରଖିବା ଉଚିତ। ଯଦି କେହି ନିଜ ଜୀବନରେ କିଛି କରୁଛି ଓ ପେସାଦାର ଜୀବନକୁ ବି ନିଷ୍ଠା ସହ କରୁଛି, ତେବେ ଏ ସବୁକୁ ବୁଝିବା ଦରକାର।

ସମ୍ବନ୍ଧିତ ଖବର