ଟଙ୍କପାଣି ରାସ୍ତା ମରଣଯନ୍ତା, ଯିବାକୁ ଭୟ କରୁଛନ୍ତି ଲୋକ

ପୁରୁଣା ଭୁବନେଶ୍ୱର : ରବି ଟକିଜ୍‌ ଛକରୁ ଟଙ୍କପାଣି ରାସ୍ତା ମରଣଯନ୍ତା ପାଲଟିଛି। ରାସ୍ତାର ଅଧିକାଂଶ ସ୍ଥାନରେ ଖାଲଖମା ରହିଛି। ଫଳରେ ଉକ୍ତ ରାସ୍ତାରେ ଯିବା ଆସିବା କରିବାକୁ ଲୋକେ ଭୟ କରୁଛନ୍ତି। ଖାଲରେ ପଡ଼ି ଅନେକ ସମୟରେ ଦୁର୍ଘଟଣା ମଧ୍ୟ ଘଟୁଛି। ରାସ୍ତା ମରାମତି କରାନଯିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

ପ୍ରକାଶ ଯେ, ରବିଟକିଜ୍‌ ଛକରୁ ଟଙ୍କପାଣି ରାସ୍ତାରେ ରହିଛି ବିଶ୍ବ ପ୍ରସିଦ୍ଧ ରାଜାରାଣୀ ମନ୍ଦିର। ଏହି ମନ୍ଦିର ସମ୍ମୁଖରେ ରହିଛି ବଡ଼ ବଡ଼ ଗର୍ତ୍ତ। ପୂଜା ପୂର୍ବରୁ ଏହାକୁ ତାଳି ପକା କାମ କରାଯାଇଥିଲେ ମଧ୍ୟ ଏହା ବର୍ଷରେ ଧୋଇଯାଇ ପୁଣି ଖାଲ ସୃଷ୍ଟି ହୋଇଛି। ସେହିପରି ବ୍ରହ୍ମେଶ୍ବର ପାଟଣା ଛକ, ଜଗନ୍ନାଥ ମନ୍ଦିର ଛକ, କେନାଲ ଛକରେ ରାସ୍ତା ଖାଲ ଖମା ହୋଇ ପଡ଼ିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଏନେଇ ଆର୍‌ଏଣ୍ଡ୍‌ବିରେ ଅଭିଯୋଗ କରାଗଲେ ମଧ୍ୟ ଏଥିରୁ ସୁଫଳ ମିଳୁନାହିଁ। ଦଶହରା ପୂର୍ବରୁ ଏହି ରସ୍ତା ମରାମତି କରାଯାଇଥିଲା। ଖାଲ ଗୁଡ଼ିକରେ ପିଚୁ ମିଶ୍ରିତ ଗୋଡ଼ି ଢଳାଯାଇଥିଲା। ତେବେ ତାଳି ପକା କାମ ଯୋଗୁଁ ପୁଣି ରାସ୍ତାରୁ ଗୋଡ଼ି ବାହରି ଯାଇଛି। ଫଳରେ ରାସ୍ତା ମରଣଯନ୍ତା ପାଲଟିଛି। ଏନେଇ ଆର୍‌ଏଣ୍ଡ୍‌ବି ବିଭାଗର ଏସ୍‌ଡିଓଙ୍କୁ ପଚାରିବାରୁ ସେ କିଛି କହିବାକୁ ମନା କରି ଦେଇଥିଲେ।

ସମ୍ବନ୍ଧିତ ଖବର